କେନ୍ଦୁଝର: ବଣପାହାଡ଼ ଘେରା କେନ୍ଦୁଝର ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷଲତା ପରିପୂର୍ଣ୍ଣ ହୋଇଥିଲା। ପ୍ରାଚୀନ କାଳରେ ବୈଦ୍ୟମାନେ ଏହାକୁ ବ୍ୟବହାର କରି ବିଭିନ୍ନ ରୋଗର ଉପଶମ କରୁଥିଲେ। ହେଲେ ବ୍ୟାପକ ଖଣି ଖନନ ଏବଂ ବିଭିନ୍ନ ଉନ୍ନୟନ କାମ ପାଇଁ ବେଧଡ଼କ ଗଛକଟା ଯାଉଥିବାରୁ ଜଙ୍ଗଲରେ ଥିବା ଔଷଧୀୟ ଗଛଲତା ଏବେ ଲୋପ ପାଇବାକୁ ବସିଛି।
କେନ୍ଦୁଝର ସହର ଉପକଣ୍ଠସ୍ଥିତ ସିଦ୍ଧମଠରେ ରହିଛି ଏକ ଔଷଧୀୟ ଜଙ୍ଗଲ। ପୂର୍ବରୁ ଏଠାରେ ଚନ୍ଦନ ସମେତ ହରିଡ଼ା, ବାହାଡ଼ା, ଅଁଳା, ମହୁ, ଝୁଣା, ଲାଖ ଆଦି ଜଙ୍ଗଲଜାତ ସାମଗ୍ରୀ ମିଳୁଥିଲା। ଏବେ ଏହି ଜଙ୍ଗଲ ଏକ ପ୍ରକାର ନିଶ୍ଚିହ୍ନ ହେବାକୁ ବସିଛନ୍ତି। ମାଫିଆମାନେ ଏଠାରେ ଥିବା ସମସ୍ତ ଚନ୍ଦନ ଗଛକୁ କାଟି ନେଇଛନ୍ତି। ଏଥିପ୍ରତି ଦୃଷ୍ଟି ନଦେଲେ ଆଗାମୀ ଦିନରେ ଏହି ଔଷଧୀୟ ସମ୍ପୂର୍ଣ୍ଣ ଭାବେ ଲୋପ ପାଇଯିବ ବୋଲି ପରିବେଶବିତ୍‌ମାନେ କହିଛନ୍ତି। ସେହିପରି ଜିଲ୍ଲାର ରେବଣା ସଂରକ୍ଷିତ ଜଙ୍ଗଲ, ଅଟେଇ ସଂରକ୍ଷିତ ଜଙ୍ଗଲ, କଳାପାଟ ସଂରକ୍ଷିତ ଜଙ୍ଗଲ, ଭୂୟାଁ ଜୁଆଙ୍ଗ ପିଢ ସଂରକ୍ଷିତ ଜଙ୍ଗଲ, ବାରବାଙ୍କ ସଂରକ୍ଷିତ ଜଙ୍ଗଲ, ବୈତରଣୀ ସଂରକ୍ଷିତ ଜଙ୍ଗଲ ଓ ଧନୁର୍ଜୟପୁର ସଂରକ୍ଷିତ ଜଙ୍ଗଲରେ ମଧ୍ୟ ବ୍ୟାପକ ପରିମାଣର ଔଷଧୀୟ ବୃକ୍ଷରାଜି ରହିଥିଲା। କ୍ରମାଗତ ଭାବେ ଜଙ୍ଗଲରୁ ଗଛ କଟା ଓ ଅନିୟନ୍ତ୍ରିତ ଖଣି ଖନନ ଯୋଗୁଁ ଏସବୁ ଗଛଲତା ବିଲୁପ୍ତ ହେବାକୁ ବସିଛି।
ପୂର୍ବରୁ ବୈଦ୍ୟମାନେ ବିଭିନ୍ନ ଔଷଧୀୟ ବୃକ୍ଷର ପତ୍ର, ଚେର, ବକଳ, ଫଳକୁ ପରୀକ୍ଷା କରି ତାହାକୁ ଚିକିତ୍ସା କ୍ଷେତ୍ରରେ ବିନିଯୋଗ କରୁଥିଲେ। ଏହାଦ୍ବାରା ବିଭିନ୍ନ ରୋଗର ଉପଶମ ହୋଇପାରୁଥିଲା। ଆୟୁର୍ବେଦିକ ଚିକିତ୍ସା ପାଇଁ ଜିଲ୍ଲାର ବିଭିନ୍ନ ଜଙ୍ଗଲରୁ ଏସବୁ ମିଳି ପାରୁଥିଲା। ହେଲେ ଜଙ୍ଗଲ ନଷ୍ଟ ହେବା ଯୋଗୁଁ ଏସବୁ ଆଉ ସହଜରେ ମିଳୁନି। ଏସବୁର ସୁରକ୍ଷା ପାଇଁ ବନ ବିଭାଗ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହେଉଛି।