ଘଟଗାଁ: କାଶ୍ମୀର ରେଡ୍‌ ଆପଲ ବେର (କାଶ୍ମୀର କୋଳି) ଚାଷ କରି ଲକ୍ଷପତି ପାଲଟିଛନ୍ତି ଘଟଗାଁ ବ୍ଲକ୍‌ ବାଲିପୋଖରୀ ପଞ୍ଚାୟତ ଦୁବୁଲାବେଡ଼ା ଗ୍ରାମର ସୁକୁମାରୀ ମହାନ୍ତ। ସେ ନିଜ ବାଡ଼ିକୁ ଲାଗି ଥିବା ମାତ୍ର ଏକ ଏକର ଜାଗାରେ କାଶ୍ମୀର କୋଳି ଚାଷ କରି ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ସୁକୁମାରୀ ପ୍ରଥମ ବର୍ଷ ୧୫୦ ଓ ଦ୍ବିତୀୟ ବର୍ଷ ୧୫୦ ମୋଟ ୩୦୦ ଗଛ ଲଗାଇଥିଲେ। ଗଛ ଗୋଟା ୮୦ ଟଙ୍କାରେ କିଣିଥିଲେ। ଗଛ ଲଗାଇବା ପରେ ଖତସାର ଦେବା ସହ ସୁରକ୍ଷାପାଇଁ ଉକ୍ତ ସ୍ଥାନକୁ ତାରବାଡ଼ ଘେରାଇଥିଲେ। ମଜୁରି ଓ ଖତସାର ବାବଦକୁ ଦୁଇବର୍ଷରେ ଦେଢ଼ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ଗତବର୍ଷ ୮୦ ହଜାର ଟଙ୍କାର କୋଳି ବିକିଥିବା ବେଳେ ଚଳିତ ବର୍ଷ ଆଜିସୁଦ୍ଧା‌ ଏକଲକ୍ଷ ଟଙ୍କାର କୋଳି ବିକିଥିବା ସୁକୁମାରୀ କହିଛନ୍ତି। ବାର୍‌ହାଟିପୁରା ମକରମେଳାରେ ୧୫ଦିନ ଧରି ସେ କାଶ୍ମୀର କୋଳି ବିକି ଭଲ ଦୁଇପଇସା ରୋଜଗାର କରିଛନ୍ତି। ଗୁଣ୍ତିଚାଘାଗି ଜଳପ୍ରପାତକୁ ବଣଭୋଜି କରିବାପାଇଁ ଆସୁଥିବା ପର୍ଯ୍ୟଟକମାନେ ତାଙ୍କଠାରୁ କୋଳି କିଣୁଛନ୍ତି। ଏହାଛଡା ଘଟଗାଁର ମଙ୍ଗଳବାର ସାପ୍ତାହିକ ହାଟ, ଶନିବାର ଢେଙ୍କିକୋଟ ସାପ୍ତାହିକ ହାଟରେ ସେ କୋଳି ବିକ୍ରି କରୁଥିବା ସୁକୁମାରୀ କହିଛନ୍ତି। କୋଳି କେଜି ୮୦ରୁ ୧୦୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି। ଚଳିତ ବର୍ଷ ସେ ଆହୁରି ଏକଲକ୍ଷ ଟଙ୍କାର କୋଳି ବିକ୍ରି କରିବେ ବୋଲି କହିଛନ୍ତି।
ଗତବର୍ଷ ତୁଳନାରେ ଚଳିତବର୍ଷ ଗଛ ଉଚ୍ଚତା ୧୨/୧୫ ଫୁଟ ହେବା ସହ ଏକାଧିକ ଶାଖା ମେଲାଇଛି। ଗତବର୍ଷ ଫଳ ତୋଳିବା ପରେ ମୂଳରୁ ଦୁଇଫୁଟ ଛାଡ଼ି କାଟିଦେବାରୁ ଅଧିକ ଶାଖା ବାହାରିଥିଲା। ସବୁଡାଳରେ ଫଳ ଧରିଥିଲା। ଗୋଟିଏ ଗୋଟିଏ ଗଛରୁ ୩୦ରୁ ୪୦ କେଜି କୋଳି ବାହାରୁଥିବା ସୁକୁମାରୀ କହିଛନ୍ତି। କୋଳିଗୁଡ଼ିକ ଅତ୍ୟନ୍ତ ସ୍ବାଦିଷ୍ଟ ଓ ସମ୍ପୂର୍ଣ୍ଣ ପାଚିବା ପୂର୍ବରୁ ମିଠା ଲାଗୁଥିବାରୁ ସହଜରେ ବିକ୍ରି ହୋଇଯାଉଥିବା ସୁକୁମାରୀ କହିଛନ୍ତି।