କେନ୍ଦୁଝର: ଶୁଆକାଟି ସ୍ଥିତ ଓଏମ୍ସି ଖଣିରେ ଲୋଡ୍ର ଧକ୍କାରେ ଜଣେ ଟ୍ରକ ମାଲିକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଯାଜପୁର ଜିଲ୍ଲା ଟମକା ଥାନା ଅନ୍ତର୍ଗତ ଟୁରା ଗ୍ରାମର ସନାତନ ସାହୁ (୫୪)। ପ୍ରାପ୍ତ ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ସାଢ଼େ ୭ଟା ବେଳେ ସନାତନ ନିଜେ ଟ୍ରକ ଚଳାଇ ଶୁଆକାଟି ସ୍ଥିତ ଓଏମ୍ସି ଖଣିକୁ ଲୋଡିଂ ପାଇଁ ଆସୁଥିଲେ। ଦଅଁଳା-ଜାଗର ରାସ୍ତାର ଓଏମ୍ସି ୫ ନମ୍ବର କଣ୍ଟା ନିକଟରେ ରାସ୍ତାରେ ଭିଡ଼ ଥିବାରୁ ସେ ଟ୍ରକରୁ ଓହ୍ଲାଇଥିଲେ। ଏହି ସମୟରେ ସେହି ରାସ୍ତାରେ ଯାଉଥିବା ଏକ ଲୋଡର ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଲୋଡର ଡ୍ରାଇଭରଙ୍କ ଅନ୍ୟମନସ୍କତା ଯୋଗୁଁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଖବର ପାଇ ଶୁଆକାଟି ଫାଣ୍ଡି ପୁଲିସ ପହଞ୍ଚି ଗାଡ଼ି ଜବତ କରିଛି। ଲୋଡର ଡ୍ରାଇଭରକୁ ଅଟକ ରଖିଛି।
ଖବର ପାଇ ଟ୍ରକ ମାଲିକ ସଂଘ କର୍ମକର୍ତ୍ତା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତ ଟ୍ରକ ମାଲିକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଶବ ବ୍ୟବଛେଦ କରିବାକୁ ଦେଇନଥିଲେ ଟ୍ରକ୍ ମାଲିକମାନେ। ପରେ ସଦର ଏସ୍ଡିପିଓଙ୍କ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଏସ୍ଡିପିଓ ପ୍ରକାଶ ଜେମ୍ସ ଟପୋ, ସଦର ଥାନାଧିକାରୀ ସ୍ମୃତିରେଖା ପ୍ରଧାନ, ଗନ୍ଧମାର୍ଦ୍ଦନ ଲୌହ ଖଣିର ଆଞ୍ଚଳିକ ପରିଚାଳକ ପ୍ରସନ୍ନ କୁମାର ସ୍ୱାଇଁ, ମ୍ୟାନେଜର ମାଇନ୍ସ ଅମ୍ବିକା ମହାପାତ୍ର, ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିର ସଂପାଦକ ଅଞ୍ଜନ କୁମାର ବେଜ, ସୁଶାନ୍ତ ବାରିକ, ଉମାକାନ୍ତ ବିନ୍ଧାଣୀ, ଟ୍ରକ ମାଲିକ ସଂଘ ସଭାପତି ରମାକାନ୍ତ ନାୟକ, ସଂପାଦକ ସୂର୍ଯ୍ୟନାରାୟଣ କର, ଉପସଭାପତି ଦିଲ୍ଲୀପ କୁମାର ପଣ୍ଡା, ପଦ୍ମଲୋଚନ ସାହୁ, ଯୁଗ୍ମ ସଂପାଦକ ଦେବାଶିଷ ପଟ୍ଟନାୟକ, ସଞ୍ଜୟ ସିଂ ଉପସ୍ଥିତ ଥିଲେ। ଓଏମ୍ସି ପକ୍ଷରୁ ୩ଲକ୍ଷ, ଟ୍ରକ ମାଲିକ ସଂଘ ପକ୍ଷରୁ ୨ଲକ୍ଷ ଓ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ପକ୍ଷରୁ ୨ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ ବୋଲି ବୈଠକରେ ପ୍ରତିଶ୍ରୁତି ଦିଆଯାଇଥିଲା। ପ୍ରତିଶ୍ରୁତି ପରେ ଶବ ବ୍ୟବଛେଦ କରାଯାଇଥିଲା।
ଲୋଡର ଧକ୍କାରେ ଟ୍ରକ ମାଲିକ ମୃତ
/sambad/media/post_attachments/wp-content/uploads/2019/07/keon-2.jpg)