ଆନନ୍ଦପୁର,: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ତହସିଲ ଅଧୀନରେ ଥିବା ବିଭିନ୍ନ ଘାଟରୁ ବେଧଡ଼କ ବାଲି ଚୋରା ଚାଲାଣ ଚାଲିଛି। ବାଲି ବୋଝେଇ ଗାଡ଼ିରେ କୌଣସି କାଗଜପତ୍ର ନଥିଲେ ମଧ୍ୟ ଖୁଲମଖୁଲା ଏହା ରାସ୍ତାରେ ଗଡ଼ୁଛି। ଖଣି ବିଭାଗ ପକ୍ଷରୁ ଧରପଗଡ଼ ହେଉନଥିବାରୁ ଏହି ବେଆଇନ କାରବାର ଦିନକୁ ଦିନ ବୃଦ୍ଧି ପାଉଛି। ନକଲି ଟ୍ରାନଜିଟ୍ ପରମିଟ୍ରେ ବାଲି ପରିବହନ ହେଉଥିବା ବେଳେ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି। କେତେବେଳେ ପୁଲିସ ଓ ରାଜସ୍ବ ବିଭାଗ ପକ୍ଷରୁ ବାଲି ବୋଝେଇ ଗାଡ଼ି ଜବତ କରାଯିବା ସହ ସହ ଗାଡ଼ି ମାଲିକଙ୍କୁ ଗିରଫ କରାଯାଉଛି ତ ଆଉ କେବେ କେବଳ ଜରିମାନା ଆଦାୟ କରି ଛାଡ଼ି ଦିଆଯାଉଛି। ଏଭଳି କୋହଳ ମନୋଭାବ ପାଇଁ ବେଆଇନ ବାଲି ଚାଲାଣ ଉପରେ ରୋକ ଲାଗିପାରୁନି।
ତହସିଲ ପକ୍ଷରୁ ବିଭିନ୍ନ ସମୟରେ ଚଢ଼ଉ କରାଯାଉଛି। ଜବତ ହେଉଥିବା ବାଲି ବୋଝେଇ ଟ୍ରାକ୍ଟର ଗୁଡ଼ିକରୁ ୧୦ହଜାର ଟଙ୍କା ଫାଇନ୍ ଆଦାୟ କରି ଛାଡ଼ି ଦିଆଯାଉଛି। ଅନ୍ୟପକ୍ଷରେ ପୁଲିସ ପକ୍ଷରୁ ଜବତ ଟ୍ରାକ୍ଟର ମାଲିକଙ୍କ ବିରୋଧରେ ମାମଲା ରୁଜୁ କରାଯାଉଛି। ଗତ ଅକ୍ଟୋବର ୨୯ରେ କେନ୍ଦୁଝର ଏସ୍ପିଙ୍କ ନିର୍ଦେଶକ୍ରମେ ଘସିପୁରା ତହସିଲର କୁମୁଣିଆ ଘାଟରେ ରାତିଅଧିଆ ଘସିପୁରା ପୁଲିସ ପକ୍ଷରୁ ଚଢ଼ଉ କରାଯାଇଥିଲା। ଏହି ଘଟଣାରେ ପୁଲିସ ୭ଜଣ ଟ୍ରାକ୍ଟର ମାଲିକଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଜବତ ହୋଇଥିବା ଅନେକ ଟ୍ରାକ୍ଟର ଏବେ ବି ପୁଲିସ ହେପାଜତରୁ ମୁକୁଳି ପାରିନି। ଏହାପର ଠାରୁ ପୁଲିସ ଓ ତହସିଲ ପକ୍ଷରୁ ଅନେକ ଚୋରା ବାଲି ବୋଝେଇ ଟ୍ରାକ୍ଟର ଜବତ କରାଗଲାଣି। କୌଣସି ଗାଡ଼ି ମାଲିକଙ୍କୁ ଗିରଫ କରାଯାଇନି। ଗତ ଜାନୁଆରି ୨୧ ତାରିଖ ଭୋରରେ ଏକ ଚୋରା ବାଲି ବୋଝେଇ ହାଇୱାକୁ ଘସିପୁରା ପୁଲିସ ଜବତ କରିଥିଲା। କିଛି ସମୟ ପରେ ହାଇୱା ମାଲିକ ଥାନାକୁ ଯାଇ ପୁଲିସ ସହ ଯୁକ୍ତିତର୍କ କରିଥିଲା। ପୁଲିସ ତାଙ୍କୁ କିଛି ସମୟ ଥାନାରେ ଅଟକ ରଖିବା ପରେ ଛାଡ଼ି ଦେଇଥିଲା। ଏହାପରେ ଅନେକ ଟ୍ରାକ୍ଟର ଓ ହାଇୱା ତହସିଲ ପକ୍ଷରୁ ଜବତ କରାଗଲାଣି। କୌଣସି ମାମଲାରେ ଗାଡ଼ି ମାଲିକ ଗିରଫ ହୋଇନାହାନ୍ତି। ଜରିମାନା ଆଦାୟ କରି ସେମାନଙ୍କୁ ଛାଡ଼ି ଦିଆଯାଉଛି।
ଗତ ୧୬ ତାରିଖ ରାତିରେ ଘସିପୁରା ପୁଲିସ ଓ ତହସିଲ ପକ୍ଷରୁ ଚଢ଼ଉ କରାଯାଇ କୁମୁଣିଆ ଘାଟରୁ ତିନିଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରାଯାଇଥିଲା। ଲଘୁ ଖଣିଜ ସମ୍ପଦ ଆଇନ ଅନୁସାରେ ମାମଲା ରୁଜୁ କରାଯାଇଥିବା ନେଇ ଥାନା ଅଧିକାରୀ ସୁନୀଲ କୁମାର କର ସୂଚନା ଦେଇଛନ୍ତି। ଅଦ୍ୟାବଧି ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ଥାନାରେ ଜବତ ହୋଇ ୫୦ରୁ ଅଧିକ ଟ୍ରାକ୍ଟର ଓ ହାଇୱା ରହିଥିବା ଜଣାପଡ଼ିଛି। ଏପରିକି ଥାନାରେ ଜାଗା ନଥିବାରୁ ରାସ୍ତାକଡ଼ରେ ଜବତ ଗାଡ଼ି ଗୁଡ଼ିକୁ ରଖାଯାଇଛି। ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ କଠୋ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ଏହାକୁ ରୋକାଯାଇପାରୁ ନାହିଁ। ଆନନ୍ଦପୁରରେ ଖଣି ବିଭାଗର ଏକ କାର୍ଯ୍ୟାଳୟ ଖୋଲିବା, ଏନଫୋର୍ସମେଣ୍ଟ ସ୍କ୍ବାଡ୍ଙ୍କୁ ନିୟୋଜିତ କରିବା ଓ ଧରପଗଡ଼ ଜୋରଦାର କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/a-a-1.jpg)