କୁଣ୍ଡାପିଠାରେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ:ଆତ୍ମହତ୍ୟା ନା ଯୋଜନାବଦ୍ଧ ହତ୍ୟା?

ଘଟଗାଁ: ଘଟଗାଁ ବ୍ଲକ ବଡ଼ଜାମୁପଶି ପଞ୍ଚାୟତର କୁଣ୍ଡାପିଠା ଗ୍ରାମର ଚିନାମାଳିସାହିରେ ଜଣେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଗ୍ରାମର ଜଗନ୍ନାଥ ମହାନ୍ତଙ୍କ ସ୍ତ୍ରୀ ସରିତା (୨୦)ଙ୍କ ମୃତଦେହ ଘର ପଛପଟ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ବାପଘର ଲୋକେ ଏହାକୁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି କହିଛନ୍ତି। ଯୌତୁକ ଲାଗି ଶାଶୂଘର ଲୋକେ ସରିତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଛନ୍ତି ବୋଲି ବାପଘର ପକ୍ଷରୁ ଘଟଗାଁ ଥାନାରେ ଅଭିଯୋଗ କରାଯାଇଛି। ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
ସରିତାଙ୍କ ବାପଘର ପାଟଣା ବ୍ଲକ ଖମୁଆ ଗ୍ରାମରେ। ଗତବର୍ଷ ତାଙ୍କର ବିବାହ ହୋଇଥିଲା। କିଛିଦିନ ତଳେ ବାପଘରକୁ ଯାଇଥିବା ସରିତା ୪ ଦିନ ହେବ ଶାଶୂଘରକୁ ଫେରିଥିଲେ। ସେହିପରି ସ୍ୱାମୀ ଜଗନ୍ନାଥ ଜଣେ ଟ୍ରକ୍‌ ଡ୍ରାଇଭର। ଗାଡ଼ି ଚଲାଇବାକୁ ଯାଇଥିବା ଜଗନ୍ନାଥ ଗତକାଲି ଘରକୁ ଆସିଥିଲେ। ଗତକାଲି ରାତିରେ ଉଭୟ ଖାଇପିଇ ଶୋଇଥିଲେ। ଆଜି ସକାଳେ ସରିତାଙ୍କ ମୃତଦେହ ଘର ପଛପଟ ଏକ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ସରିତା ଶାଢ଼ିରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ବୋଲି ଶାଶୂଘର ଲୋକେ କହୁଛନ୍ତି।
ଅନ୍ୟପକ୍ଷରେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସରିତାଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି। ସରିତା ବାପଘରକୁ ଯାଇଥିବାବେଳେ ଶାଶୂଘର ଫେରିବାକୁ ଅରାଜି ହେଉଥିଲେ। ତାଙ୍କୁ ବୁଝାସୁଝା କରି ଶାଶୂଘର ପଠାଯାଇଥିଲା। ଆଜି ସେ ଆତ୍ମହତ୍ୟା କରିଥିବା ନେଇ ଖବର ଦିଆଯାଇଛି। ରାତିରେ ଜଗନ୍ନାଥ ସରିତାଙ୍କ ପାଖରେ ଶୋଇଥିଲେ। ସେ ଆତ୍ମହତ୍ୟା କରିବାକୁ ଗଲାବେଳେ ଜଗନ୍ନାଥ କିପରି ଜାଣି ପାରିଲେନି ବୋଲି ପରିବାର ଲୋକେ ପ୍ରଶ୍ନ କରିଛନ୍ତି। ସେହିପରି ସରିତାଙ୍କ ଦେହରେ କ୍ଷତ ଚିହ୍ନ ମଧ୍ୟ ରହିଛି। ଯୌତୁକ ପାଇଁ ସରିତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଖବର ପାଇ ଘଟଗାଁ ଥାନାଧିକାରୀ ସତିଶ ଚନ୍ଦ୍ର ନାଏକ, ଏଏସଆଇ ସହଦେବ ସାହୁ, ଜ୍ୟୋତ୍ସ୍ନାରାଣୀ ପାତ୍ର ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛନ୍ତି। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଶବ ପଞ୍ଚନାମା କରାଯିବା ସହ ଉଭୟ ପରିବାରର ବୟାନ ରେକର୍ଡ କରାଯାଇଛି। ଶବ ବ୍ୟବଚ୍ଛେଦ ପାଇଁ ପାଟଣା ପଠାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର