ଆନନ୍ଦପୁର: ରାମଚନ୍ଦ୍ରପୁର ଥାନା ସିଆପଡ଼ା ଗ୍ରାମରେ ଜଣେ ନବବଧୂଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ଶ୍ୱଶୁର ଘର ପକ୍ଷରୁ ବୋହୂ ଆତ୍ମହତ୍ୟା କରିଥିବା କୁହାଯାଉଥିବାବେଳେ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ବାପଘର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାରେ ନବବଧୂର ସ୍ୱାମୀଙ୍କୁ ପୁଲିସ ଅଟକ ରଖି ତଦନ୍ତ ଚଳାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗତ ମାର୍ଚ୍ଚ ୧୩ ତାରିଖରେ ରାମଚନ୍ଦ୍ରପୁର ଥାନା ଚଣ୍ଡାଳି ଗ୍ରାମର ବିଜୟ ନାୟକଙ୍କ ଝିଅ ବବି ସହିତ ସିଆପଡ଼ା ଗ୍ରାମର ଚୈତନ ରାଉତଙ୍କ ପୁଅ ଶାନ୍ତନୁଙ୍କ ବୈଦିକ ରୀତିରେ ବିବାହ ହୋଇଥିଲା। ଆସନ୍ତାକାଲି ଶାନ୍ତନୁ ପ୍ରଥମଥର ପାଇଁ ବବିଙ୍କ ସହିତ ଶ୍ୱଶୁରଘର ଚଣ୍ଡାଳି ଗ୍ରାମକୁ ଯିବାପାଇଁ ଘରେ ସମସ୍ତ ପ୍ରସ୍ତୁତି ଚାଲିଥିବା ବେଳେ ହଠାତ୍‌ ଦିନ ସାଢେ ଗୋଟାଏ ବେଳେ ବବିଙ୍କର ମୃତଦେହ ଏକ ଘରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ତେବେ ବବି ନିଜ ପିନ୍ଧା ଲୁଗାରେ ଆତ୍ମହତ୍ୟା କରିଥିବା ନେଇ ଶାନ୍ତନୁଙ୍କ ପରିବାର ଲୋକ ପ୍ରକାଶ କରିଛନ୍ତି। ଘରେ ଖୁସିର ମାହୋଲ ଚାଲିଥିବା ବେଳେ ନବବଧୁ କାହିଁକି ଆତ୍ମହତ୍ୟା କଲେ ସଠିକ୍‌ କାରଣ ଜଣା ପଡିନାହିଁ। ଅନ୍ୟପକ୍ଷରେ ତାଙ୍କ ଝିଅକୁ ମାରି ଦିଆଯାଇଥିବା ନେଇ ବିଜୟ ନାୟକ ଥାନାରେ ଅଭିଯୋଗ କରିଛନ୍ତି। ରାମଚନ୍ଦ୍ରପୁୂର ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।