ଆନନ୍ଦପୁର : ଆମ୍ବୁଲାନ୍ସରେ ଡାକ୍ତରଖାନା ଆସିବାବେଳେ କର୍ମଚାରୀଙ୍କ ଅବହେଳା ପାଇଁ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏହାକୁ କେନ୍ଦ୍ରକରି ଆନନ୍ଦପୁର ଉପଖଣ୍ତ ଡାକ୍ତରଖାନାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଛି।
ପ୍ରାପ୍ତ ସୂଚନା ଅନୁସାରେ, ହାଟଡିହି ବ୍ଲକ୍ ନନ୍ଦିପଦା ଥାନା କ୍ଷେତୁଆଳି ଗ୍ରାମର ବସନ୍ତ ବେହେରାଙ୍କ ଝିଅ ଜ୍ୟୋତ୍ସ୍ନାମୟୀଙ୍କ ସ୍ବାସ୍ଥାବସ୍ଥା ଖରାପ ହେବାରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ଆନନ୍ଦପୁର ଉପଖଣ୍ତ ଡାକ୍ତରଖାନା ଅଣାଯାଉଥିଲା। ରାସ୍ତାରେ ଜ୍ୟୋତ୍ସ୍ନାମୟୀ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିଥିଲେ। ଆମ୍ବୁଲାନ୍ସରେ ଥିବା ମା' ତୁଳସୀ ବେହେରା କର୍ମଚାରୀଙ୍କୁ ଅକ୍ସିଜେନ ଲଗାଇବା ପାଇଁ ଅନୁରୋଧ କରିଥିଲେ। କର୍ମଚାରୀ ତାଙ୍କ କଥା ଶୁଣିନଥିବା ବେଳେ ଓଲଟା ଗାଳିଗୁଲଜ କରିଥିବା ତୁଳସୀ ଅଭିଯୋଗ କରିଛନ୍ତି। ଡାକ୍ତରଖାନାରେ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ଖବରପାଇ ତାଙ୍କ ସମ୍ପର୍କୀୟ ଡାକ୍ତରଖାନାରେ ପହଞ୍ଚି ପାଟିତୁଣ୍ଡ କରିଥିଲେ। ଝିଅର ମୃତ୍ୟୁପାଇଁ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ପରିବାର ଲୋକେ ଦାୟୀ କରିଥିଲେ। ଖବର ପାଇ ଘସିପୁରା ପୁଲିସ ଡାକ୍ତରଖାନାରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ଘଟଣାର ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ମୃତ ନାବାଳିକାଙ୍କ ପରିବାର ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/keonjhar-1.jpg)