ମୋରମ ମାଫିଆ-ଗ୍ରାମବାସୀ ମୁହାଁମୁହିଁ : ଅଟକ ୧୯ ହାଇୱା ଛଡ଼ାଇନେଲେ :ମହ୍ଲାରପଦା ଗ୍ରାମରେ ଉତ୍ତେଜନା

ଆନନ୍ଦପୁର: ଆନନ୍ଦପୁର ତହସିଲ ଇଲାକାରେ ମୋରମ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ମହ୍ଲାରପଦା ଗ୍ରାମ ନିକଟରୁ ରାତିଅଧରେ ମୋରମ ଚାଲାଣକୁ କେନ୍ଦ୍ରକରି ଗ୍ରାମବାସୀ ଓ ମାଫିଆ ମୁହାଁମୁହିଁ ହୋଇଛନ୍ତି। ଗ୍ରାମବାସୀ ଗତକାଲି ଅଟକ ରଖିଥିବା ୧୯ଟି ହାଇୱାକୁ ଆଜି ମାଫିଆମାନେ ବଳପୂର୍ବକ ଛଡ଼ାଇ ନେଇଛନ୍ତି। ଏହାକୁ କେନ୍ଦ୍ରକରି ଗ୍ରାମରେ ଜୀବ୍ର ଉତ୍ତେଜନା ଲାଗିରହିଛି।
ମହ୍ଲାରପଦା ଗ୍ରାମ ନିକଟ ବାହିଆ-ବାରଦଣ୍ତା ଖାଦାନରୁ ଗତ ତିନିଦିନ ହେଲା ହାଟଡିହି ଅଞ୍ଚଳର କିଛି ମାଫିଆ ବେଆଇନ୍‌ଭାବେ ମୋରମ ଚାଲାଣ କରୁଥିଲେ। ଗତକାଲି ରାତି ୧୨ଟାବେଳେ ୨୫ରୁ ଊର୍ଦ୍ଧ୍ବ ଗାଡ଼ିରେ ମୋରମ ଚାଲାଣ ଆରମ୍ଭ ହୋଇଥିବାବେଳେ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ। ଲୋକଙ୍କ ବିରୋଧ ଦେଖି ଚାଲାଣ କରିବାକୁ ଆସିଥିବା ଲୋକମାନେ ସେଠାରୁ ପଳାଇ ଯାଇଥିଲେ। ଗ୍ରାମବାସୀ ୧୯ଟି ହାଇୱାକୁ ଅଟକ ରଖିଥିଲେ। ସକାଳୁ ମାଫିଆମାନେ ସ˚ଘବଦ୍ଧ ହୋଇ ଗ୍ରାମରେ ପହଞ୍ଚି କିଛି ସ୍ଥାନୀୟ ଯୁବକଙ୍କ ସହାୟତାରେ ଅଟକ ଗାଡ଼ିଗୁଡିକୁ ନେଇ ଯାଇଥିଲେ। ଏହି ସମୟରେ ମାଫିଆମାନେ ଗ୍ରାମର ଜଣେ ଯୁବକ ଓ ମହିଳାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।
ଖବର ପାଇ ଆନନ୍ଦପୁର ତହସିଲଦାର ତପନ କୁମାର ନାୟକ ପୁଲିସ୍‌ ଫୋର୍ସ ସହିତ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରିଥିଲେ। ସେଠାରେ ମୋରମ ଖୋଳା ପାଇଁ ରଖାଯାଇଥିବା ମେସିନ୍‌କୁ ଚିହ୍ନଟ କରାଯାଇନଥିବାରୁ ମାମଲା ରୁଜୁ କରାଯାଇନଥିବା ସେ କହିଛନ୍ତି। ଏହି ଅଞ୍ଚଳ ହଦଗଡ଼ ଅଭୟାରଣ୍ୟ ପରିସରରେ ଆସୁଥିବାବେଳେ ଏଠାରେ ଥିବା ମୋରମ ଖାଦାନର ନିଲାମ ବହୁବର୍ଷ ହେଲା କରଯାଇନାହିଁ। ଗତ ଦୁଇତିନି ଦିନ ହେଲା ଏଠାରେ ମାଫିଆମାନେ ରାତିଅଧିଆ ମୋରମ ଖୋଳା ଆରମ୍ଭ କରିଛନ୍ତି। ଉପଜିଲ୍ଲାପାଳଙ୍କ ନିର୍ଦେଶରେ ଏକ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି। ତେବେ ଏହି ଘଟଣାରେ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଥାନା ଅଧିକାାରୀ କହିଛନ୍ତି।

ସମ୍ବନ୍ଧିତ ଖବର