କେନ୍ଦୁଝର : ଗୋଟିଏ ପଟେ ଧନର ପ୍ରାଚୁର୍ଯ୍ୟ, ଅନ୍ୟ ପଟେ ଅଭାବୀ ଅନଟନର ଆଡ୍ଡା ପାଲଟିଛି ରାଜ୍ୟକୁ ସର୍ବାଧିକ ରାଜସ୍ବ ଦେଉଥିବା ଯୋଡା ଅଂଚଳ। ଗୋଟିଏ ପଟେ ଯୋଡା ଖଣି ଅଞ୍ଚଳରୁ ରାଜ୍ୟ ସରକାର ଗତ ୨୦ ବର୍ଷ ମଧ୍ୟରେ ପ୍ରାୟ ୨୩୭୮୦ କୋଟି ଟଙ୍କାର ରାଜସ୍ବ ସଂଗ୍ରହ କରିଥିବା ବେଳେ ଏଠାରେ ଭୂମିହୀନ ନିରାଶ୍ରୟଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଯୋଡା ଖଣି ମଣ୍ଡଳ ଅଞ୍ଚଳ ଭଳି ଏକ ଛୋଟିଆ ସ୍ଥାନରେ ୮୪ ଟି ବସ୍ତି ଏହି କୁବେରପୁରରୀର ଅସଲ ଚିତ୍ରକୁ ଦର୍ଶାଉଛି।
ସମଗ୍ର ଓଡ଼ିଶାରେ କେନ୍ଦୁଝର ଜିଲ୍ଲାର ଯୋଡାକୁ ନେଇ ଅନେକ ଚର୍ଚ୍ଚା। ଏଠାରେ ରାଜ୍ୟର ସର୍ବାଧିକ ଲୁହାପଥର ଖଣି ରହିଛି। ଏଠାରେ ଲୁହାପଥର ସଂପର୍କିତ ଏକାଧିକ ଶିଳ୍ପ ମଧ୍ୟ ରହିଛି। ଏହି ଅଞ୍ଚଳରୁ ସରକାର ହଜାର ହଜାର କୋଟି ରାଜସ୍ବ ସଂଗ୍ରହ କରନ୍ତି। ମାତ୍ର ଏଠାକାର ଲୋକଙ୍କ ମୌଳିକ ଆବଶ୍ୟକତା ପୂରଣ ଦିଗରେ ସରକାର ଯେତିକି ଗୁରୁତ୍ବ ଦେବା କଥା ଦେଉନାହାନ୍ତି। ଫଳରେ ଏହି କୁବେରପୁରୀରେ ରହୁଥିବା ବାସିନ୍ଦାଙ୍କ ଜୀବନ ଅଭାବୀରେ ଭର୍ତ୍ତି।
/sambad/media/post_attachments/wp-content/uploads/2020/08/mines.jpg)
ସରକାରୀ ସୂଚନା ଅନୁସାରେ, ଗତ ୨୦ ବର୍ଷ ମଧ୍ୟରେ ସରକାର ଏଠାରୁ ପ୍ରାୟ ୨୩୭୮୦ କୋଟି ଟଙ୍କା ରାଜସ୍ବ ନେଇ ସାରିଲେଣି। ଏଠାରୁ ୨୦୦୧-୦୨ ମସିହାରେ ମାତ୍ର ୨୫ କୋଟି ୪୦ ଲକ୍ଷ ୮୬ ହଜାର ଟଙ୍କାର ରାଜସ୍ବ ସଂଗ୍ରହ ହୋଇଥିବା ବେଳେ ୨୦୧୯-୨୦ ମସିହାରେ ଏହି ରାଜସ୍ବ ୪୬୨୪ କୋଟି ୭୯ ଲକ୍ଷ ୯୭୭ ହଜାର ଟଙ୍କାରେ ପହଞ୍ଚିଛି। ସବୁଠୁ ବଡ଼ କଥା ହେଉଛି, ୨୦୦୬-୦୭ ମସିହାରୁ ଯୋଡା ଖଣି ମଣ୍ଡଳରୁ ୧୧୦ କୋଟିରୁ ଊର୍ଧ୍ବ ଟଙ୍କାର ରାଜସ୍ବ ସଂଗ୍ରହ କରି ଏହା କ୍ରମାଗତ ଭାବେ ବଢ଼ି ବଢ଼ି ୪୬୨୪ କୋଟି ୭୯ ଲକ୍ଷ ୯୭୭ ହଜାର ଟଙ୍କାରେ ପହଞ୍ଚିଛି। କିନ୍ତୁ ଗୋଟିଏ ପଟେ ଯୋଡା ଖଣି ଅଞ୍ଚଳ ସମଗ୍ର ରାଜ୍ୟକୁ ରାଜସ୍ବ ଦେଇ ରାଜ୍ୟର ଆର୍ଥିକ ସମୃଦ୍ଧି କରି ଚାଲିଥିବା ବେଳେ ନିଜ ଅଞ୍ଚଳର ବାସିନ୍ଦା କିନ୍ତୁ ଅଭାବ ଅନଟନରେ କାଳ କାଟୁଛନ୍ତି।
ଏହି କୁବେରପୁରୀର ଅଭାବୀ ଲୋକଙ୍କ କଥା ଆଲୋଚନା ବେଳେ ପ୍ରଥମେ ଏଠାକାର ବସ୍ତି କଥା ଉଦାହରଣ ନିଆଯାଉ। ଯୋଡା ଖଣି ଅଞ୍ଚଳରେ ଦୁଇଟି ପୌର ପରିଷଦ ରହିଛି। ଯୋଡା ପୌର ପରିଷଦରେ ରହିଛି ମୋଟ ୩୭ଟି ବସ୍ତି। ଏହି ବସ୍ତିରେ ମୋଟ ୩୭ ହଜାର ବାସିନ୍ଦା ଅତ୍ୟନ୍ତ ଅସହାୟ ଅବସ୍ଥାରେ ରୁହନ୍ତି। ଏହି ୩୭ ଟି ବସ୍ତିର ପାନୀୟଜଳ ଏବଂ ପରିବେଶ ଅତ୍ୟନ୍ତ ଦୟନୀୟ। ଏହି ବସ୍ତିରେ ସାଧାରଣତଃ ଶ୍ରମିକ ଗୋଷ୍ଠୀର ଲୋକ ରହୁଥିବା ବେଳେ ଏଠାରେ କାହାରି ମୁଣ୍ଡରେ ନାହିଁ ସରକାରୀ ବାସଗୃହ। ମୋଟ ୫୮୪୬ଟି ପରିବାରକୁ ଭୂମିହୀନ ବୋଲି ଚିହ୍ନଟ କରାଯାଇଥିଲେ ବି ଆଜି ଯାଏ ସେମାନଙ୍କୁ ଭୂମିହୀନ ପଟ୍ଟା ଦିଆଯାଇନାହିଁ। ସେମାନେ ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ ଅଛନ୍ତି।
/sambad/media/post_attachments/wp-content/uploads/2021/01/slum.jpg)
ବଡ଼ବିଲ ପୌର ପରିଷଦର ବସ୍ତି ସ୍ଥିତି ତା' ଠାରୁ ସାଂଘାତିକ। ଏଠାରେ ରହିଛି ୪୬ଟି ବସ୍ତି। ପ୍ରାୟ ୪୬ ହଜାର ଶ୍ରମିକ ଶ୍ରେଣୀର ବାସିନ୍ଦା ରୁହନ୍ତି। ମାତ୍ର ସମସ୍ତେ ଅଭାବୀ ଏବଂ ଅସହାୟ। ନା ଏମାନଙ୍କ ମୁଣ୍ଡରେ ଛାତ ଅଛି ନା ନିଜର ଜମି ଖଣ୍ଡେ ଅଛି। ଏମିତିକି ଏଠାରେ ୯୦୧୨୩ ଟି ପରିବାର ଭୂମିହୀନ ବୋଲି ଚିହ୍ନଟ ହୋଇଥିବା ସତ୍ତ୍ବେ ସେମାନଙ୍କୁ ପଟ୍ଟା ମିଳି ନାହିଁ। ଯେଉଁଥିପାଇଁ ସେମାନେ ସରକାରୀ ଆବାସ ଯୋଜନାରୁ ବଞ୍ଚିତ ଅଛନ୍ତି। ଅନ୍ୟ ସାଧାରଣ ଲୋକଙ୍କ ସମସ୍ୟା ମଧ୍ୟ ଅନେକ। ଏଠାରେ ମୁଖ୍ୟ ସମସ୍ୟା ହେଉଛି ରାସ୍ତା। ଖାଲ ଖମାରେ ଭର୍ତ୍ତି ରାସ୍ତାରେ ପାଦେ ଚାଲିବା ବି କଷ୍ଟ। ସେହିପରି ପ୍ରଦୂଷଣ ମଧ୍ୟ ଏଠାକାର ସବୁଠୀ ବଡ଼ ସମସ୍ୟା। ଯେଉଁ ଘରକୁ ଦେଖିବ, ତାହା ଧୂଳି ମୟ।
ମୋଟାମୋଟି ଭାବେ ଏହି ଯୋଡା ଖଣି ମଣ୍ଡଳରେ ଜୀବନ ଦୁଇ ଭାଗରେ ବିଭକ୍ତ। ଖଣି ମାଲିକ, ଠିକାଦାର, ଶିଳ୍ପ ସଂସ୍ଥାର ମାଲିକ ଏବଂ ଶିଳ୍ପ ସଂସ୍ଥାର କର୍ମଚାରୀଙ୍କ ଜୀବନ ଅୟସରେ ବିତେ। ଏଠାରେ ଖଣି ମାଲିକଙ୍କ ଚଳଣି କୌଣସି ମହାରାଜାଙ୍କଠାରୁ କମ୍ ନୁହେଁ। ଏମାନେ ଯୋଡା ଖଣି ଅଞ୍ଚଳକୁ ହେଲିକପ୍ଟରରେ ଆସନ୍ତି। ମାତ୍ର ଶ୍ରମିକ ଗୋଷ୍ଠୀ ଏଠାରେ ଖାଲ ଖମା ଭର୍ତ୍ତି ରାସ୍ତାରେ ହସ୍ପିଟାଲ ଯିବା ପାଇଁ ବି ଟ୍ରାଫିକ ଜାମ୍ରେ ବାଟ ପାଏନି। ଏଠାକାର ଖଣି ବ୍ୟବସାୟୀ ରାଜଧାନର ନଭଶ୍ଚୁମ୍ଭୀ ଅଟ୍ଟାଳିକାରେ ରହୁଥିବା ବେଳେ ଏଠାକାର ଅନ୍ୟ ଏକ ଗୋଷ୍ଠୀର ଜୀବ ପାଲ ତଳେ କଟୁଥାଏ।
ଏଠାକାର ମୁଖାର୍ଜୀ ବସ୍ତିର ରାମ ନାଏକଙ୍କ ମତରେ କେବଳ ବଞ୍ଚିବା ପାଇଁ ଏଠାରେ ଧୂଳି ଧୂଆ ଖାଇ ଆମେ ଜୀବନ ସହିତ ସଂଘର୍ଷ କରୁଛୁ। ନା ଆମର ଭାଗ୍ୟ ବଦଳୁଛି ନା ଭବିଷ୍ୟତ ପରବର୍ତ୍ତନ ହେଉଛି। କେବଳ ପ୍ରତିଦିନ ମୁଠାଏ ଖାଇବା ପାଇଁ ଏଠାରେ ପଡ଼ି ରହିଛୁ ବୋଲି ସେ କହିଛନ୍ତି।