୧୨ କିଲୋ ଚାଉଳ ପାଇଁ ଦମ୍ପତିଙ୍କୁ ହତ୍ୟା

୩ ସପ୍ତାହ ପରେ ୩ ଭାଇ ଗିରଫ, ଅଭିଯୁକ୍ତର ପତ୍ନୀ ଖୋଲିଲେ ଗୁମର, କୂଅରୁ ବୃଦ୍ଧାଙ୍କ ଗଳିତ ଶବ ଉଦ୍ଧାର

କେନ୍ଦୁଝର: ଚୋରି କରିବାକୁ ଯାଇ ଜଗୁଆଳିଙ୍କ ହାବୁଡ଼ରେ ପଡ଼ିଲେ। ଘଟଣା ପ୍ରଘଟ ହେବା ଭୟରେ ଜଗୁଆଳି କାମ କରୁଥିବା ଦମ୍ପତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ। ମାତ୍ର, ୧୨ କିଲୋ ଚାଉଳ ଓ ୧୨ ଶହ ଟଙ୍କା ପାଇଁ ଏହି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି। ଏଥିରେ ସମ୍ପୃକ୍ତ ୩ ଭାଇଙ୍କୁ ଗିରଫ ପରେ ଘଟଣାର ପର୍ଦାଫାସ୍‌ ହୋଇଛି। ଗତ ୧୩ ତାରିଖ ଦିନ କେନ୍ଦୁଝର ସଦର ଥାନା ଅନ୍ତର୍ଗତ ବାଂଶପାଳ ବ୍ଲକର ଖୁଣ୍ଟାକଟା ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟଣା ଘଟିଥିଲା। ସେଦିନ ବିଦ୍ୟାଧର ସେଠୀଙ୍କ ତିନି ପୁଅ ଫକୀର ସେଠୀ (୨୫), ଉମା ସେଠୀ (୨୨) ଓ ଅକ୍ଷୟ ସେଠୀ (୨୦)  ଏକ କ୍ରସରରୁ ୧୨ଶହ ଟଙ୍କା ଏବ˚ ୧୨ କିଲୋ ଚାଉଳ ଚୋରି କରିଥିଲେ।  ମାତ୍ର,  ସେଠାରେ ରାତ୍ରି ଜଗୁଆଳି ଭାବେ କାମ କରୁଥିବା ସେହି ଗ୍ରାମର ନିଲୁ ନାଏକ (୫୫) ଓ  ତାଙ୍କ ପତ୍ନୀ କସ୍ତୁରୀ ନାଏକ(୫୦)ଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ। ଧରାପଡ଼ିବା ଭୟରେ ୩ ଭାଇ  ଦମ୍ପତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ଏହାପରେ ଶବକୁ ଏକ ପରିତ୍ୟକ୍ତ କୂଅରେ ପକାଇ ଚମ୍ପଟ ମାରିଥିଲେ। ପୁଲିସ୍‌ର ସୂଚନା ଅନୁସାରେ, ଗତ ଜାନୁଆରି ୧୩ ତାରିଖରେ ଏହି ଜଘନ୍ୟକାଣ୍ଡ ପରେ ଅଭିଯୁକ୍ତମାନେ କିଛିଦିନ ଗ୍ରାମରେ ରହି ପ୍ରଥମେ କଟକ ପରେ ବାଲେଶ୍ବରକୁ କାମ କରିବାକୁ ଚାଲି ଯାଇଥିଲେ। ଏପଟେ ବାପା ମା’ଙ୍କୁ ନପାଇ ପୁଅ ପବିତ୍ର ନାଏକ କେନ୍ଦୁଝର ସଦର ଥାନାରେ ନିଖୋଜ ଅଭିଯୋଗ କରିଥିଲେ। ଜଣେ ଅଭିଯୁକ୍ତଙ୍କ ପତ୍ନୀ ହତ୍ୟାକାଣ୍ଡ ସମ୍ପର୍କରେ ସୁରାକ ଦେବା ପରେ ପୁଲିସ ଅଭିଯୁକ୍ତଙ୍କୁ ଧରିବାକୁ ଜାଲ ବିଛାଇଥିଲା। ସଦର ଥାନାଧିକାରୀ ସ୍ମୃତିପ୍ରଭା ପ୍ରଧାନଙ୍କ ନେତୃତ୍ବରେ ଏକ ଟିମ୍‌ ଆଜି ସମସ୍ତ ଅଭିଯୁକ୍ତଙ୍କୁ ବାଲେଶ୍ବରରୁ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତଙ୍କ ସୂଚନା ଆଧାରରରେ ଆଜି ସେହି ପରିତ୍ୟକ୍ତ କୂଅରୁ କସ୍ତୁରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ରାତି ହୋଇଯାଇଥିବାରୁ ନିଲୁଙ୍କ ମୃତଦେଦ ଉଦ୍ଧାର ହୋଇପାରିନି। ବା˚ଶପାଳ ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ତେବେ, ଉଦ୍ଧାରବେଳେ  ସାପ କାମୁଡାରେ ଦୁଇଜଣ ଅଗ୍ନିଶମ ସେବା ବାହିନୀ କର୍ମଚାରୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ବା˚ଶପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମାଜିଷ୍ଟ୍ରେଟ ଭାବେ ବା˚ଶପାଳ ଅତିରିକ୍ତ ତହସିଲଦାର ତ୍ରିନାଥ ଦାସ ଉଦ୍ଧାର କାର୍ଯ୍ୟ ବେଳେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର