କେନ୍ଦୁଝର : କେନ୍ଦୁଝର ଜିଲ୍ଲାରୁ ସର୍ବଧିକ ରାଜସ୍ବ ନେଉଥିବା ରେଳବାଇ ବାରମ୍ବାର ଜିଲ୍ଲାକୁ ଉପେକ୍ଷା କରିଚାଲିଛି। ବର୍ତ୍ତମାନ କେନ୍ଦୁଝର ଜିଲ୍ଲା ଦେଇ ଅଧିକ ଟ୍ରେନ୍ ଚଳାଚଳ କରିବାକୁ ଦାବି ହେଉଥିବା ବେଳେ ଏକାଧିକ ଯାତ୍ରୀବାହୀ ଟ୍ରେନ୍ ଚଳାଚଳକୁ ବନ୍ଦ କରିଦେଇଛି ରେଳବାଇ। ଯାହା କଟା ଘା’ରେ ଚୂନ ଦେବାଭଳି ପରିସ୍ଥିତି ସୃଷ୍ଟି କରିଛି।
କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟ ଦେଇ ତିନିଟି ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରିଥାଏ। ପ୍ରଥମଟି ହେଲା ପ୍ରତିଦିନ ସକାଳ ୬ଟା ୧୫ ମିନିଟ୍ରେ ବାହାରୁଥିବା କେନ୍ଦୁଝର-ଭୁବନେଶ୍ବର ପାସେଞ୍ଜର। ଏହି ଟ୍ରେନ୍ରେ ସାଧାରଣତଃ କଟକ ବଡ଼ଡାକ୍ତରଖାନା, ହାଇକୋର୍ଟ ଏବଂ ଭୁବନେଶ୍ବର ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଯିବାକୁ ଥିବା ଯାତ୍ରୀମାନେ ଯାତ୍ରା କରିଥାନ୍ତି। ମାତ୍ର କରୋନା କଟକଣା ଆଳରେ ଦୀର୍ଘଦିନ ହେଲା ଏହା ବନ୍ଦ ରହିବା ପରେ ବର୍ତ୍ତମାନ ଚଳାଚଳ କରୁଛି।
ଆଉ ଦୁଇଟି ଯାତ୍ରୀବାହୀ ଟ୍ରେନ କେନ୍ଦୁଝର ଦେଇ ଯାଉନାହିଁ। କରୋନା ବାହାନାରେ ଏହି ଦୁଇଟି ଟ୍ରେନ୍କୁ ବନ୍ଦ କରି ଦିଆଯାଇଛି। କେନ୍ଦୁଝର ଦେଇ ପୁରୀ-ରାଉରକେଲା ଟ୍ରେନ୍ ଯାତାୟାତ କରିଥାଏ। ଏହି ଟ୍ରେନ୍ ମଧ୍ୟାହ୍ନରେ କେନ୍ଦୁଝର ଷ୍ଟେସନ ଅତିକ୍ରମ କରିଥାଏ। କରୋନା ବାହାନରେ ଏହାର ଚଳାଚଳ ବନ୍ଦ କରାଯାଇଛି। ଯେଉଁଥି ପାଇଁ ପୁରୀ କିମ୍ବା ରାଉରକେଲା ଯିବାକୁ କେନ୍ଦୁଝରବାସୀ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି କେନ୍ଦୁଝର ଏକ ଖଣିଖାଦାନ ଭରା ଜିଲ୍ଲା ହୋଇଥିବାରୁ ଅଧିକାଂଶ ଶିଳ୍ପସଂସ୍ଥାର କାର୍ଯ୍ୟାଳୟ ରାଉରକେଲାରେ ଅବସ୍ଥିତ। ତେଣୁ କେନ୍ଦୁଝରବାସୀ ରାଉରକେଲା ସହର ଉପରେ ନିର୍ଭରଶୀଳ। ଏହି ଟ୍ରେନ୍ କେନ୍ଦୁଝର ଯାତ୍ରୀଙ୍କ ପାଇଁ ବେଶ୍ ସହାୟକ ହୋଇଥାଏ। ମାତ୍ର ଟ୍ରେନ୍ ଚଳାଚଳ ବନ୍ଦ ଥିବାରୁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ସେହିପରି ବିଶାଖାପାଟଣା-ଟାଟା ଏକ୍ସପ୍ରେସ୍ ମଧ୍ୟ କେନ୍ଦୁଝର ଦେଇ ଯାତାୟାତ କରିଥାଏ। ଏହା ଏକ ସାପ୍ତାହିକ ଟ୍ରେନ୍। ଏହି ଟ୍ରେନ୍ ସପ୍ତାହକୁ ତିନିଥର ଯାତାୟାତ ପାଇଁ ଦାବି ହେଉଥିବାବେଳେ କରୋନା ବାହାନାରେ ଏହାକୁ ବନ୍ଦ କରିଦିଆଯାଇଛି। ଟ୍ରେନ୍ ଚଳାଚଳ ପାଇଁ ବାରମ୍ବାର ଆନ୍ଦୋଳନ କରୁଥିବା କେନ୍ଦୁଝର ଯୁବ ପରିଷଦ ଆବାହକ ବରଦା ପ୍ରସନ୍ନ ଦାସ କହିଛନ୍ତି, କେନ୍ଦୁଝର ଜିଲ୍ଲାକୁ ରେଳବାଇ ବାରମ୍ବାର ଅବହେଳା କରିଆସୁଛି। ଜିଲ୍ଲାରେ ପାଖାପାଖି ୧୦ଟି ରେଳବାଇ ସାଇଡିଂ ଥିବାବେଳେ ଏକାଧିକ ମାଲ୍ବାହୀ ଟ୍ରେନ୍ ଚଳାଇ ରେଳବାଇ କୋଟିକୋଟି ଟଙ୍କା ରୋଜଗାର କରୁଛି। କେନ୍ଦୁଝର ଦେଇ ଅଧିକ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରିବାକୁ ଦାବି ହେଉଥିବାବେଳେ ଏବେ କରୋନା ବାହାନାରେ ଟ୍ରେନ୍ ବନ୍ଦ କରିଦେବା ଅତ୍ୟନ୍ତ ପରିତାପର ବିଷୟ ବୋଲି ସେ କହିଛନ୍ତି।