କେନ୍ଦୁଝର,(ସୁବ୍ରତ ସ୍ବାଇଁ): ବୈତରଣୀ ବନ୍ୟାରେ କେନ୍ଦୁଝର, ଭଦ୍ରକ ଓ ଯାଜପୁର ଜିଲ୍ଲା ପ୍ରଭାବିତ ହେବା କିଛି ନୂଆ କଥା ନୁହେଁ। ପ୍ରତିବର୍ଷ ବନ୍ୟାରେ ସରକାରୀ ସ୍ତରରେ ଯଦି ହଜାରେ କୋଟି ଟଙ୍କା ଖର୍ଚ୍ଚ ହୁଏ, ଚାଷୀକୁଳ ପ୍ରାୟ ଦୁଇ ହଜାର କୋଟିର କ୍ଷତି ସହିଥା’ନ୍ତି। ମାତ୍ର ଏସବୁ ସତ୍ତ୍ବେ ବୈତରଣୀରେ ବନ୍ୟା ନିୟନ୍ତ୍ରଣ ପାଇଁ ସରକାର କୌଣସି ଠୋସ୍ ପଦକ୍ଷେପ ନେଇନାହାନ୍ତି। ବୈତରଣୀର ଉପରମୁଣ୍ଡରେ ଯେଉଁ କାନପୁର ଜଳଭଣ୍ଡାର ନିର୍ମାଣ ଚାଲିଛି ତାହା ମଧ୍ୟ ବନ୍ୟା ନିୟନ୍ତ୍ରଣ କରିବାକୁ ସମର୍ଥ ନୁହେଁ ବୋଲି ବିଶେଷଜ୍ଞମାନେ ରୋକଠୋକ୍ କହିଲେଣି।
Sambad is now on WhatsApp
Join and get latest news updates delivered to you via WhatsApp
ବୈତରଣୀର ଉପରମୁଣ୍ଡରେ ପ୍ରାୟ ୪୦ ବର୍ଷ ଧରି ନିର୍ମାଣ ଚାଲିଛି କାନପୁର ଡ୍ୟାମ୍। ଏହି ଡ୍ୟାମ୍ର ଜଳଧାରଣ କ୍ଷମତା ହେଉଛି ୩୩କୋଟି ଘନମିଟର। ସେଣ୍ଟ୍ରାଲ ୱାଟର୍ କମିସନଙ୍କ ସୂଚନା ଅନୁସାରେ, କାନପୁର ଡ୍ୟାମ୍ ପାଖ ଚମ୍ପୁଆ ଅପେକ୍ଷା ଆନନ୍ଦପୁରଠାରେ ବୈତରଣୀର ଜଳସ୍ରୋତ ପାଖାପାଖି ୩୦ଗୁଣ ଅଧିକ। ଅର୍ଥାତ ୧୯୯୧ ମସିହାରୁ ୨୦୧୬ ମସିହା ପର୍ଯ୍ୟନ୍ତ ଚମ୍ପୁଆଠାରେ ୩୭୦ କ୍ୟୁମେକ୍ରୁ ସର୍ବାଧିକ ୩୭୬.୧୨୦ କ୍ୟୁମେକ୍ ଜଳ ପ୍ରବାହିତ ହୋଇଥାଏ। ମାତ୍ର ଆନନ୍ଦପୁରଠାରେ ପ୍ରତି ସେକେଣ୍ଡରେ ଏହାର ସର୍ବାଧିକ ପରିମାଣ ହେଉଛି ୧୦୩୯୪ କ୍ୟୁମେକ୍। ଏହାକୁ ଯଦି ଘନମିଟର ହିସାବ କରାଯାଏ ତେବେ ପ୍ରତିଦିନ ଆନନ୍ଦପୁର ଦେଇ ବନ୍ୟା ସମୟରେ ପ୍ରାୟ ୯୦ କୋଟି ଘନମିଟର ଜଳ ପ୍ରବାହିତ ହୁଏ। କିନ୍ତୁ କାନପୁର ଜଳଭଣ୍ଡାରର ଜଳ ସଂରକ୍ଷଣ କ୍ଷମତା ମାତ୍ର ୩୩ କୋଟି ଘନମିଟର। ଅର୍ଥାତ ଯେତିକି ଜଳ ନିଷ୍କାସନ ହେଉଛି ଅନ୍ତତଃ ଗୋଟିଏ ଦିନର ପାଣି ବି ସଂରକ୍ଷଣ କରି ରଖିବା କ୍ଷମତା କାନପୁର ଜଳଭଣ୍ଡାରର ନାହିଁ।
ବନ୍ୟା ନିୟନ୍ତ୍ରଣ, ଜଳ ସେଚନ ଏବଂ ବିଦ୍ୟୁତ୍ ଉତ୍ପାଦନ ଲକ୍ଷ୍ୟ ନେଇ ନଦୀବନ୍ଧ କରାଯାଇ ଜଳଭଣ୍ଡାର ନିର୍ମାଣ ହୋଇଥାଏ। ସେହି ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା କାନପୁର ଜଳଭଣ୍ଡାରର ନିର୍ମାଣ କାମ ସଂପୂର୍ଣ୍ଣ ହେଲା ପରେ ବି ଏହା ବୈତରଣୀରେ ବନ୍ୟା ନିୟନ୍ତ୍ରଣ କରିପାରିବ ନାହିଁ। କାରଣ ଏହାର ଉପର ମୁଣ୍ଡରେ ସୁନାନଦୀ, ମଲଦା, ଜଳପା, ରାଣୀମା ଭଳି ଉପନଦୀ ବୈତରଣୀରେ ମିଶିଥିବା ବେଳେ ତଳ ଭାଗରେ ପ୍ରାୟ ୨୦ରୁ ଊର୍ଦ୍ଧ୍ବ ଉପନଦୀ ବୈତରଣୀରେ ମିଶିଛି। କଙ୍ଗିରା, ମାଛକାନ୍ଦଣା, ଅରଡ଼େଇ, କାନଝାରୀ, ସୀତା, କୁକୁରକଟା, ମୂଷଳ, କୁଶେଇ, ଖଇରିଭଣ୍ଡନ, ଦେଓ, ତେଲ, ସିମିସିମି, ସାଳନ୍ଦୀ, କୁନ୍ଦୁର, ଧୋବାପିଟା, ଟମକାଯୋଡ଼ି, ଶଗଡ଼ିଆ, ଚାଟୁରୀ, କଣ୍ଟାମୂଳି, ମେମେର୍ଦା, ଜହ୍ନେଇ, ନେଉଳଯୋରି, ମୁହାଁଣ, ସିମିଳି, ତଣ୍ଡିଯୋଡ଼ା, ଭାଲୁଘର, ଦଲକି ବୈତରଣୀରେ ମିଶିଛନ୍ତି। ଯେଉଁଥିପାଇଁ କାନପୁର ଡ୍ୟାମ୍ର ଉପର ମୁଣ୍ଡ ଅପେକ୍ଷା ତଳମୁଣ୍ଡ ଅର୍ଥାତ ଆନନ୍ଦପୁର ଅଞ୍ଚଳରେ ଅଧିକ ଉପନଦୀ ଥିବାରୁ ବର୍ଷା ହେଲେ ଏହି ପାଣି ବୈତରଣୀରେ ମିଶି ବନ୍ୟା ପରିସ୍ଥିତି ସୃଷ୍ଟି କରିଥାଏ।
ବିଶେଷଜ୍ଞଙ୍କ କହିବା ଅନୁସାରେ, ଷାଠିଏ ଦଶକରେ ବାରମ୍ବାର ସର୍ଭେ ହୋଇ ଶୀତଳଭଣ୍ଡାରକୁ ଯାଇଥିବା ଭୀମକୁଣ୍ଡ ଜଳଭଣ୍ଡାର ପ୍ରକଳ୍ପ ଯଦି କାର୍ଯ୍ୟକାରୀ ହୋଇଥାନ୍ତା ତେବେ ବୈତରଣୀରେ ବଡ଼ ବନ୍ୟା ଦେଖିବାକୁ ମିଳି ନଥାନ୍ତା। ଏଠାରେ ୨୦ରୁ ଊର୍ଦ୍ଧ୍ବ ଉପନଦୀ ବୈତରଣୀରେ ମିଶିଥିବାରୁ ଏହି ଜଳକୁ ଜଳଭଣ୍ଡାରରେ ଅଟକ ରଖି ନିୟନ୍ତ୍ରିତ ଢଙ୍ଗରେ ଛଡ଼ା ଯାଇଥା’ନ୍ତା। ସେହିପରି ପାଟଣାଠାରେ ଆର୍ସେଲର ମିତ୍ତଲ ଯଦି ନିଜ ପ୍ଲାଣ୍ଟ ପ୍ରତିଷ୍ଠା କରିଥାନ୍ତା, ତେବେ ବନ୍ୟା ନିୟନ୍ତ୍ରଣରେ ମଧ୍ୟ ଏହା ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତା। କମ୍ପାନିର ଯୋଜନା ଅନୁସାରେ, ବୈତରଣୀର ରାଜନଗରଠାରେ ନଦୀଜଳକୁ ଅଟକାଇବା ପାଇଁ ଚେକ୍ଡ୍ୟାମ୍ ହୋଇଥାନ୍ତା। ଏଠାରୁ ବୈତରଣୀର ପାଣିକୁ ନେଇ କମ୍ପାନି କାମରେ ବ୍ୟବହାର କରାଯାଇଥା’ନ୍ତା। ଏହାଦ୍ବାରା ରାଜନଗରଠାରୁ ମଧ୍ୟ ବୈତରଣୀରେ ନିୟନ୍ତ୍ରିତ ଢଙ୍ଗରେ ପାଣି ଛଡ଼ା ଯାଇପାରିଥା’ନ୍ତା।
ପ୍ରତିବର୍ଷ ବନ୍ୟା ପ୍ରସ୍ତୁତି ଏବଂ ବନ୍ୟା ପରବର୍ତ୍ତୀ କ୍ଷୟକ୍ଷତିରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଛି। ଏଭଳି ସ୍ଥଳେ କାନପୁର ଜଳଭଣ୍ଡାର ଅଳ୍ପ ପରିମାଣର ଜଳ ସଂରକ୍ଷଣ କରିବାକୁ ସମର୍ଥ ତାହା ଜାଣି ମଧ୍ୟ ପ୍ରାୟ ୪୦ ବର୍ଷ ଧରି ଏହାର ନିର୍ମାଣ କାମ ଶେଷ ହେଉନାହିଁ। ଏ ସଂପର୍କରେ କେନ୍ଦୁଝର ନାଗରିକ ମଞ୍ଚ ସଭାପତି କିରଣ ଶଙ୍କର ସାହୁ କହିଛନ୍ତି, ୨୪୩୮ କୋଟି ଟଙ୍କା ବ୍ୟାୟରେ କାନପୁର ଡ୍ୟାମ୍ କରିବା ସତ୍ତ୍ବେ ଏବେ ସୁଦ୍ଧା ଏହାର କାମ ସମ୍ପୂ୍ର୍ଣ୍ଣ ହୋଇନାହିଁ। ଆଗକୁ ମଧ୍ୟ ଏହା ସମ୍ପୂର୍ଣ୍ଣ ହେବ ନାହିଁ। ଡ୍ୟାମ୍ କାମ ସମ୍ପୂର୍ଣ୍ଣ ହେଲେ ହୁଏତ ବୈତରଣୀ ବନ୍ୟା ମୁକାବିଲାରେ ଏହା ଏକ ପ୍ରମୁଖ ଭୂମିକା ତୁଲାଇ ପାରନ୍ତା ବୋଲି ସେ କହିଛନ୍ତି। ଖାଲି ସେତିକି ନୁହେଁ, ଯଦି ବୈଷୟିକ ସର୍ଭେ କରାଯାଇ ବୈତରଣୀରେ ଆଉ ଏକ ଜଳଭଣ୍ଡାର କରାଯାଇପାରନ୍ତା ତେବେ ଏଭଳି ବଡ଼ ବନ୍ୟାକୁ ନିୟନ୍ତ୍ରଣରେ ରଖାଯାଇ ପାରନ୍ତା ବୋଲି ସେ ମତ ଦେଇଛନ୍ତି।