ହାଟଡିହି: ଚାଷୀଙ୍କୁ କାଳ ହେଲା ଲଗୁଚାପଜନିତ ଲଗାଣ ବର୍ଷା। କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ର ଶହଶହ ଏକର ଚାଷଜମି ଜଳମଗ୍ନ ହୋଇଥିବାରୁ ଚାଷୀକୁଳ ଚିନ୍ତାରେ ପଡ଼ିଯାଇଛନ୍ତି। ରୁଆ ହୋଇଥିବା ଧାନତଳିଠାରୁ ଆରମ୍ଭ କରି ବିଲରେ ପଡ଼ିଥିବା ସାର, କୀଟନାଶକ ସବୁକିଛି ବର୍ଷାପାଣିରେ ଧୋଇ ହୋଇଯାଇଛି।
ଅଗଷ୍ଟ ୨ ତାରିଖ ବନ୍ୟାରେ ହାଟଡିହି ବ୍ଲକ୍ର ଚାଷୀମାନେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲେ। ବନ୍ୟା ପାଣି କମିବା ପରେ ରୁଆପୋତା କରି ଚାଷକାମକୁ ଆଗେଇ ନେଇଥିଲେ। ୮୦ ଭାଗ ଚାଷଜମିରେ ରୁଆପୋତା ଶେଷ ହୋଇଯାଇଥିଲା। ଲଘୁଚାପ ପ୍ରଭାବରେ ଦୁଇଦିନ ଧରି ଲାଗି ରହିଥିବା ବର୍ଷା ଚାଷୀଙ୍କ ଖୁସିକୁ ଛଡ଼ାଇ ନେଇଛି। ହାଟଡିହି ବ୍ଲକ୍ ବଡ଼ରମ୍ପାସ ପଞ୍ଚାୟତରେ ଶହଶହ ଏକର ଚାଷଜମି ଜଳମଗ୍ନ ହୋଇ ରହିଛି। ଚାଷଜମିକୁ ଅନାଇଲେ ସମୁଦ୍ରର ଜଳରାଶି ଭଳି ଦେଖାଯାଉଛି। ଧାନଗଛଗୁଡ଼ିକ ପାଣିରେ ବୁଡ଼ି ରହିଥିବାରୁ ପଚି ନଷ୍ଟ ହୋଇଯିବ ବୋଲି ଚାଷୀମାନେ ଆଶଙ୍କା କରିଛନ୍ତି। ଚାଷୀ ନାରାୟଣ ଚନ୍ଦ୍ର ବେହେରା କହିଛନ୍ତି, ସେ ୪ ଏକର ଜମିରେ ଚାଷ କରିଥିଲେ। ରୁଆପୋତା ସାରି ବିଲରେ ସାର ପକାଇଥିଲେ। ଗତକାଲି ଠାରୁ ଧାନବିଲ ପାଣିରେ ବୁଡ଼ି ରହିଛି। ଜଳ ନିଷ୍କାସନର ବାଟ ନାହିଁ। ତେଣୁ ପାଣି ଛାଡ଼ିଲା ବେଳକୁ ଧାନତଳି ସବୁ ପାଚିଯିବାର ଆଶଙ୍କା ରହିଛି ବୋଲି ନାରାୟଣ କହିଛନ୍ତି।
ସେହିପରି ସନ୍ତୋଷ କୁମାର ଜେନା, କ୍ଷେତ୍ରବାସୀ ସାହୁ, ଗୋଲେଖ ସାହୁ, ଧନେଶ୍ୱର ସାହୁ, ମଦନ ମୋହନ ସାହୁ, ରଥଧ୍ୱଜ ସାହୁ, ଯୁଧିଷ୍ଠିର ସାହୁ, ସଞ୍ଜୟ ସାହୁ, ବୃନ୍ଦାବନ ସାହୁ, ମୀନହରି ସେନାପତି, ଶଙ୍କର୍ଷଣ ବେହେରା, ଜଗବନ୍ଧୁ ଦାସଙ୍କ ଏକର ଏକର ଚାଷଜମି ପାଣିରେ ବୁଡ଼ି ରହିଥିବାରୁ ସମ୍ପୃକ୍ତ ଚାଷୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ଧାନତଳି ମିଳିବା ଆଉ ସମ୍ଭବ ନଥିବାରୁ ଚାଷ ଉଜୁଡ଼ିବା ସହ ଯାହା ଖର୍ଚ୍ଚ କରିଥିଲେ ସେ ସବୁ ପାଣିରେ ପଡ଼ିଲା ବୋଲି ଚାଷୀମାନେ କହିଛନ୍ତି। ସରପଞ୍ଚ ରବୀନ୍ଦ୍ର ଜେନା କହିଛନ୍ତି, ଜଳ ନିଷ୍କାସନ ହୋଇପାରୁ ନଥିବାରୁ ରମ୍ପାସ ଗ୍ରାମର ଶହଶହ ଚାଷୀ ପ୍ରତିବର୍ଷ ଏଭଳି କ୍ଷୟକ୍ଷତିର ସମ୍ମୁଖୀନ ହେଉଛନ୍ତି। ଏନେଇ ବାରମ୍ବାର ଜଳସମ୍ପଦ ବିଭାଗକୁ ଜଣାଯିବା ସହ ପୋଲ ନିର୍ମାଣ ପାଇଁ ଦାବି କରାଯାଇଛି। ଜଳସମ୍ପଦ ବିଭାଗର ଅଧିକାରୀମାନେ ସମୟ ଗଡ଼ାଇ ଚାଲିଛନ୍ତି ବୋଲି ଶ୍ରୀ ଜେନା କହିଛନ୍ତି।
ସେହିପରି ହାଟଡିହି, ଶାସଙ୍ଗ, ବଞ୍ଚୋ, ଇଞ୍ଚୋଳ, ସୁଲଣ, ପଞ୍ଚୁଗୋଛିଆ, ଆମ୍ବୋ, ଶାଳଣିଆଁ, କଳିଗାଁ, ସମଣା, ମରୈଗାଁ ପଞ୍ଚାୟତରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ବଞ୍ଚୋ ଗ୍ରାମରେ ଚାଷଜମି ଜଳମଗ୍ନ ହୋଇଥିବାରୁ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି। ଏହି ଗ୍ରାମର ଚାଷୀ ବିନୟ ନାୟକଙ୍କ କହିଛନ୍ତି, ସେ ଦୁଇଦିନ ତଳେ ରୁଆପୋତା ସାରିଥିଲେ। ୧୫ହଜାର ଟଙ୍କାର ସାର ପକାଇଥିଲେ। ବର୍ଷାପାଣିରେ ସବୁ ଧୋଇଯାଇଛି। ଧାନଗଛ ଗୁଡ଼ିକ ବୁଡ଼ି ରହିଥିବାରୁ ପଚିଯିବାର ସମ୍ଭାବନା ବୋଲି ସେ କହିଛନ୍ତି। ସେହିପରି ଶାସଙ୍ଗ ପଞ୍ଚାୟତର ଛେନାପଦି, ଗଳିଗୋପାଳପୁର, ବଡ଼ତୀରା ଆଦି ଗ୍ରାମରେ ମଧ୍ୟ ହେକ୍ଟର ହେକ୍ଟର ଚାଷଜମି ପାଣିରେ ବୁଡ଼ି ରହିଥିବା ଦେଖିବାକୁ ମିଳିଛି।
ଚାଷୀଙ୍କୁ କାଳ ହେଲା ଲଗୁଚାପଜନିତ ଲଗାଣ ବର୍ଷା: ଶହଶହ ଏକର ଚାଷଜମି ଜଳମଗ୍ନ
/sambad/media/post_attachments/wp-content/uploads/2023/08/085cef69-4c93-4128-a937-dc413c0654f7.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)