ମାଙ୍ଗାନିଜ, ଲୁହାପଥର ଚୋରାଚାଲାଣ:୨ ଗାଡ଼ି ସହ ଖଣିଜ ଜବତ: ଦୁଇ ଗିରଫ

ବଡ଼ବିଲ:ଯୋଡ଼ା ଖଣି ମଣ୍ଡଳର ବିଭିନ୍ନ ଖଣିରେ ମାଙ୍ଗାନିଜ, ଲୁହାପଥର ଚୋରାଚାଲାଣ ଅବ୍ୟାହତ ରହିଛି। ଏଭଳି ଖବର ପାଇ ଗତକାଲି ରାତିରେ ବଲାଣି ଥାନା ପୁଲିସ ଚଢ଼ଉ କରି ଦୁଇଟି ଗାଡ଼ି ସହ ଖଣିଜ ପଦାର୍ଥକୁ ମଧ୍ୟ ଜବତ କରିଛି। ଏ ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ବାମେବାରୀ ଥାନା ଅନ୍ତର୍ଗତ ଜଜାଙ୍ଗ ଗ୍ରାମର ସରୋଜ କୁମାର ମହାନ୍ତ ଓ ରୁଗୁଡ଼ି ଥାନା ଅନ୍ତର୍ଗତ ରୋଇଡା ଗ୍ରାମର ହରିଶଚନ୍ଦ୍ର ଶତନାମୀ। ଜବତ ଗାଡ଼ି ମଧ୍ୟରେ ଗୋଟଏ ବୋଲେରୋ (ଓଆର୦୫ୟୁ୫୬୮୯) ଓ ଦଶଚକିଆ ଟ୍ରକ (ଡବ୍ଲ୍ୟୁବି୭୬ଏ-୬୦୯୯) ରହିଛି। ଚୋରାଚାଲାଣରେ ସଂପୃକ୍ତ ଆଉ ୩ ଜଣ ଖଣି ମାଫିଆ ଫେରାର ହୋଇଯାଇଛନ୍ତି।
ବଲାଣି ଥାନା ଅଧିକାରୀ ବିଜୟ କୁମାର ବିହାରୀଙ୍କ ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ବଲାଣି ଥାନା ଅଧୀନ ଅର୍ଜୁନଲୋଧା ଖଣିରେ ଉପରୋକ୍ତ ଦୁଇ ଗାଡ଼ିରେ ମାଙ୍ଗାନିଜ ଓ ଲୁହାପଥର ଚାଲାଣ ହେଉଥିଲା। ପରେ ତାଙ୍କ ନେତୃତ୍ବରେ ଏକ ପୁଲିସ ଟିମ୍‌ ଉକ୍ତ ଖଣିରେ ଚଢ଼ଉ କରିଥିଲା। ଖଣିଜ ବୋଝେଇ କରୁଥିବା ଶ୍ରମିକଙ୍କ ସହ ୩ରୁ ଅଧିକ ଖଣି ମାଫିଆ ଘଟଣାସ୍ଥଳରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ଦୁଇଜଣ ଧରାପଡ଼ିଥିଲେ। ଏହି ଚୋରାକାରବାରରେ ସଂପୃକ୍ତ ଥିବା ଅନ୍ୟ ଫେରାର ଖଣି ମାଫିଆଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର