ମାଫିଆଙ୍କ କବ୍‌ଜାରେ ଇଡ୍‌କଲ ଜମି:ବେଆଇନ ନିର୍ମାଣ ବନ୍ଦ କଲା ପ୍ରଶାସନ

କାମ ବନ୍ଦ କରିବାକୁ ଆର୍ଆଇଙ୍କୁ ନିର୍ଦେଶ ଦିଆଯାଇଥିଲା। ଏହା ସ‌େତ୍ତ୍ବ ସମ୍ପୃକ୍ତ ବ୍ୟକ୍ତି ଯଦି କାମ ଚାଲୁ ରଖିବେ ତେବେ ଉକ୍ତ ବେଆଇନ୍ ନିର୍ମାଣକୁ ଭାଙ୍ଗି ଦିଆଯିବ।

ବଡ଼ବିଲ: ବଡ଼ବିଲ ପୌରାଞ୍ଚଳର ୧୫ ନମ୍ବର ୱାର୍ଡରେ ରହିଛି ରାଜ୍ୟ ସରକାରଙ୍କ ଇଡ୍‌କଲ କଳିଙ୍ଗ ଲୁହା କାରଖାନା। ୩ ବର୍ଷ ହେଲା କାରଖାନାଟି ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏବେ କାରଖାନା ଜମି ଉପରେ ପଡ଼ିଛି ମାଫିଆଙ୍କ ନଜର। କମ୍ପାନି ବନ୍ଦ ଥିବା ସୁଯୋଗ ନେଇ କିଛି ଜମି ମାଫିଆ କମ୍ପାନି ଜମିକୁ ଜବରଦଖଲ କରିଛନ୍ତି। କିଏ ବେଆଇନ ନିର୍ମାଣ କରୁଛି ତ ଆଉ କିଏ ଚଢ଼ା ଦରରେ କମ୍ପାନି ଜମି ବିକି ମାଲାମାଲ ହେଉଛି। କମ୍ପାନି ଜମି ଉପରେ ହେଉଥିବା ଏକ ବେଆଇନ ନିର୍ମାଣକୁ ଆଜି ପ୍ରଶାସନ ବନ୍ଦ କରିବା ପରେ ଏହା ଲୋକଲୋଚନକୁ ଆସିଛି।
ସ୍ଥାନୀୟ ଅଞ୍ଚଳର ଜଣେ ଠିକାଦାରଙ୍କ ସମ୍ପର୍କୀୟ ଉତ୍ତମ ସିଂ ହଟିଂରେ ଥିବା କମ୍ପାନି ଜମିରେ ବେଆଇନ ଭାବେ ଘର ତିଆରି କରୁଥିଲେ। ଏ ନେଇ ଅଭିଯୋଗ ପାଇବା ପରେ ବଡ଼ବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା ବେଆଇନ ନିର୍ମାଣକୁ ବନ୍ଦ କରିବାକୁ ନିର୍ଦେଶ ଦେଇଥିଲେ। ତହସିଲଦାରଙ୍କ ନିର୍ଦେଶ କ୍ରମେ ଆର୍ଆଇ ବନମାଳୀ ସାହୁ ସେଠାକୁ ଯାଇ ନିର୍ମାଣ କାମ ବନ୍ଦ କରିଥିଲେ। ଏହା ସ‌େତ୍ତ୍ବ ସମ୍ପୃକ୍ତ ବ୍ୟକ୍ତି ଜଣକ ନିର୍ଦେଶ ଅବମାନନା କରି ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିଥିଲେ। ଖବର ପାଇ କମ୍ପାନି ମୁଖ୍ୟ ସୁରକ୍ଷା ଅଧିକାରୀ ସଂଜୟ କୁମାର ମହାପାତ୍ର ସେଠାକୁ ଯାଇ କାମ ବନ୍ଦ କରିବା ସହ ସେଠାରୁ କୋଦାଳ, ଗଇଁତି, ଶାବଳ ଆଦି ଜବତ କରିଛନ୍ତି।
ଏ ନେଇ ତହସିଲଦାର ଶ୍ରୀ ବେହେରାଙ୍କୁ ପଚାରିବାରୁ କମ୍ପାନି ଜମି ଜବରଦଖଲ ଘଟଣାକୁ ସେ ସ୍ବୀକାର କରିଛନ୍ତି। କାମ ବନ୍ଦ କରିବାକୁ ଆର୍ଆଇଙ୍କୁ ନିର୍ଦେଶ ଦିଆଯାଇଥିଲା। ଏହା ସ‌େତ୍ତ୍ବ ସମ୍ପୃକ୍ତ ବ୍ୟକ୍ତି ଯଦି କାମ ଚାଲୁ ରଖିବେ ତେବେ ଉକ୍ତ ବେଆଇନ୍ ନିର୍ମାଣକୁ ଭାଙ୍ଗି ଦିଆଯିବ ବୋଲି ଶ୍ରୀ ବେହେରା କହିଛନ୍ତି। କାରଖାନାର ମୁଖ୍ୟ ସୁରକ୍ଷା ଅଧିକାରୀ ଶ୍ରୀ ମହାପାତ୍ର କହିଛନ୍ତି, କମ୍ପାନି ଜମିରେ ଚାଲିଥିବା ବେଆଇନ୍ ନିର୍ମାଣକୁ ବନ୍ଦ କରାଯିବା ସହ ନିର୍ମାଣ ପାଇଁ ବ୍ୟବହୃତ ଯନ୍ତ୍ରାଂଶକୁ ଜବତ କରାଯାଇଛି। ଏ ସମ୍ପର୍କରେ କାରଖାନାର ପରିଚାଳନା ନିର୍ଦ୍ଦେଶକ ସପନ କୁମାର ଦାସଙ୍କୁ ରିପୋର୍ଟ ଦିଆଯାଇଛି। ଦୁଇଜଣ ସୁରକ୍ଷାକର୍ମୀଙ୍କୁ ଉକ୍ତ ବେଆଇନ୍ ନିର୍ମାଣ ଉପରେ କଡ଼ା ନଜର ରଖିବାକୁ ନିର୍ଦେଶ ଦିଆଯାଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ପୁଣି କାମ ଆରମ୍ଭ କଲେ କମ୍ପାନି ପକ୍ଷରୁ ଥାନାରେ ଏତଲା ଦିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର