ମନ୍ତ୍ରୀପୁଅ ଦେବାଶିଷଙ୍କ ସମେତ ୫ ଜଣଙ୍କୁ ଜାମିନ

କଟକ/କେନ୍ଦୁଝର : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର ଓରଫ ଟୁଟୁଙ୍କ ସମେତ ୫ ଜଣଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି।

ହାଇକୋର୍ଟର ବିଚାରପତି ଜଷ୍ଟିସ ଦେବବ୍ରତ ଦାଶ ଜାମିନ ଆବେଦନର ଶୁଣାଣି କରି ଦେବାଶିଷଙ୍କ ସହିତ ଅକ୍ଷୟ ସାହୁ, ଆଶିଷ ବେହେରା, ଅଜୟ ସାହୁ ଓ ନିର˚ଜନ ସାହୁଙ୍କୁ ନିୟମିତ ଜାମିନ ପ୍ରଦାନ କରିଛନ୍ତି। ଆବେଦନକାରୀଙ୍କୁ ଜାମିନରେ ଛାଡିବା ପାଇଁ ନିମ୍ନ ଅଦାଲତ ସର୍ତ୍ତ ଧାର୍ଯ୍ୟ କରିବେ। ଏଥିସହିତ ଜାମିନରେ ଯିବା ପରେ ଆବେଦନକାରୀ କୌଣସି ପ୍ରକାର ଅପରାଧିକ କାର୍ଯ୍ୟରେ ସ˚ପୃକ୍ତ ହେବେ ନାହିଁଁ। ସାକ୍ଷୀଙ୍କୁ ପ୍ରଭାବିତ କରିବା ଭଳି କୌଣସି କାର୍ଯ୍ୟ କରିବେ ନାହିଁ। ପ୍ରତି ୧୫ ଦିନରେ ଥରେ ଘସିପୁରା ଥାନା ଆଇଆଇସିଙ୍କ ନିକଟରେ ହାଜର ହେବେ ବୋଲି ସର୍ତ୍ତାରୋପ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରଜତ କୁମାର ରଥ, ଆଇନଜୀବୀ ପ୍ରଦୀପ କୁମାର ମହାପାତ୍ର ଓ ଭବାନୀ ଶଙ୍କର ଦାସ ମାମଲା ପରିଚାଳନା କରୁଥିଲେ। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଦୌରା ଅଦାଲତରେ ଜାମିନ ଖାରଜ ହେବା ପରେ ଦେବାଶିଷ ଓ ଅନ୍ୟମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ଦେବାଶିଷଙ୍କ ନେତୃତ୍ବରେ ସେପ୍ଟେମ୍ବର ୬ରେ ଘସିପୁରା ବସଷ୍ଟାଣ୍ତରେ ପୂର୍ବତନ ପୌରାଧୢକ୍ଷ ସୁରେଶ ସାହୁଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା। ଏହାପରେ ଶୈଲଙ୍ଗଠାରେ ୬ଜଣ ଦଳିତ ଯୁବକଙ୍କୁ ଖଣ୍ତା ଭୁଜାଲି ଓ ଲୁହା ରଡରେ ଆକ୍ରମଣ ଏବଂ ୧୭ ତାରିଖ ସ˚ଧୢାରେ ପଦନା ଛକରେ ଏହି ଘଟଣାର ଜଣେ ଅଭିଯୁକ୍ତକୁ ଧରିବା ବେଳେ ପୁଲିସ ଉପରେ ଆକ୍ରମଣ ଅଭିଯୋଗ ହୋଇଥିଲା। ପୁଲିସ ୧୮ ତାରିଖ ରାତିରେ ତିନୋଟି ମାମଲାରେ ଦେବାଶିଷଙ୍କୁ ଗିରଫ କରିଥିଲା। ପୂର୍ବରୁ ଦେବାଶିଷ ଅନ୍ୟ ମାମଲାରେ ଜାମିନ ପାଇଥିବା ବେଳେ ଘସିପୁରା ଥାନାରେ ଆଇପିସିର ଧାରା ୧୪୭, ୧୪୮, ୪୨୭, ୩୨୩, ୨୯୪, ୩୨୪, ୩୨୫, ୩୦୭, ୧୪୯ ସହିତ ଏସ୍‌.ସି. ଆଣ୍ତ୍‌ ଏସ୍‌.ଟି.(ପିଏ) ଆକ୍ଟର ଧାରା ୩(୧)(ଆର)(ଏସ୍‌)ରେ ରୁଜୁ ମାମଲାରେ ତାଙ୍କ ଜାମିନ ନିମ୍ନ ଅଦାଲତରେ ଖାରଜ ହୋଇ ଯାଇଥିଲା। ସେହି ଦିନରୁ ସେ ଜେଲ୍‌ରେ ଅଛନ୍ତି।

ସମ୍ବନ୍ଧିତ ଖବର