କେନ୍ଦୁଝର ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ: ଅସଂରକ୍ଷିତ ପାଇଁ ଉତ୍ସାହ ଅଧିକା

ଦୀର୍ଘ ୨୫ ବର୍ଷ ପରେ ହେଲା ଅସଂରକ୍ଷିତ

କେନ୍ଦୁଝର, (ସୁବ୍ରତ ସ୍ବାଇଁ): କେନ୍ଦୁଝର ଭଳି ଆଦିବାସୀ ବହୁଳ ଜିଲ୍ଲାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଅସଂରକ୍ଷିତ ରହିବା ପରେ ଏବେ ସାଧାରଣବର୍ଗର ଆଶାୟୀମାନେ ବେଶ ଉତ୍ସାହିତ ଅଛନ୍ତି। ଏହି ପଦବି ପାଇବା ପାଇଁ ସ୍ବାଭାବିକ ଭାବେ ଶାସକ ଦଳ ବିଜେଡିରୁ ମାଳମାଳ ଆଶାୟୀ ଥିବାବେ‌ଳେ ବିଜେପି ଏବଂ କଂଗ୍ରେସରେ ମଧ୍ୟ ଏହି ସଂଖ୍ୟା କମ୍‌ ନୁହେଁ। ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପୂର୍ବରୁ ଚିଠା ତାଲିକାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବି ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଥିଲା। ସେତେବେଳେ ଅନୁସୂଚିତ ଜନଜାତି ବର୍ଗର ନାରୀନେତ୍ରୀ ବିଶେଷ କରି ବିଜେଡି ନେତ୍ରୀଙ୍କ ଉପରେ ନଜର ରହିଥିଲା। ମହିଳା ବିଜେଡି ସଭାନେତ୍ରୀ ରମଣୀ ନାଏକ ଏବଂ ବିଜେପିର ମମିତା ନାଏକଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲା। କିନ୍ତୁ ଚୂଡ଼ାନ୍ତ ତାଲିକାରେ ଅଧ୍ୟକ୍ଷ ପଦବି ଅସଂରକ୍ଷିତ ରହିବା ପରେ ଆଶାୟୀଙ୍କ ସଂଖ୍ୟା ବଢ଼ିଯାଇଛି। ପୂର୍ବରୁ କେନ୍ଦୁଝର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ମାତ୍ର ଥରଟିଏ ଅସଂରକ୍ଷିତ ଥିଲା। ଥରେ ଓବିସି ଏବଂ ଥରେ ମହିଳାଙ୍କ ପାଇଁ ସଂରକ୍ଷିତ ଥିଲା। ବାକି ସବୁଥର ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ରହୁଥିଲା। ୧୯୯୭ ମସିହାରେ କଂଗ୍ରେସର ଦେବକୀନନ୍ଦନ ମହାନ୍ତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ହୋଇଥିବା ବେଳେ ୨୦୦୭ ମସିହାରେ ଓବିସି ପ୍ରାର୍ଥୀ ଭାବେ ବନବିହାରୀ ପହି ଏବଂ ୨୦୧୨ ମସିହାରେ ମହିଳା ପ୍ରାର୍ଥୀ ଭାବେ ଶାରୀଲତା ପୃଷ୍ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷା ହୋଇଥିଲେ।

Deccan Chronicle

୧୯୯୭ ମସିହା ପରେ ଅର୍ଥାତ୍‌ ୨୫ ବର୍ଷ ବ୍ୟବଧାନରେ ଏହି ପଦବି ଅସଂରକ୍ଷିତ ରହିଥିବାରୁ ସାଧାରଣବର୍ଗର ଆଶାୟୀମାନେ ବେଶ ଉତ୍ସାହିତ ଅଛନ୍ତି। ଶାସକ ବିଜେଡି କଥା ଆଲୋଚନା କଲେ, ଏହି ଦଳରେ ସବୁଠାରୁ ଅଧିକ ଆଶୟୀ ଥିବା ଜଣାଯାଇଛି। ବିଶେଷ କରି ୬ ନମ୍ବର ଜୋନ୍‌ରୁ ଏକାଧିକ ନେତା ଏହି ପଦବି ପାଇବାକୁ ଅନାଇ ବସିଛନ୍ତି। କେସିସି ବ୍ୟାଙ୍କର ପୂର୍ବତନ ସଭାପତି ତଥା ବରିଷ୍ଠ ବିଜେଡି ନେତା କାନନ ବିହାରୀ ପହି, ପୂର୍ବତନ ଜିଲ୍ଲା ସଭାପତି ଆଶିଷ ଚକ୍ରବର୍ତ୍ତୀଙ୍କ ଘର ଏହି ଜୋନ୍‌ରେ ରହିଛି। ସାଧାରଣତଃ କେନ୍ଦୁଝର ଜିଲ୍ଲାର ବିଭିନ୍ନ ବିଧାନସଭା ଏବଂ ଲୋକସଭା ନିର୍ବାଚନ କ୍ଷେତ୍ରରେ ପ୍ରାର୍ଥୀ ହେବାକୁ ସାଧାରଣବର୍ଗଙ୍କୁ ସୁଯୋଗ ମିଳେ ନାହିଁ। ତେଣୁ ଚଳିତ ଥର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବି ହାତେଇବା ପାଇଁ ଏହି ଦୁଇ ବରିଷ୍ଠ ନେତା ଆଶାୟୀ ଥିବା ସୂଚନା ମିଳିଛି। ଏହାଛଡ଼ା ବିଧାୟକ ବଦ୍ରି ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର, ପୂର୍ବତନ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ବାଳ ଏବଂ ସୁରେନ୍ଦ୍ର ଜେନାଙ୍କ ଭଳି ଏକାଧିକ ନେତା ମଧ୍ୟ ଆଶାୟୀ ତାଲିକାରେ ଥିବା ଚର୍ଚ୍ଚା ହେଉଛି।

newslaundry.com

ବିଜେପିରେ ମଧ୍ୟ ଏହି ସଂଖ୍ୟା କିଛି କମ୍‌ ନୁହେଁ। ଖୋଦ୍‌ ବିଜେପି ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ନିଜେ ଏହି ପଦବି ପାଇଁ ଆଶାୟୀ ଅଛନ୍ତି। ଏହାଛଡ଼ା ୬ ନମ୍ବର ଜୋନ୍‌ରୁ ବିଜେପିର ବରିଷ୍ଠ ନେତା ଦିଲୀପ ପଣ୍ଡା, ଜିଲ୍ଲା ପରିଷଦ ସଦସ୍ୟ ଅନୁବ୍ରତ ବେହେରା ପ୍ରମୁଖ ଏହି ଦୌଡ଼ରେ ଅଛନ୍ତି। ଗତଥର ଖୁବ୍‌ କମ୍‌ ଜିଲ୍ଲା ପରିଷଦ ଜୋନ୍‌ରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିଲେ। ଏଥର ଯଦି କିଛି ଚମତ୍କାରିତା ହୁଏ ତେବେ ଏହି ପଦବିର ଦାବିଦାର ହେବାକୁ ବିଜେପି ପ୍ରାର୍ଥୀମାନେ ସମର୍ଥ ହେବେ ବୋଲି କୁହାଯାଇଛି। ଏହାଛଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବି ପାଇଁ ଆଶାୟୀଙ୍କ ସଂଖ୍ୟା ବଢ଼ୁଥିବାରୁ ଦଳୀୟ ନେତୃବର୍ଗଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ସେହିପରି ଗତ ପଞ୍ଚାୟତ ନିର୍ବାଚନରେ ଯଦିଓ କଂଗ୍ରେସ କୌଣସି ଜିଲ୍ଲା ପରିଷଦ ଜୋନ୍‌ରେ ଖାତା ଖୋଲିପାରି ନ ଥିଲା, ତଥାପି ଏଥର କିଛି ଆଶାୟୀ ଦଳୀୟ ଟିକଟ ପାଇବାକୁ ପାଗ ଭିଡ଼ିଲେଣି। ୬ ନମ୍ବର ଜୋନ୍‌ରେ ପିସିସି ସଂପାଦକ ସଂଗ୍ରାମ ଦାସ ପ୍ରାର୍ଥୀ ହେବାକୁ ଆଶାୟୀ ଥିବାବେଳେ ଚମ୍ପୁଆ ବିଧାୟକ ପ୍ରାର୍ଥୀ ଯଦୁମଣି ବାରିକ, ରତିକାନ୍ତ ବରାଳଙ୍କ ଭଳି ବରିଷ୍ଠ ନେତା ମଧ୍ୟ ଏହି ଦୌଡ଼ରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ମୋଟାମୋଟି ଭାବେ  ଦ୍ବିତୀୟ ଥର ପାଇଁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବି ଅସଂରକ୍ଷିତ ଥିବାରୁ ଏଥର ସାଧାରଣବର୍ଗରୁ ମାଳମାଳ ନେତା‌ ନିଜକୁ ପ୍ରସ୍ତୁତ କରୁଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର