କେନ୍ଦୁଝର: ଜାପାନୀ ହତ୍ୟାକାଣ୍ଡର ପର୍ଦାଫାସ କରିଛି ସଦର ଥାନା ପୁଲିସ। ଦୀର୍ଘ ୧୧ ଦିନ ପରେ ହତ୍ୟାକାଣ୍ଡର ଦୁଇ ମୁଖ୍ୟ ଅଭିଯୁକ୍ତ ନିଶିକାନ୍ତ ନାଏକ (୨୭) ଓ ଉମାକାନ୍ତ ନାଏକ (୩୨)କୁ ପୁଲିସ ଗିରଫ କରିଛି। ଉଭୟ ଜାପାନୀଙ୍କ ସମ୍ପର୍କୀୟ ଭାଇ ବୋଲି ଜଣାପଡ଼ିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟାକାଣ୍ଡର ସୂତ୍ରପାତ ହୋଇଥିଲା ବୋଲି ପୁଲିସ କହିଛି।
ଗତ ୨୧ ତାରିଖ ସନ୍ଧ୍ୟାରେ ସଦର ଥାନା କାଠବାରୀ ଗାଁ ମୁଣ୍ଡରେ ସେହି ଗ୍ରାମର ଜାପାନୀ ନାଏକ (୪୫)ଙ୍କୁ କେହି ହତ୍ୟା କରି ରାସ୍ତା କଡ଼ରେ ଫିଙ୍ଗି ଦେଇଥିଲା। ଜାପାନୀଙ୍କୁ କିଏ ଓ କାହିଁକି ମାରିଲା ତାହା ସମ୍ପୂର୍ଣ୍ଣ ରହସ୍ୟ ଘେରରେ ଥିଲା। ଘଟଣାର ତଦନ୍ତ କରି ପୁଲିସ ଅଭିଯୁକ୍ତ ନିଶିକାନ୍ତ ଓ ଉମାକାନ୍ତକୁ ଗିରଫ କରିବା ପରେ ଉଭୟ ଜାପାନୀଙ୍କୁ ହତ୍ୟା କରିଥିବା ପୁଲିସ ଆଗରେ ସ୍ବୀକାର କରିଛନ୍ତି।
୨୦୧୬ ମସିହାରେ ଜମିବାଡ଼ି ସମ୍ପର୍କିତ ଝାମେଲାକୁ ନେଇ ଜାପାନୀ ଓ ଉମାକାନ୍ତଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଜାପାନୀଙ୍କ ମାଡ଼ରେ ଉମାକାନ୍ତଙ୍କ ଗୋଟିଏ ଆଖି ନଷ୍ଟ ହୋଇଯାଇଥିଲା। ସେହିଦିନ ଠାରୁ ଉମାକାନ୍ତ ପ୍ରତିଶୋଧ ନେବା ପାଇଁ ସୁଯୋଗ ଖୋଜୁଥିଲା। ଘଟଣା ଦିନ ଉମାକାନ୍ତ ଓ ନିଶିକାନ୍ତ ତାଙ୍କ ବାଡ଼ିରେ ଛିଡ଼ି ହୋଇଥିଲେ। ଏହି ସମୟରେ ଜାପାନୀ କାହା ସହ ବାଇକ୍‌ରେ ବାହାରକୁ ଯାଉଥିବା ଜାଣିବାକୁ ପାଇଥିଲେ। ଫେରିବା ବେଳେ ସନ୍ଧ୍ୟା ହୋଇଯାଇଥିବ। ନିଜର ବାଇକ ନଥିବାରୁ ଜାପାନୀ ଚାଲିଚାଲି ଘରକୁ ଫେରିବ ବୋଲି ଉମାକାନ୍ତ ଓ ନିଶିକାନ୍ତ ଅନୁମାନ କରିଥିଲେ। ଗାଁ ମୁଣ୍ଡରେ ଥିବା ପାଣିଟାଙ୍କି ନିକଟରେ କାଠ ଫାଳିଆ ଧରି ଛକି ବସିଥିଲେ। ସଂଧ୍ୟାରେ ଜାପାନୀ ଚାଲିଚାଲି ଘରକୁ ‌ଫେରୁଥିବା ବେଳେ ପାଣିଟାଙ୍କି ନିକଟରେ ଉଭୟ ତାଙ୍କୁ ଅଟକାଇ ଝଗଡ଼ା କରିଥିଲେ। ଉଭୟ ପକ୍ଷ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ନିଶିକାନ୍ତ ଧରିଥିବା କାଠ ଫାଳିଆରେ ଜାପାନୀଙ୍କୁ ଆକ୍ରମଣ କରିଥିଲା। ତାଙ୍କ ଛାତି ଓ ପେଟରେ ଶକ୍ତ ଆଘାତ ଲାଗିଥିଲା। ଶେଷରେ ଉଭୟ ଜାପାନୀଙ୍କୁ ରାସ୍ତାକଡ଼ ବିଲକୁ ଠେଲି ଦେଇ ତାଙ୍କ ଦୁଇ ଗୋଡ଼କୁ ଧରି ପକାଇଥିଲେ। ନିଶିକାନ୍ତ ଜାପାନୀଙ୍କ ଛାତିରେ ବସି କାଠ ଫାଳିଆରେ ତାଙ୍କ ବେକକୁ ଚାପି ଧରିଥିଲେ। ଜାପାନୀଙ୍କ ନାକରୁ ରକ୍ତସ୍ରାବ ହୋଇ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ନିଶିକାନ୍ତ ଓ ଉମାକାନ୍ତ ଜାପାନୀଙ୍କ ଶବକୁ ଘୋଷାରି ଆଣି ରାସ୍ତାକଡ଼ରେ ପକାଇ ଚାଲିଯାଇଥିଲେ ବୋଲି ପୁଲିସ ଆଗରେ କହିଥିବା ଜଣାପଡ଼ିଛି।
ଘଟଣା ପରଦିନ ଖବର ପାଇ ପୁଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଥିଲା। ହତ୍ୟାକାରୀଙ୍କୁ ଧରିବା ପାଇଁ ସଦର ଥାନାଧିକାରୀ ସ୍ମୃତିପ୍ରଭା ପ୍ରଧାନଙ୍କ ନିର୍ଦ୍ଦେଶରେ ଏକ ଟିମ୍‌ ଗଠନ କରାଯାଇଥିଲା। ଅତିରିକ୍ତ ଥାନାଧିକାରୀ ଦେବଯାନୀ ନାୟକଙ୍କ ନେତୃତ୍ବରେ ଏସ୍‌ଆଇ ତ୍ରିନାଥ ସେଠୀ, ରାଜେନ୍ଦ୍ର ଭୋଳ, ମାନସ କୁମାର ବେହେରା ଓ ଅନ୍ୟ କର୍ମଚାରୀ ବିଭିନ୍ନ ସ୍ଥାନରେ ଜାଲ ବିଛାଇଥିଲେ। ଆଜି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।