ନିଖୋଜ ନାବାଳିକା ମଧ୍ୟପ୍ରଦେଶରୁ ଉଦ୍ଧାର

ତେଲକୋଇ: ମୋବାଇଲ ମିସ୍‌ଡ କଲ୍‌ରୁ ପ୍ରେମ। ଆଉ ତା’ପରେ ସ୍ଥାନ, ଜାତିଭେଦ ନଦେଖି ନାବାଳିକାଜଣକ ପ୍ରେମିକ ସହ ଚାଲିଯାଇଥିଲେ ମଧ୍ୟପ୍ରଦେଶ। ପରିବାର ଲୋକେ ଏ ବିଷୟରେ ବିନ୍ଦୁ ବିସର୍ଗ ଜାଣିବାକୁ ପାଇନଥିଲେ। ଶେଷରେ ସଂପୃକ୍ତ ନାବାଳିକା ଏ ବିଷୟରେ (୧୭) ଘର ଲୋକଙ୍କୁ ଜଣାଇବା ପରେ ୪ ମାସ ପରେ ମଧ୍ୟପ୍ରଦେଶର ଛତରପୁର ଜିଲ୍ଲା ବାମନୁରା ଗ୍ରାମରୁ ତାଙ୍କୁ ଉଦ୍ଧାର କରିଛନ୍ତି।
ଖବର ଅନୁସାରେ ମୋବାଇଲ ମିସ୍‌ଡ କଲ୍‌ରୁ ଅନୁଗୁଳ ଜିଲ୍ଲା ବଅଁରପାଳ ଗ୍ରାମର ଶମ୍ଭୁ ନାଏକଙ୍କ ସହିତ ସଂପୃକ୍ତ ଯୁବତୀଙ୍କର ପ୍ରେମସଂପର୍କ ଗଢ଼ିଉଠିଥିଲା। ପରେ ବିବାହର ପ୍ରତିଶ୍ରୁତି ଦେଇ ଶମ୍ଭୁ ତାଙ୍କୁ ନେଇଯାଇଥିଲେ। କିଛିଦିନ ପରେ ଶମ୍ଭୁ ବିବାହିତ ବୋଲି ସଂପୃକ୍ତ ନାବାଳିକା ଜାଣିବାକୁ ପାଇଥିଲେ। ଏଣୁ ସେ ବିବାହ ପାଇଁ ଅରାଜି ହୋଇଥିଲେ। ଏଥିରେ ଶମ୍ଭୁ ପ୍ରତିକ୍ରିୟାଶୀଳ ହୋଇ ମଧ୍ୟପ୍ରଦେଶର ଜଣେ ଯୁବକ ବାହାଦୁର ସିଂଙ୍କୁ ଡକାଇ ତାଙ୍କ ହାତରେ ନାବାଳିକାଙ୍କୁ ସମର୍ପି ଦେଇଥିଲେ ବୋଲି ଜଣାପଡ଼ିଛି।
ଏଣେ ଘରଲୋକେ ନିଜ ଝିଅକୁ ନପାଇ ତେଲକୋଇ ଥାନାରେ ଏକ ନିଖୋଜ ଅଭିଯୋଗ କରିଥିଲେ। କିନ୍ତୁ ହଠାତ ଆଜି ନାବାଳିକାର ପରିବାର ଲୋକେ ଓ ମଧ୍ୟପ୍ରଦେଶର ବାହାଦୁର ସିଂ ତେଲକୋଇ ଥାନାକୁ ଆସି ଘଟଣା ସଂପର୍କରେ ଜଣାଇଥିଲେ। ତେଲକୋଇ ଥାନା ଅଧିକାରୀଙ୍କ ସୂଚନା ଅନୁସାରେ ନିଖୋଜ ଝିଅ ସଂପର୍କରେ ଥାନାରେ କେସ୍‌ ଡାଏରି ହୋଇଥିଲା। ଆଜି ଝିଅକୁ ନେଇ ପରିବାର ଲୋକେ ଥାନାକୁ ଆସିଥିଲେ। ସେ ମଧ୍ୟପ୍ରଦେଶର ଘରୋଇ କାର୍ଯ୍ୟ କରୁଥିବା ପ୍ରକାଶ କରିଛନ୍ତି। ଏନେଇ ଅଧିକ ତଦନ୍ତ ଚାଲିଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର