ଏହା ଏକ କାହାଣୀ କେନ୍ଦୁଝର ଏବଂ ମୟୂରଭଞର ସୁନ୍ଦର, ସବୁଜ ଜଙ୍ଗଲର। ଏଇଠି ଗଛଗୁଡ଼ିକ ନିଜ ଭାଷାରେ ପ୍ରାଚୀନ ରହସ୍ୟ ବିଷୟରେ ଗପସପ କରନ୍ତି ଏବଂ ପକ୍ଷୀମାନଙ୍କର ସ୍ୱରରେ ପୂରା ପରିବେଶ ଉଲ୍ଲସିତ ହୋଇଉଠେ। ଠିକ ସେଇଠି ରହେ ଏକ ରେଶମୀ ରହସ୍ୟ, ଯାହାକି ଖୁବ କମ ଲୋକଙ୍କୁ ଜଣା। ଏହା କୌଣସି ସାଧାରଣ ନୁହଁ, କିନ୍ତୁ ଏକ ଆଶ୍ଚର୍ଯ୍ୟର ସ୍ୱରୂପ - ନାମ ତାହାର ଜଙ୍ଗଲୀ ଟସର, ବୈଜ୍ଞାନିକ ନାମ ଅନ୍ଥେରିଆ ପାଫିଆ।
/filters:format(webp)/sambad/media/media_files/2025/08/01/photo-2025-08-01-17-43-29.jpg)
ଲୁକ୍କାୟିତ ବୁଣାକାର
ଜଙ୍ଗଲ ଭିତରେ ଉଚ୍ଚ, ଦୃଢ ଗଛର ଡାଳରେ ଜଙ୍ଗଲୀ ଟସରର କୀଟ ବାସ କରନ୍ତି। ଯେତେବେଳେ ତାଙ୍କ ସମ୍ପର୍କୀୟ ମଲବେରୀ ରେଶମ କୀଟ ପାଳିତ ପରିବେଶକୁ ପସନ୍ଦ କରନ୍ତି, ଏମାନେ ପସନ୍ଦ କରନ୍ତି ବନ୍ୟଜୀବନକୁ। ଏମାନେ ଅର୍ଜୁନ ଏବଂ ଶାଳ ଗଛର ପତ୍ରକୁ ଭୋଜନ କରି, ପ୍ରତି ବଦଳରେ ସୃଷ୍ଟି କରନ୍ତି ସୂକ୍ଷ୍ମ ଓ ସୁନ୍ଦର କୋକୁନ, ଯାହା ତାଙ୍କର ପ୍ରାକୃତିକ ସୁବର୍ଣ୍ଣ ରଙ୍ଗ ପାଇଁ ବେଶ ପରିଚିତ।
ପ୍ରତିବର୍ଷ ବର୍ଷାଦିନେ ଆରମ୍ଭ ହୁଏ ଏମାନଙ୍କର ପୋଷଣ, ଆଉ ଜନ୍ମ ନିଅନ୍ତି ଅନେକ ଟସର ପତଙ୍ଗ। ଏହିମାନେ ହିଁ ଚମତ୍କାର ରେଶମର ନିର୍ମାତା, ଯିଏକି ନିଶବ୍ଦ ରାତିରେ ଜଙ୍ଗଲ ଯାକ ଘୂରି ବୁଲନ୍ତି। ଏହି ପତଙ୍ଗଗୁଡିକ କୌଣସି ସାଧାରଣ କୀଟ ନୁହନ୍ତି ବରଂ ଛଦ୍ମବେଶୀ କଳାକାର। ପତଙ୍ଗଗୁଡିକ ପତ୍ର ଉପରେ ଅଣ୍ଡା ଦେବାପରେ, ଖୁବ ଶୀଘ୍ର ଅଣ୍ଡାରୁ ଶୂକ ବାହାରି ସେମାନଙ୍କର ରେଶମ ଯାତ୍ରା ଆରମ୍ଭ କରନ୍ତି। ଆପଣମାନେ ଜାଣନ୍ତି କି, ଟସରକୁ 'ପାଟମାନଙ୍କର ରାଜା' ବୋଲି କୁହାଯାଏ, ଯାହାର ପୂରା ଶ୍ରେୟ ତାହାର ପ୍ରାକୃତିକ ସୁବର୍ଣ୍ଣ ରଙ୍ଗକୁ ଯାଏ।
ରେଶମ କୀଟମାନଙ୍କ ନୃତ୍ୟ
ଦିନ ଗଡ଼ିବା ସାଙ୍ଗରେ ଟସର ଶୂକମାନେ ମଧ୍ୟ ଆକାରରେ ବଢ଼ିଚାଲିଥାନ୍ତି ଏବଂ ଗୋଟିଏ ପରିବର୍ତ୍ତନ ପ୍ରସ୍ତୁତ କରନ୍ତି। କିଛିଦିନ ପରେ ସେମାନେ ଗୋଟିଏ ଭଲଦିନରେ ତାଙ୍କର ସୃଷ୍ଟିର ନୃତ୍ୟ ଆରମ୍ଭ କରନ୍ତି। ଶୂକଗୁଡିକ ନିଜ ଚାରିପାଖେ ଏକ ଜଟିଳ କିନ୍ତୁ ସୁନ୍ଦର ସୁବର୍ଣ୍ଣ ସୂତ୍ରରେ ରେଶମି ସୂତାକୁ ନିଜ ଚାରିପାଖରେ ଗୁଡାଇବା ଆରମ୍ଭ କରନ୍ତି, ଯାହାକୁ କୋକୁନ କୁହାଯାଏ | ପ୍ରତିଟି କୋକୁନ ଏକ ଆସାଧାରଣ ପ୍ରସ୍ତୁତି, ଯାହା ଗୋଟିଏ କିଲୋମିଟର ପର୍ଯ୍ୟନ୍ତ ସୂତା ଧାରଣ କରି ପାରେ। ଶୂକଗୁଡିକ, ଏହାକୁ କିଛି ସପ୍ତାହ ଘର ରୂପେ ବ୍ୟବହାର କରି ନିଜକୁ ପତଙ୍ଗରେ ପରିବର୍ତ୍ତନ କରିଥାନ୍ତି ଓ ପୁଣି ଥରେ ଜୀବନଚକ୍ରର ପୁନଃ ଆରମ୍ଭ ପାଇଁ ପ୍ରସ୍ତୁତ ହୁଅନ୍ତି। ଆପଣମାନେ ଜାଣନ୍ତି କି ଗୋଟିଏ କୋକୁନରୁ ପ୍ରାୟ ୧୨୦୦ ମିଟର ପାଟ ସୂତା ବାହାରି ପାରେ ଏବଂ ସମସ୍ତ ଶ୍ରେୟ ଯାଏ ସେହି ହାତକୁ, ଯିଏ ଏହି ସୂକ୍ଷ୍ମ ସୂତାଗୁଡିକୁ ଖୋଲିଥାଏ।
ସଂଗ୍ରହର କଳା
ଜଙ୍ଗଲଠାରୁ କିଛି ଦୂରରେ, ଏକ ଛୋଟ ଗାଁରେ କୁଶଳୀ କାରିଗରମାନେ ବାସ କରନ୍ତି, ଯେଉଁମାନେ ଟସର ରେଶମ ସଂଗ୍ରହ କରିବାର କୌଶଳ ଅର୍ଜନ କରିଥାନ୍ତି | ସେମାନେ ଏହି ପୁରାତନ ପରମ୍ପରାର ରକ୍ଷକଭାବେ ପିଢ଼ି ପରେ ପିଢ଼ି କାମ କାରିଆସୁଛନ୍ତି। ଏମାନେ ଧୀର ଭାବେ ଜଙ୍ଗଲରେ ପ୍ରବେଶ କରନ୍ତି ଏବଂ ତାଲିମଯୁକ୍ତ ଆଖିରେ ଶଖାଗୁଡ଼ିକରୁ ଓହଳିଥିବା ସୁବର୍ଣ୍ଣ ଲଣ୍ଠନ ସଦୃଶ୍ୟ କୋକୁନଗୁଡିକୁ ଚିହ୍ନଟ କରନ୍ତି। ନମ୍ର ହାତରେ ଅତି ଧ୍ୟାନ ସହକାରେ ଟସର କୋକୁନଗୁଡିକୁ ଓଲ୍ହାଇ ଆଣନ୍ତି, ଯେପରି ଗଛର କିଛି କ୍ଷତି ନ ହୁଏ। ସେମାନେ ଜାଣନ୍ତି ଯେ ଜଙ୍ଗଲ ସେମାନଙ୍କର ମିତ୍ର ଓ ସହଯୋଗୀ ଏବଂ ସମ୍ମାନ ଉପଯୋଗୀ। ଅତି ଯତ୍ନ ସହକାରେ ସଂଗୃହିତ କୋକୁନଗୁଡିକୁ ପୁନର୍ବାର ଗାଁକୁ ନିଅନ୍ତି ଓ ରେଶମ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରନ୍ତି। ଆପଣମାନେ ଜାଣନ୍ତି କି ଏହି ଟସର ପାଟକୁ ଜଙ୍ଗଲୀ ପାଟ କିମ୍ବା ବନ୍ୟ ପାଟ ମଧ୍ୟ କୁହାଯାଏ। ଏହା ଅନ୍ୟ ଶକ୍ତିଶାଳୀ ପ୍ରାକୃତିକ ତନ୍ତୁମାନଙ୍କ ମଧ୍ୟରୁ ଗୋଟିଏ।
ପରିବର୍ତ୍ତନ
ଗାଁରେ କୋକୁନଗୁଡିକୁ ଗରମ ପାଣିରେ ଭିଜାଇ ପ୍ରଥମେ ତନ୍ତୁଗୁଡ଼ିକୁ ନରମ କରାଯାଏ | ବହୁ ବର୍ଷର ଅଭିଜ୍ଞତା ସହିତ, କାରିଗରମାନେ ଧୀରେ ଧୀରେ ଯତ୍ନ ସହକାରେ କୋକୁନରୁ ସୂତା ବାହାର କରନ୍ତି | ପରେ ଏହି ସୂତାକୁ ରଙ୍ଗ କରି କପଡା ବୁଣିବା ପାଇଁ ପ୍ରସ୍ତୁତ କରାଯାଏ | ଏହି ରେଶମ ପାଟର ସ୍ୱତନ୍ତ୍ରତା ହେଉଛି ଏହାର ଗଠନ। ଏହା ମୋଟା କିନ୍ତୁ ନରମ ଏବଂ ଏହାର ସୁବର୍ଣ୍ଣ ରଙ୍ଗ ଯେପରି କପଡ଼ାରେ ପୃଥିବୀର ସ୍ପର୍ଶ ସଦୃଶ୍ୟ। ଏହାର ସୁବର୍ଣ୍ଣ ରଙ୍ଗ ସୁନାଠାରୁ ହାଲକା ଥିଲେ ମଧ୍ୟ ସମସ୍ତଙ୍କର ନଜରକୁ ଆକୃଷ୍ଟ କରିଥାଏ। ଆପଣମାନେ ଜାଣନ୍ତି କି ଏହାର ପ୍ରକୃତି ଅତ୍ୟନ୍ତ ମଜାଦାର। ଏହା ଆପଣଙ୍କୁ ଗରମରେ ଥଣ୍ଡା ଓ ଥଣ୍ଡାରେ ଗରମ ରଖିପାରେ ।
/filters:format(webp)/sambad/media/media_files/2025/08/01/cf6f8ebd-9dde-4258-9f36-e5e25e399fcb-2025-08-01-17-34-56.jpg)
ବୁଣାକାରଙ୍କ ସ୍ପର୍ଶ
ଗାଁର ଗୋଟିଏ କୋଣରେ ବୁଣାକାରମାନେ ସେମାନଙ୍କ କାମ ଆରମ୍ଭ କରନ୍ତି। ପ୍ରତି କୋଣ ଏବଂ ଅନୁକୋଣରେ ଗୁଜ୍ଜରିତ ହୁଏ ତନ୍ତର ଧ୍ୱନି ଓ ଏହି ବୁଣାକାରମାନେ ଯାଦୁକାର ସାଜି ସୂତାକୁ କପଡ଼ାରେ ପରିଣତ କରିଥାନ୍ତି ଏବଂ ସେଥିରୁ ନାନା ରକମର ରଙ୍ଗ ବେରଙ୍ଗୀ ଶାଢ଼ି, ଓଢଣୀ ଇତ୍ୟାଦି ପ୍ରସ୍ତୁତ କରନ୍ତି। ପ୍ରତିଟି ଖଣ୍ଡ ଏକ ସମୃଦ୍ଧ କଳାର ପ୍ରଦର୍ଶନ ଓ ଜଙ୍ଗଲର ମହତ୍ତ୍ୱରେ ଅନ୍ତର୍ଭୁକ୍ତ। ଟସର ରେଶମ ଶାଢ଼ିର ଗଠନ ଏବଂ ରଙ୍ଗ ଏକ ସୁସଜ୍ଜିତ ଦୃଶ୍ୟ ଭାବେ ପ୍ରତୀତ ହୁଏ। କାରିଗର ଶାଢିରେ ବିଭିନ୍ନ ଫୁଲ, ପଶୁ, ପକ୍ଷୀ ଇତ୍ୟାଦି ପରିକଳ୍ପନା କରି ଏକ ସ୍ୱତନ୍ତ୍ର ରୂପ ପ୍ରଦାନ କରେ। ଆପଣମାନେ ଜାଣନ୍ତି କି ଏହା ମଲବେରୀ ରେଶମଠାରୁ କମ ଉଜ୍ଜ୍ଵଳ ହେଲେ ମଧ୍ୟ ଏହାର ସୌନ୍ଦର୍ଯ୍ୟ ଓ ଗଠନ ହେତୁ ଶାଢ଼ୀ ଅଧିକ ଅବକ୍ଷୟ ଓ ଚମତ୍କାର ରୂପ ପାଇଥାଏ।
ପରମ୍ପରାର ରକ୍ଷକ
ବର୍ଷ ପରେ ବର୍ଷ ବିତିଲା ପରେ, ଏହି କଳା ବି ଆଗକୁ ବଢିବାକୁ ଲାଗିଲା। ଜଙ୍ଗଲ, ତାର ସମୃଦ୍ଧ ବିବିଧତା ସତ୍ତ୍ୱେ, ଏହି ଯାଦୁଗର ରେଶମର ଉତ୍ସ ହେଇ ରହିଲା। ବୁଣାକାର ଓ କାରିଗରମାନେ, ସେମାନଙ୍କର କୁଶଳୀ ହାତ ଓ ସୃଜନଶୀଳ ମନ ସହ ଏହି କଳାକୁ ଜୀବନ୍ତ ରଖିଲେ। ଟସର ପାଟ କେବଳ ଏକ କପଡା ନୁହେ, ଏହା ପ୍ରକୃତି ଓ ମାନବ ହସ୍ତଶିଳ୍ପ ମଧ୍ୟରେ ସମନ୍ୱୟର ଏକ ପ୍ରମାଣ। ଏହା ଏକ ସରଳ, ସୁନ୍ଦର ଓ ପରମ୍ପରାର ସ୍ମରଣକ।
/filters:format(webp)/sambad/media/media_files/2025/08/01/ac886f3f-3bd7-4985-a009-7f3e50b6b452-2025-08-01-17-45-50.jpg)
ସୁବର୍ଣ୍ଣ ସୂତ୍ର
ଏବଂ ଏହିପରି ଭାବେ ଜଙ୍ଗଲୀ ଟସରର କାହାଣୀ ଏବେ ମଧ୍ୟ ଜାରି ରହିଛି। ସମୟ ସହିତ ଏହାର ବୁଣା ଅତୀତକୁ ବର୍ତ୍ତମାନ ସହିତ ଓ ପ୍ରକୃତିର ଚିତ୍ରକଳା ସହିତ ଯୋଡ଼ିଛି। ପ୍ରତିଟି ଟସର କପଡା ବର୍ଣ୍ଣନା କରେ ଗୋଟିଏ କାହାଣୀ- କାହାଣୀ ଜଙ୍ଗଲର, ରେଶମ କୀଟର, କାରିଗର ଓ ବୁଣାକାରମାନଙ୍କର। ଏହା ମଧ୍ୟ ଚିତ୍ରିତ କରେ ପରମ୍ପରାର , ସ୍ଥିରତାର ଓ ପ୍ରକୃତିର ସୃଷ୍ଟିର ଅନନ୍ତ ସୌନ୍ଦର୍ଯ୍ୟର। ଆଗାମୀ ସମୟରେ ଯେବେ ଏକ ଟସର ରେଶମ ଖଣ୍ଡ ଉପରେ ହାତ ବୁଲେଇବ, ମନେ ରଖିବ ତୁମେ କେବଳ କପଡ଼ାକୁ ସ୍ପର୍ଶ କରୁନାହଁ, ବରଂ ସ୍ପର୍ଶ କରୁଛ ଜଙ୍ଗଲର ଗୋଟିଏ ସୃଷ୍ଟିକୁ, ରେଶମ କୀଟର କାହାଣୀକୁ ଓ କାରିଗରମାନଙ୍କ ପରମ୍ପରାକୁ। ଏହା ଏପରି ଏକ ସୁବର୍ଣ୍ଣ ସୂତା ଯାହା ଆମକୁ ପ୍ରାକୃତିକ ଦୁନିଆ ସହ ଚମତ୍କାର ଭାବେ ବାନ୍ଧି ରଖିଛି।