କେନ୍ଦୁଝର, (ସୁବ୍ରତ ସ୍ବାଇଁ): ମହାନଦୀ ପାଇଁ ଛତିଶଗଡ ସହିତ, ପୋଲାଭରମ ଓ ବଂଶଧାରା ନଦୀର ପାଣି ପାଇଁ ଆନ୍ଧ୍ରପ୍ରଦେଶ ସହିତ ରାଜ୍ୟ ସରକାରଙ୍କର ଆଇନଗତ ଯୁଦ୍ଧ ଚାଲିଛି। କିନ୍ତୁ ଓଡ଼ିଶାର ନିଜସ୍ବ ନଦୀ ବୈତରଣୀର ବିକାଶ ପାଇଁ ସରକାରଙ୍କର ଆନ୍ତରିକତା ନାହିଁ। ବରଂ ନିୟମିତ ଭାବେ ସରକାରୀ ପ୍ରାୟୋଜିତ ଶୋଷଣର ଶିକାର ହେଉଛି ବୈତରଣୀ। ବୈତରଣୀର ନଦୀ ଜଳକୁ ପ୍ରଚୁର ପରିମାଣର ବ୍ୟବହାର ପାଇଁ ବିଭିନ୍ନ ଶିଳ୍ପସଂସ୍ଥାକୁ ଅନୁମତି ଦିଆଯାଇଛି। ପ୍ରାୟ ୮୦ରୁ ଊର୍ଦ୍ଧ୍ବ ବୃହତ୍ତ ଶିଳ୍ପ ସଂସ୍ଥାକୁ ଭୂତଳ ଜଳ ସଂଗ୍ରହ ପାଇଁ ଅନୁମତି ଦେବା ପରେ ବୈତରଣୀକୁ ଅଧାଦିନ ଶୁଖିଲା ପକାଇବାର ବାଟ ଖୋଲି ଦିଆଯାଇଛି। ମୋଟାମୋଟି ଭାବେ ବିକାଶ ଅପେକ୍ଷା ଶୋଷଣର ଶିକାର ହେଉଛି ବୈତରଣୀ।
କଥାରେ ଅଛି-ନଈକୁ ପାଣି ସୁନ୍ଦର। ଅର୍ଥାତ ନଈରେ ପାଣି ଥିଲେ ନଈ ସୁନ୍ଦର ଦିଶେ। କିନ୍ତୁ ବୈତରଣୀ କଥା ନିଆରା। ଏହି ବୈତରଣୀ କେବେ ବନ୍ୟା ପ୍ଲାବିତ ତ କେବେ ପାଦ ବୁଡେଇବାକୁ ବି ପାଣି ନଥାଏ। ଗତ କିଛିଦିନ ମଧ୍ୟରେ କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଜିଲ୍ଲାର ଅର୍ଦ୍ଧାଧିକ ଅଞ୍ଚଳ ବୈତରଣୀ ବନ୍ୟାରେ ଉବୁଟୁବୁ ହେଉଛି। ଏବେ ଘର ଭିତରେ ବୈତରଣୀର ପାଣି ପଶି ଯାଉଥିବାବେଳେ ଖରାଦିନେ ପାଦ ଧୋଇବାକୁ ପାଣି ମିଳେନା । ଖରାଦିନେ ପ୍ରାୟ ୪ ମାସ ପର୍ଯ୍ୟନ୍ତ ବୈତରଣୀରେ ପାଣି ନ ଥାଏ। ବୈତରଣୀ କୂଳରେ ଗଢ଼ି ଉଠିଥିବା ବିଶାଳ ଶିଳ୍ପାଞ୍ଚଳ ହିଁ ଅନେକାଂଶରେ ନଦୀ ଶୁଖିଲା ପଡ଼ିବା ପାଇଁ ଦାୟୀ ବୋଲି ବିଶେଷଜ୍ଞଙ୍କ ମତ।
ସୂଚନା ଅଧିକାର ତଥ୍ୟ ଅନୁସାରେ, ବୈତରଣୀର ଉପରି ଭାଗରୁ ଦୁଇଟି ଉପାୟରେ ଶତାଧିକ ଶିଳ୍ପ ସଂସ୍ଥା ଜଳ ସଂଗ୍ରହ କରିଥାନ୍ତି। ପ୍ରଥମତଃ ନଦୀରେ ଇନ୍ଟେକ ୱେଲ କରି ଜଳ ସଂଗ୍ରହ ହେଉଥିବାବେଳେ ଆଉ କିଛି ଶିଳ୍ପ ସଂସ୍ଥାକୁ ଗଭୀର ନଳକୂପ ଖନନ କରି ଜଳ ସଂଗ୍ରହ କରିବାକୁ ଅନୁମତି ଦିଆଯାଇଛି। କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡର ସୂଚନା ଅନୂସାରେ କେନ୍ଦୁଝରରେ ୮୧ଟି ଶିଳ୍ପ ସଂସ୍ଥାକୁ ଗଭୀର ନଳକୂପ ପାଇଁ ଅନୁମତି ଦିଆଯାଇଛି। ବୈତରଣୀ କୂଳରେ ଏହି ସବୁ ଶିଳ୍ପସଂସ୍ଥା ଥିବାରୁ ବହୁଳ ମାତ୍ରାରେ ଭୂତଳ ଜଳ ସଂଗ୍ରହ ହେବା ଦ୍ବାରା ବୈତରଣୀ ସିଧାସଳଖ ପ୍ରଭାବିତ ହେଉଛି। ବୈତରଣୀରୁ ଇନ୍ଟେକ ୱେଲ କରି ତିନୋଟି ଶିଳ୍ପ ସଂସ୍ଥା ଜିନ୍ଦଲ, ବିଆରପିଏଲ ଏବଂ ଏସାର(ବର୍ତ୍ତମାନ ମିତ୍ତଲ ) ଘଣ୍ଟାକୁ ୪୩ କିଲୋ ଲିଟର ପାଣି ସଂଗ୍ରହ କରିଥାନ୍ତି। ଅର୍ଥାତ ଦିନକୁ ଏହି ତିନୋଟି ଶିଳ୍ପ ସଂସ୍ଥା ୧୦୩୨ କିଲୋଲିଟର ପାଣି ସଂଗ୍ରହ କରିଥାନ୍ତି। ଏହି ତିନୋଟି ଶିଳ୍ପ ସଂସ୍ଥା ଦିନକୁ ପ୍ରାୟ ୫ ଗୁଣ ଅଧିକ ଭୂତଳ ଜଳ ଶୋଷିଥାନ୍ତି। କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡର ସୂଚନା ଅନୂସାରେ ଦିନକୁ ବିଆରପିଏଲ ୪୮୦୦ କିଲୋଲିଟର ଭୂତଳ ଜଳ ସଂଗ୍ରହ କରୁଥିବା ବେଳେ ଜେଏସ୍ପିଏଲ ଦୈନିକ ୬୬୦ କିଲୋଲିଟର ଭୂଳତ ଜଳ ବ୍ୟବହାର କରିଥାଏ। ୮୧ଟି ବଡ଼ ବଡ଼ ଶିଳ୍ପ ସଂସ୍ଥା ଦୈନିକ ୭୦,୪୩୯ କିଲୋଲିଟର ଭୂତଳ ଜଳ ଶୋଷିଥା’ନ୍ତି। ଏହାସହ ବୈତରଣୀର ଉପରି ଭାଗରେ ଏବଂ ବୈତରଣୀର କୂଳେ କୂଳେ ପ୍ରାୟ ୨୫୦ଟି ଲୁହାପଥର କ୍ରସର ନିଜର ଆବଶ୍ୟକତା ପାଇଁ ମନଇଚ୍ଛା ବୈତରଣୀ ପାଣି ଶୋଷି ନିଅନ୍ତି। ଏହାବାଦ୍ ବେଆଇନ ଭାବେ ଏକାଧିକ ବୋରିଂ କରି ଭୂତଳ ଜଳ ଶୋଷଣ ଚାଲିଛି। ବର୍ଷାଦିନେ ବୈତରଣୀ ଉପରେ ଏହା କୌଣସି ପ୍ରଭାବ ପକାଉ ନଥିବାବେଳେ ଖରାଦିନେ ସ୍ଥିତି ସଂଗିନ୍। ଶିଳ୍ପସଂସ୍ଥା ପାଇଁ ଖରାଦିନେ ବୈତରଣୀର ଅଧିକାଂଶ ଅଞ୍ଚଳ ଶୁଖିଲା ପଡ଼ିଥାଏ।
୧୯୯୨ ମସିହାଠରୁ ୨୦୦୯ ମସିହା ପର୍ଯନ୍ତ ଜଳ ବ୍ୟବହାର ତଥ୍ୟକୁ ଆଧାର କରି କେନ୍ଦ୍ରୀୟ ଜଳ ଆୟୋଗ ପକ୍ଷରୁ ହୋଇଥିବା ଆକଳନ ପ୍ରକାରେ ଆଗାମୀ ଦିନରେ ବୈତରଣୀର ଉପରିଭାଗ ବାସୁଦେବପୁର ଅଞ୍ଚଳ ଦେଇ ଯେତିକି ପରିମାଣର ଜଳ ସ୍ରୋତ ପ୍ରବାହିତ ହେଉଛି, ସେଥିରୁ ସର୍ବାଧିକ ଶିଳ୍ପ ସଂସ୍ଥା ଶୋଷିନେବ। ଅର୍ଥାତ୍ ଏହି ଜଳସ୍ରୋତର ମାର୍ଚ୍ଚ ମାସରେ ୭୨ ପ୍ରତିଶତ ଜଳ ବିଭିନ୍ନ ଶିଳ୍ପ ସଂସ୍ଥା ପାଇଁ ଆବଶ୍ୟକ ହେବାକୁ ଥିବା ବେଳେ ଏପ୍ରିଲ ମାସରେ ଏହା ୮୭ ପ୍ରତିଶତ ଏବଂ ମେ ମାସରେ ଏହା ୪୯ ପ୍ରତିଶତ ଜଳ ବିଭିନ୍ନ ଶିଳ୍ପ ସଂସ୍ଥା ଶୋଷି ନେବେ। ଫଳରେ ବୈତରଣୀରେ ଯାହା ଟିକେ ପାଣି ଦେଖିବାକୁ ମିଳିଥା’ନ୍ତା, ତାହା ବି ସମ୍ଭବ ହେବନାହିଁ!!
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/keon.jpg)