ସ୍ତ୍ରୀର ପରକୀୟା ପ୍ରୀତିରେ କ୍ରୋଧିତ ହୋଇ ଟାଙ୍ଗିଆ‌ରେ ହାଣି ହତ୍ୟା କଲା ସ୍ବାମୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ସିରିଗିଡା ଗ୍ରାମରେ ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣାକୁ ନେଇ ସ୍ଥାନୀୟ ଲୋକମାନେ ସ୍ତବ୍ଧ ହୋଇଯାଇଛନ୍ତି। ସ୍ତ୍ରୀ ନିଜ ବାପ ଘରେ ଶୋଇଥିବା ବେଳେ ସ୍ୱାମୀ ଗତକାଲି ରାତିରେ ଶଶୁର ଘରେ ପଶି ସ୍ତ୍ରୀର ବେକକୁ ଟାଙ୍ଗିଆରେ ହାଣି ହତ୍ୟା କରି ଫେରାର ହୋଇଯାଇଥିଲା। ତେବେ ଆଜି ଅଭିଯୁକ୍ତ ସ୍ୱାମୀକୁ ପୁଲିସ ଗିରଫ କରିବା ସହିତ ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା ଟାଙ୍ଗିଆକୁ ଜବତ୍ କରିଛି।

ସିରିଗିଡା ଗ୍ରାମ ରୁଗୁଡ଼ି ସାହିର ନରୋତ୍ତମ ପେଣ୍ଠେଇ ନାୟକ ସାହିର ବିଶ୍ୱନାଥ ପେଣ୍ଠେଇଙ୍କ ଝିଅ ବବିତା ପେଣ୍ଠେଇଙ୍କୁ ଭଲପାଇ ବିବାହ କରିଥଲା। ସେମାନଙ୍କର ଗୋଟିଏ ୩ ବର୍ଷର ପୁଅ ସହ ଦେଢ଼ ବର୍ଷର ଝିଅ ରହିଛି। ନରୋତ୍ତମ ବାହାରେ କାମ କରିବାକୁ ଯାଉଥିବା ବେଳେ ଏହି ସମୟରେ ବବିତାଙ୍କର ସମ୍ପର୍କ ଗାଁରେ ଅନ୍ୟ ଜଣେ ଯୁବକଙ୍କ ସଙ୍ଗେ ଗଢି ଉଠିଥିଲା। ଗତ ୬ ତାରିଖରେ ବବିତା ସ୍ୱାମୀ ଓ ଦୁଇ ଛୁଆଙ୍କୁ ଛାଡ଼ି ଉକ୍ତ ଯୁବକ ସାଙ୍ଗରେ କେଉଁଆଡେ ପଳାଇ ଯାଇଥିଲେ। ଦୁଇ ଦିନ ପୂର୍ବରୁ ବବିତା ଓ ତାଙ୍କ ପ୍ରେମିକ ଗାଁକୁ ଫେରିଥିଲେ। କିନ୍ତୁ ନରୋତ୍ତମ ବବିତାକୁ ଆଉ ଗ୍ରହଣ କରିନଥିଲା। ବବିତା ନିଜ ବାପ ଘରେ ରହିଥିଲେ। ଏହି ଘଟଣା ଘଟିବା ପରଠାରୁ ନରୋତ୍ତମଙ୍କ ମାନସିକ ସ୍ଥିତି ଭଲ ନଥିଲା। ଗତକାଲି ରାତିରେ ନରୋତ୍ତମ ଘରୁ ଏକ ଟାଙ୍ଗିଆ ଧରି ବବିତା ଶୋଇଥିବା ଘର ଝରକା ପଟେ ପଶି ବବିତାଙ୍କ ବେକକୁ ଟାଙ୍ଗିଆରେ ହାଣି ପକାଇଥିଲା। ଏକଥା ଦେଖି ଶାଶୁ ଗୋମତୀ ପେଣ୍ଠେଇ ବିରୋଧ କରିଥିଲେ। କିନ୍ତୁ ଅଭିଯୁକ୍ତ ନରୋତ୍ତମ ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଅଭିଯୁକ୍ତ ନରୋତ୍ତମ ଘରେ ଥିବା ବେଳେ ପୁଲିସ ଆଜି ତାଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର