ତିନିବର୍ଷ ହେଲା ବସିନାହିଁ ଆର୍‌ପିଡିଏସି ବୈଠକ: କେନ୍ଦୁଝର ଜିଲ୍ଲାରେ ଖଣି, ଶିଳ୍ପସଂସ୍ଥା ସମ୍ପର୍କରେ ହୋଇପାରୁନି ଆଲୋଚନା

କେନ୍ଦୁଝର : ଖଣିଖାଦାନ ଭରା କେନ୍ଦୁଝର ଜିଲ୍ଲାରେ ଥଇଥାନ ଏବଂ ପୁନର୍ବାସ ଏକ ବଡ଼ ପ୍ରସଙ୍ଗ। ଏହି ପ୍ରସଙ୍ଗକୁ ପ୍ରଶାସନ ଯେଭଳି ଭାବେ ଗୁରୁତ୍ବ ଦେବା କଥା ତାହା ଦେଉନାହିଁ। ଥଇଥାନ ଓ ପାରିପାର୍ଶ୍ବିକ ଉନ୍ନୟନ ପରାମର୍ଶଦାତା କମିଟି (ଆର୍‌ପିଡିଏସି) ବୈଠକ ଜିଲ୍ଲାରେ ତିନିବର୍ଷ ହେଲା ବସିନାହିଁ। ଫଳରେ କେନ୍ଦୁଝର ଜିଲ୍ଲାର ଖଣି, ଶିଳ୍ପସଂସ୍ଥା ଏବଂ କାନପୁର ଜଳସେଚନ ପ୍ରକଳ୍ପ ଦ୍ବାରା କ୍ଷତିଗ୍ରସ୍ତଙ୍କ ଥଇଥାନ ସଂପର୍କରେ ଆଲୋଚନା ହୋଇପାରୁ ନାହିଁ କି ସମସ୍ୟା ସମାଧାନ ହୋଇପାରୁ ନାହିଁ।

କେନ୍ଦୁଝର ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପ ପାଇଁ ଲୋକେ କ୍ଷତିଗ୍ରସ୍ତ ହୋଇ ନିଜ ଭିଟାମାଟି ଛାଡ଼ୁଛନ୍ତି। ବର୍ତ୍ତମାନ ଜିଲ୍ଲାରେ କାନପୁର ଜଳସେଚନ ପ୍ରକଳ୍ପ ଦ୍ବାରା ବିସ୍ଥାପିତଙ୍କ ଥଇଥାନ ସମସ୍ୟା ସବୁଠୁ ବଡ଼ ପ୍ରସଙ୍ଗ। ପ୍ରତି ୩ ମାସରେ ଥରେ ଆର୍‌ପିଡିଏସି ବୈଠକ ବସିବା ନେଇ ଗାଇଡ୍‌ଲାଇନ୍‌ ଥିବାବେଳେ କେନ୍ଦୁଝର ଜିଲ୍ଲାରେ ତିନିବର୍ଷ ମଧ୍ୟରେ ଥରଟିଏ ବି ଏହି ବୈଠକ ବସିନାହିଁ। ସରକାରୀ ସୂଚନା ଅନୁସାରେ, ଶେଷଥର ପାଇଁ ୨୦୧୮ ମେ ୨୩ ତାରିଖରେ ଆର୍‌ପିଡିଏସି ବୈଠକ ବସିଥିଲା। ଏହି ବୈଠକରେ କାନପୁର ବୃହତ୍‌ ଜଳସେଚନ ପ୍ରକଳ୍ପ ଏବଂ ଦୁଇଟି ଶିଳ୍ପସଂସ୍ଥା ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କ ଥଇଥାନ ସଂପର୍କରେ ଆଲୋଚନା ହୋଇଥିଲା। ବିଶେଷ କରି କାନପୁର ପ୍ରକଳ୍ପର ବିସ୍ଥାପିତଙ୍କ ଥଇଥାନ ବୈଠକର ପ୍ରମୁଖ ପ୍ରସଙ୍ଗ ଥିଲା। ଏଥିରେ ତତ୍କାଳୀନ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ (ଆର୍‌ଡିସି) ଡି.ଭି. ସ୍ୱାମୀ ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ଆଶିଷ ଠାକ୍‌ରେ, ଥଇଥାନ ଓ ପୁନର୍ବାସ ନିର୍ଦ୍ଦେଶକ ତଥା ଜଳସମ୍ପଦ ବିଭାଗ ଅତିରିକ୍ତ ଶାସନ ସଚିବ ଜ୍ୟୋତିପ୍ରକାଶ ଦାଶ, ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହା ପରଠାରୁ ଆଉ ଜିଲ୍ଲାରେ‌ ଆର୍‌ପିଡିଏସି ବୈଠକ ବସିନି।

Down To Earth

ଡି.ଭି. ସ୍ବାମୀଙ୍କ ବଦଳି ପରେ ଆର୍‌ଡିସି ଭାବେ ନିରଞ୍ଜନ ସାହୁ ଯୋଗ ଦେଇଥିଲେ। ତାଙ୍କର ମଧ୍ୟ ବଦଳି ହୋଇ ସାରିଲାଣି। ନୂଆ ଆର୍‌ଡିସିଭାବେ ଭୀମସେନ ପୁନମକାନ୍ତ ଏକ୍କା ଯୋଗଦେବାର ଛଅମାସରୁ ଅଧିକ ହେଲାଣି। କିନ୍ତୁ ଆର୍‌ପିଡିଏସି ବୈଠକ ସମ୍ପର୍କରେ କାହାରି ମନେ ପଡ଼ୁନାହିଁ। ଏହି ବୈଠକ ବସୁ ନଥିବାରୁ ବିସ୍ଥାପିତଙ୍କ ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଗତ ଆର୍‌ପିଡିଏସି ବୈଠକରେ ବିସ୍ଥାପିତ ପରିବାରର ୧୮ରୁ ୩୫ବର୍ଷ ଯୁବକ/ଯୁବତୀଙ୍କ ରୋଜଗାର ଓ ନିଯୁକ୍ତି ପନ୍ଥା ସୁଗମ କରିବା ପାଇଁ ସେମାନଙ୍କୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ସାମିଲ କରିବା ଏବଂ ଏ ଦିଗରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେବାପାଇଁ ତତ୍କାଳୀନ ଆର୍‌ଡିସି ଶ୍ରୀ ସ୍ୱାମୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ସେହିପରି ୧୦ ଡିସିମିଲ ଲେଖାଏଁ ଘରଡିହ ପାଇବା ପାଇଁ ପ୍ରାୟ ୩୫୦ ବିସ୍ଥାପିତ ପରିବାର ଆବେଦନ କରିଥିଲେ। ସେମାନଙ୍କୁ ଜମି ଯୋଗାଇଦେବାକୁ ନିଷ୍ପତ୍ତି ହୋଇଥିଲା। ବିରିକଳା, ଦଡ଼ୁଆଁ ଓ ଧୋବାକୁଚୁଡ଼ା ଗ୍ରାମରେ ନୂତନ ଭାବେ ତିନିଟି କଲୋନି ଚିହ୍ନଟ କରିବା ଓ ଏହାର ବିକାଶ ପାଇଁ ୬୨ କୋଟି ୭୦ ଲକ୍ଷ ୫୬ ହଜାର ଟଙ୍କା ଖର୍ଚ୍ଚ କରିବା ନେଇ କାର୍ଯ୍ୟଖସଡ଼ା ଉପରେ ଆଲୋଚନା ହୋଇ ଏହାକୁ ଅନୁମୋଦନ କରାଯାଇଥିଲା। ମାତ୍ର ଆର୍‌ଡିସିଙ୍କ ନିର୍ଦେଶ ଅଦ୍ୟାବଧି ପାଳନ କରାଯାଇ ନଥିବା ବିସ୍ଥାପିତମାନେ ଅଭିଯୋଗ କରିଛନ୍ତି।

ଗତ ସେପ୍ଟେମ୍ବର ଶେଷ ସପ୍ତାହରେ କେନ୍ଦୁଝରରେ ବର୍ଷା ଲାଗି ରହିଥିଲା। ଏହା ସତ୍ତ୍ବେ କାନପୁର ପ୍ରକଳ୍ପ କର୍ତ୍ତୃପକ୍ଷ ଓ ପ୍ରଶାସନ ଥଇଥାନ ହୋଇ ନଥିବା ମୁରୁସୁଆଁ ଗାଁର ୧୪ଟି ପରିବାରର ଘର ଭାଙ୍ଗି ଦେଇଥିଲେ। ଏହି ପରିବାର ବର୍ଷାରେ ଭିଜିଥିଲେ। ବିସ୍ଥାପିତଙ୍କ କହିବା କଥା ହେଉଛି, ସେମାନଙ୍କ ପାଇଁ ସ୍ଥାନୀୟ ମୁକୁନ୍ଦପୁର ଗ୍ରାମରେ ଯେଉଁ ଥଇଥାନ କଲୋନି ନିର୍ମାଣ କରାଯାଇଛି ତାହା ରହିବା ଯୋଗ୍ୟ ନୁହେଁ। ଏଠାରେ ବିଦ୍ୟାଳୟ , ଅଙ୍ଗନବାଡ଼ି କେନ୍ଦ୍ର, ପାନୀୟଜଳ ବ୍ୟବସ୍ଥା, ପାଇଖାନା, ଶ୍ମଶାନ, ଠାକୁରାଣୀ ଘର ଓ ପୋଖରୀ ଆଦି ନାହିଁ। ଏଭଳି ସ୍ଥିତିରେ ବିସ୍ଥାପିତ କଲୋନିକୁ ସ୍ଥାନାନ୍ତର ହେବା ସମ୍ଭବ ନୁହେଁ। ଯଦି ନିୟମିତ ବ୍ୟବଧାନରେ ଆର୍‌ପିଡିଏସି ବୈଠକ ବସନ୍ତା ହୁଏତ ଏହି ସମସ୍ୟା ହୋଇ ନଥାନ୍ତା। ମାତ୍ର ବୈଠକ ନିୟମିତ ବସୁ ନଥିବାରୁ ବିସ୍ଥାପିତଙ୍କ ସମସ୍ୟା ଦିନକୁ ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର