କାଳିଆ କଳି କାଳ କଲା : ଜେଜେଙ୍କ ତଣ୍ଟି କାଟିଦେଲା ନାତି

ଆନନ୍ଦପୁର : କାଳିଆ ଟଙ୍କା ଭାଗବଣ୍ଟାକୁ ନେଇ ଜେଜେ ନାତି କଳି। ଉତକ୍ଷିପ୍ତ ନାତି ଜେଜେଙ୍କ ତଣ୍ଟି କାଟି ହତ୍ୟା କରିଦେଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଘସିପୁରା ଥାନା କୋଳିମାଟି ପଞ୍ଚାୟତ ବିଶ୍ବକର୍ମା ସାହିରେ। ପୁଲିସ ଅଭିଯୁକ୍ତ ନାତି ଦୁଷ୍ମନ୍ତ ରଣାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ସୂଚନା ଅନୁସାରେ ରାଜ୍ୟ ସରକାରଙ୍କ ‘କାଳିଆ’ ଯୋ‌ଜନାରେ ବିଶ୍ବକର୍ମା ସାହିର କ୍ଷେତ୍ରବାସୀ ରଣା (୭୫) ଭୂମିହୀନ ଚାଷୀ ଭାବେ ପଞ୍ଜୀକୃତ ହୋଇଥି‌ଲେ। ତାଙ୍କୁ ୫ ହଜାର ଟଙ୍କା ସହାୟତା ରାଶି ମିଳିଥିଲା। ବ୍ୟାଙ୍କରୁ ଟଙ୍କା ଉଠାଇବା ପରେ କ୍ଷେତ୍ରବାସୀ ପୁଅ ଚିନ୍ତାମଣିଙ୍କୁ ୪ ହଜାର ଟଙ୍କା ଦେଇଥିଲେ। ନାତି ଦୁଷ୍ମନ୍ତ ବାକି ହଜାରେ ଟଙ୍କା ମାଗୁଥି‌ଲା। କ୍ଷେତ୍ରବା‌ସୀ ଟଙ୍କା ଦେବାକୁ ମନା କରୁଥିଲେ। ଏହାକୁ ନେଇ ଜେଜେ-ନାତିଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ନାତି ଦୁଷ୍ମନ୍ତ ଜେଜେଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା।

ଗତକାଲି ରାତି ପ୍ରାୟ ୩ଟା ବେଳେ କ୍ଷେତ୍ରବାସୀଙ୍କ ଶୋଇବା ଘରକୁ ଯାଇଥିଲା ଦୁଷ୍ମନ୍ତ। ଜେଜେଙ୍କୁ ଟଙ୍କା ମାଗିଥିଲା। ଜେଜେ ଟଙ୍କା ନଦେବାରୁ ଉତକ୍ଷିପ୍ତ ଦୁଷ୍ମନ୍ତ ଏକ ଧାରୁଆ ଛୁରିରେ ଜେଜେଙ୍କ ତଣ୍ଟି କାଟି ହତ୍ୟା କରିଥିଲା। ଘଟଣାସ୍ଥଳରେ ଜେଜେ କ୍ଷେତ୍ରବାସୀଙ୍କ ରକ୍ତ ଜୁଡ଼ୁବୁଡୁ ଶରୀରକୁ ଛାଡ଼ି ଚାଲି ଯାଇଥିଲା। ଖବର ପାଇ ସକାଳୁ ଘସିପୁରା ପୁଲିସ ଗ୍ରାମରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିଲେ। ଅଭିଯୁକ୍ତ ଦୁଷ୍ମନ୍ତକୁ ପୁଲିସ ଗିରଫ କରିଛି। ସୂଚନା ଯୋଗ୍ୟ, କାଳିଆ ଟଙ୍କା ପାଇଁ ଦୁଷ୍ମନ୍ତ ଜେଜେଙ୍କୁ ହତ୍ୟା କରିଥିବା ନେଇ ତାଙ୍କ ବାପା ଚିନ୍ତାମଣି ଗଣମାଧ୍ୟମ ଆଗରେ ପ୍ରକାଶ କରିବା ସହିତ ଥାନାରେ ଏତଲା ଦେଇଛନ୍ତି।

ସମ୍ବନ୍ଧିତ ଖବର