କେନ୍ଦୁଝର: ଏକତରଫା ପ୍ରେମ, ସହପାଠିନୀକୁ କତାରେ ହାଣିଲେ ସହପାଠୀ

ଆନନ୍ଦପୁର: ସୋମବାର ସକାଳ ପ୍ରାୟ ୧୦: ୩୦ ସମୟରେ ସ୍ଥାନୀୟ ସିଟି ସ୍କୁଲ୍‌ର ଜଣେ ଛାତ୍ରୀଙ୍କୁ ତାଙ୍କର ଜଣେ ସହପାଠୀ ସ୍କୁଲ ଘର ଭିତରେ ହାଣି ସାଙ୍ଘାତିକ ଆହତ କରିଛନ୍ତି।

ସହପାଠୀ ଛାତ୍ର ହେଉଛନ୍ତି ୧୯ ବର୍ଷିୟ ବଳଭଦ୍ର ଜେନା। ସେ ଓ ସମ୍ପୃକ୍ତା ଛାତ୍ରୀ ସିଟି ସ୍କୁଲ୍‌ର ଦ୍ୱିତୀୟ ବାର୍ଷିକ ଛାତ୍ରଛାତ୍ରୀ ଉଭୟଙ୍କ ଘର ଯାଜପୁରରେ।

ଆହତ ଛାତ୍ରୀଙ୍କ କହିବାନୁସାରେ, ବଳଭଦ୍ର ତାଙ୍କୁ ବାରମ୍ବାର ପ୍ରେମ ନିବେଦନ କରିଆସୁଥିଲେ ବି ସେ ତାହା ଅଗ୍ରାହ୍ୟ କରୁଥିଲେ। ଆଜି ସ୍କୁଲ ଘରର ଗୋଟାଏ ନିରୋଳା ସ୍ଥାନରେ ବଳଭଦ୍ର ସେ ଛାତ୍ରୀଙ୍କୁ ସାକ୍ଷାତ୍‌ କରିବା ପରେ କତାରେ ଆକ୍ରମଣ କରିଥିଲେ। ତାଙ୍କ ଡାହଣ ଗୋଡ଼ରେ ୨ ଚୋଟ ଓ ବାମ ହାତରେ ୨ ଚୋଟ କତା ଆଘାତ ଲାଗିଛି।

ତାଙ୍କ ଚିତ୍କାର ଶୁଣି ଅନ୍ୟ ଛାତ୍ରଛାତ୍ରୀମାନେ ସେଠାକୁ ଧାଇଁ ଯାଇ ପୀଡ଼ିତାଙ୍କୁ ଉଦ୍ଧାର କରି ତୁରନ୍ତ ଆନନ୍ଦପୁର ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ରେଫର୍‌ କରାଯାଇଛି।

ପ୍ରକୋଷ୍ଠରେ ପଶି ରହିଥିବା ଆକ୍ରମଣକାରୀ ଛାତ୍ରଙ୍କୁ ପୁଲିସ ଧରି ନେଇଛି।

ସମ୍ବନ୍ଧିତ ଖବର