ପତ୍ନୀଙ୍କ ପେଟରେ ବୋତଲ ଭୁସିଦେଲା ସ୍ୱାମୀ

କେନ୍ଦୁଝର: ଯୌତୁକ ପାଇଁ ପତ୍ନୀଙ୍କୁ ମରଣାନ୍ତକ ଆକ୍ରମଣ। ବିୟର ବୋତଲ ଭାଙ୍ଗି ପତ୍ନୀ ପେଟରେ ଭୁସି ଦେଲା ମଦ୍ୟପ ସ୍ୱାମୀ। କେନ୍ଦୁଝର ସଦର ଥାନା ଜଡ଼ିପଦା ଗାଁରେ ଘଟିଛି ଏହି ଦୁର୍ଭାଗ୍ୟଜନକ ଘଟଣା। ସ୍ୱାମୀ ଆକ୍ରମଣରେ ଗୁରୁତର ପତ୍ନୀ ଏବେ କେନ୍ଦୁଝର ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।
ସୂଚନା ଅନୁସାରେ, କେନ୍ଦୁଝର ସଦର ଥାନା ଜଡ଼ିପଦା ଗ୍ରାମର ବରେନ୍ଦ୍ର ପରିଡା ପଣ୍ଡାପଡା ଥାନା ଦଅଁଳାହତା ଗ୍ରାମର ମୁନିନ୍ଦ୍ର ବେହେରାଙ୍କ ଝିଅ ତପସ୍ୱିନୀଙ୍କୁ ୨୦୧୪ ମସିହାରେ ବିବାହ କରିଥିଲେ। ବିବାହ ସମୟରେ କନ୍ୟାଘର ପକ୍ଷରୁ ସାଧ୍ୟମତେ ଯୌତୁକ ଦିଆଯାଇଥିଲା।

ପରିଡା ଦମ୍ପତିଙ୍କର ଏକ ତିନି ବର୍ଷର ଝିଅ ବି ଅଛି। ବାପଘରୁ ଅଧିକ ଯୌତୁକ ଆଣିବା ପାଇଁ ବାଧ୍ୟ କରି ତପସ୍ୱିନୀଙ୍କୁ ସ୍ୱାମୀ ବରେନ୍ଦ୍ର ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଗତ ୫ ତାରିଖରେ ସ୍ୱାମୀ-ସ୍ତ୍ରୀ’ଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ବେଳେ ମଙ୍ଗଳବାର ରାତିରେ ସ୍ୱାମୀ ବରେନ୍ଦ୍ର ଘରେ ଥିବା ଏକ ବିୟର ବୋତଲକୁ ଭାଙ୍ଗି ତପସ୍ୱିନୀଙ୍କ ପେଟରେ ଭୁସି ଦେଇଥିଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସ୍ଥାନୀୟ ଲୋକେ ତପସ୍ୱିନୀଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିିତ୍ସାଳୟରେ ଭର୍ତ୍ତି କରିଥିଲେ। ଏ ନେଇ ସଦର ଥାନାରେ ତପସ୍ୱିନୀଙ୍କ ବାପଘର ଲୋକେ ଅଭିଯୋଗ କରିବା ପରେ ଅଭିଯୁକ୍ତ ସ୍ୱାମୀକୁ ଧରିବା ପାଇଁ ପୁଲିସ ତନାଘନା ଚଳାଇଛି।

ସମ୍ବନ୍ଧିତ ଖବର