ଆନନ୍ଦପୁର: ଆନନ୍ଦପୁର ଉପଖଣ୍ଡରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ ଚରମସୀମାରେ ପହଞ୍ଚିଛି। ଲଘୁ ଖଣିଜ ସମ୍ପଦ ଆଇନକୁ ଦଳିମକଚି ବିଭାଗୀୟ ଅଧିକାରୀଙ୍କୁ ହାତକରି ଦୈନିକ ଶହଶହ ଟ୍ରିପ୍ ବାଲି ଚୋରା ଚାଲାଣ ‌ହେଉଛି। ଏହି ବେଆଇନ କାରବାର ପଛରେ ରାଜନେତାଙ୍କ ହାତ ରହୁଥିବାରୁ ସରକାରୀ ଅଧିକାରୀମାନେ ପୂର୍ବରୁ ଚୁପ୍ ରହୁଥିଲେ। ସରକାର ପରିବର୍ତ୍ତନ ପରେ ଆଜି ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ବାଲିଘାଟରେ ଖଣି, ଜଳସମ୍ପଦ, ପ୍ରଦୂଷଣ ବିଭାଗ ପକ୍ଷରୁ ଅଚାନକ ଚଢ଼ଉ କରି କ୍ଷୟକ୍ଷତିର ଆ‌କଳନ କରିଛନ୍ତି।
ଆନନ୍ଦପୁର, ହାଟଡିହି, ଘସିପୁରା ତହସିଲ ଅଞ୍ଚଳରେ ଥିବା ବାଲିଘାଟରୁ ବେଆଇନ ବାଲି ଉତ୍ତୋଳନ ଓ ପରିବହନ ଦେଇ ବିଜେପି ରାଜ୍ୟ କୃଷକମୋର୍ଚ୍ଚା ସଭାପତି ମହେଶ୍ବର ସାହୁ ଅଭିଯୋଗ କରିଥିଲେ। ତୁରନ୍ତ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂହଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେହିପରି ଆନନ୍ଦପୁରରେ ବୈତରଣୀ ନଦୀରେ ଚାଲିଥିବା ବାଲିଘାଟକୁ ପୂର୍ବରୁ ବିରୋଧ ହୋଇଥିଲା। କିଛିଦିନ ଏଠାରୁ ବାଲି ଉତ୍ତୋଳନ ବନ୍ଦ ରହିବାପରେ ସପ୍ତାହେ ହେଲା ପୁଣି ଆରମ୍ଭ ହୋଇଛି। ଏହାକୁ ବିରୋଧ କରି ଆନନ୍ଦପୁର ସ୍ବାଭିମାନ ମଞ୍ଚର ସଭାପତି ଦେବରଞ୍ଜନ ସାହୁ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିଥିଲେ। ଶହ ଶହ ସଂଖ୍ୟାରେ ବାଲି ବୋଝେଇ ଭାରୀଯାନ ଚଳାଚଳ ଦ୍ବାରା ବୈତରଣୀ ନଦୀବନ୍ଧ ଓ ଆନନ୍ଦପୁର ରିଂରୋଡ ପ୍ରତି ବିପଦ ସୃଷ୍ଟି ହେଉଛି ବୋଲି କହିଥିଲେ। ରିଂରୋଡ଼ ରାସ୍ତାରେ ବାଲିଗାଡ଼ି ଚଳାଚଳ ବନ୍ଦ କରିବାପାଇଁ ଶ୍ରୀ ସାହୁ ଗତକାଲି ସଂଧ୍ୟାରେ ଆନନ୍ଦପୁର ଥାନା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।
ଗତକାଲି କେନ୍ଦୁଝର ଖଣି ଅଧିକାରୀ ତାରିଣୀ କୁମାର ସିଂହଙ୍କ ସମେତ ପ୍ରଦୂଷଣ, ଜଳସମ୍ପଦ ବିଭାଗର ଅଧିକାରୀମାନେ ପ୍ରଥମେ ଆନନ୍ଦପୁର ବୈତରଣୀ ବାଲିଘାଟରେ ପହଞ୍ଚି ତଦନ୍ତ କରିଥିଲେ। ଅଭିଯୋଗକାରୀ ଦେବରଂଜନ ସାହୁ ବିଭାଗୀୟ ଅଧିକାରୀଙ୍କୁ ବାଲି ଚାଲାଣ ଦ୍ବାରା ହେଉଥିବା ସମସ୍ୟା ଓ କ୍ଷୟକ୍ଷତି ସମ୍ପର୍କରେ ଅବଗତ କରିଥିଲେ। ଏହାପରେ ଘସିପୁରା ତହସିଲ ଅନ୍ତର୍ଗତ ଦେଓଗାଁ କୁଶେଇ ନଦୀ ବାଲିଘ‌ାଟରେ ତଦନ୍ତ କରାଯାଇଥିଲା। ଖଣି ଅଧିକାରୀ ଶ୍ରୀ ସିଂହ ବାଲିଘାଟ ଦ୍ବାରା ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଏଠାରେ ସମସ୍ତ ନୀତିନିୟମକୁ ଉଲ୍ଲଂଘନ କରାଯାଇ ବାଲି ଉତ୍ତୋଳନ କରାଯାଉଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଥିଲେ। ଏଠାରେ ବେଆଇନ ବାଲି ଉତ୍ତୋଳନ ନେଇ ଜାତୀୟ ଗ୍ରିନ୍‌ ଟ୍ରିବ୍ୟୁନାଲରେ ମାମଲା ବିଚାରାଧୀନ ରହିଛି। ଜିଲ୍ଲା ପ୍ରଶାସନ ଓ ଖଣି ବିଭାଗକୁ ପକ୍ଷଭୁକ୍ତ କରାଯାଇଛି। ଏନେଇ ଅଗଷ୍ଟ ୧୩ରେ ପରବର୍ତ୍ତୀ ଶୁଣାଣି ଥିବା ଜଣାପଡ଼ିଛି। ଖଣି ବିଭାଗର ତନାଘନା ପରେ ବାଲି ମାଫିଆଙ୍କ ମଧ୍ୟରେ ଛନକା ପଶିଛି। ଚଢ଼ଉ ସମ୍ପର୍କରେ ସୂଚନା ପାଇ ମାଫିଆମାନେ ଘାଟରୁ ଜେସିବି ମେସିନ ଓ ଗାଡ଼ି ନେଇ ଯାଇଥିବା ଦେଖିବାକୁ ମିଳିଛି।