ଘଟଗାଁ (ଆନନ୍ଦ ଚନ୍ଦ୍ର ସିଂହ): କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍‌ର ଉପାନ୍ତ ପୋଇପାଣିର ଗୀତାଞ୍ଜଳି ମହାନ୍ତ ପରିବା ଓ ଛତୁଚାଷ କରି ସ୍ବାବଲମ୍ବୀ ହୋଇଛନ୍ତି। ଗୀତାଞ୍ଜଳି ୨୦୧୨ରେ ଗ୍ରାମର ମହିଳାଙ୍କୁ ନେଇ ମା’ ସନ୍ତୋଷୀ ଏସ୍‌ଏଚ୍‌ଜି ଗଠନ କରିଥିଲେ। ପ୍ରଥମେ ୬୦ ହଜାର ଟଙ୍କା ଋଣ ଆଣି ପରିବା ଚାଷ କରିଥିଲେ। ଏହି ଟଙ୍କାକୁ ପରିଶୋଧ କରିବା ପରେ ପୁଣି କ୍ରମାଗତ ଭାବେ ଋଣ ଆଣି ଚାଷକାମ ଜାରି ରଖିଛନ୍ତି। କଲରା, ବୋଇତାଳୁ, ଭେଣ୍ତି, କୋବି ଚାଷକରି ବର୍ଷକୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି।

Advertisment

ଦୁଇବର୍ଷ ତଳେ ଖରାଦିନେ ପାଣିର ସୁବିଧା ପାଇଁ ମିସନ ଶକ୍ତି ପକ୍ଷରୁ ଏକ ବୋରିଂ ଖୋଳାଯାଇ ସୌରଶକ୍ତି ଚାଳିତ ମୋଟର ଲଗାଯାଇଥିଲା, ଯାହାର ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ପ୍ରକଳ୍ପ ଦ୍ବାରା ଗୀତାଞ୍ଜଳିଙ୍କ ସମେତ ଗୋଷ୍ଠୀର ମହିଳାମାନେ ବର୍ଷସାରା ପରିବା ଚାଷ କରି ଭଲ ରୋଜଗାର କରୁଛନ୍ତି। ୨୦୨୧ରେ ମିସନଶକ୍ତି ପକ୍ଷରୁ ଛତୁଚାଷ ପାଇଁ ଏହି ଗୋଷ୍ଠୀକୁ ଦୁଇଲକ୍ଷ ଟଙ୍କା ଦିଆଯାଇଥିଲା। ଗୋଷ୍ଠୀର ମହିଳାମାନେ ପ୍ରଥମେ ପାଳଛତୁ ଓ ପରେ ଧିଙ୍ଗିରିଛତୁ ଚାଷ କରି ଭଲ ରୋଜଗାର କରିଥିଲେ। ଏହାପରେ ମିସନ ଶକ୍ତି ପକ୍ଷରୁ କରାଯାଇଥିବା ଏକ ଘରେ ବର୍ତ୍ତମାନ ଗୋଷ୍ଠୀର ମହିଳାମାନେ ଏକାବେଳେ ୧୦୦ଟି ବେଡ୍‌ରେ ଛତୁଚାଷ କରୁଛନ୍ତି। ପ୍ରତି ୧୫ ଦିନ ବ୍ୟବଧାନରେ ଛତୁ ବିକ୍ରି କରି ୮/୧୦ ହଜାର ଟଙ୍କା ରୋଜଗାର କରୁଛନ୍ତି। ପରିବା ଓ ଛତୁଚାଷ କରି ସେମାନେ ମାସକୁ ୮/୧୦ ହଜାର ରୋଜଗାର କରୁଥିବା ଜଣାଯାଇଛି।

publive-image
ଗୀତାଞ୍ଜଳିଙ୍କ କହିବା ଅନୁସାରେ, ପ୍ରଥମେ ୧୦ଜଣ ସଭ୍ୟାଙ୍କୁ ନେଇ ଏହି ଏସ୍‌ଏଚ୍‌ଜି ଗଠନ ‌‌ହୋଇଥିଲା। ଏବେ ୧୨ଜଣ ସଭ୍ୟା ଅଛନ୍ତି। ସେ ଗୋଷ୍ଠୀର ମୁଖ୍ୟ ଥିବା ବେଳେ ପାର୍ବତୀ ନାଏକ, ଗାୟତ୍ରୀ ନାଏକ, ସୁଷମା ନାଏକ, ମିନତି ନାଏକ, ଲବଙ୍ଗ ନାଏକ, ମିନି ନାଏକ, ଗହମୀ ନାଏକ, ସୁଚିତ୍ରା ମହାନ୍ତ, ଦୀପ୍ତିମୟୀ ମହାନ୍ତ ସଭ୍ୟା ରହିଛନ୍ତି। ବର୍ତ୍ତମାନ ସେମାନେ କଟକରୁ ମଞ୍ଜି ଆଣି ଛତୁ ଚାଷ କରୁଛନ୍ତି। ବେଳେ ବେଳେ ମଞ୍ଜି ଖରାପ ପଡ଼ୁଥିବାରୁ ଉତ୍ପାଦନ ଭଲ ହେଉନି। ଛତୁଚାଷ ପାଇଁ ଏକ ବଡ଼ଘର ସାଙ୍ଗକୁ ଛତୁମଞ୍ଜି ତିଆରି ମେସିନର ଆବଶ୍ୟକତା ରହିଛି। ପ୍ରଶାସନ ଏଥିପାଇଁ ସହଯୋଗ କଲେ ସେ ଆହୁରି ଆଗକୁ ବଢ଼ିପାରନ୍ତେ ବୋଲି ଗୀତାଞ୍ଜଳି କହିଛନ୍ତି।