ବଡ଼ବିଲରେ ଗ୍ୟାଙ୍ଗ୍‌ଓ୍ଵାର : ଉଭୟ ଗ୍ୟାଙ୍ଗର ୯ ଗିରଫ

ଅଫୁଟା ବୋମା, ମାରଣାସ୍ତ୍ର, ସ୍କର୍ପିଓ, ୪ ବାଇକ୍‌, ୯ ମୋବାଇଲ ଜବତ

ବଡ଼ବିଲ : କେନ୍ଦୁଝର ଜିଲ୍ଲା ବଡ଼ବିଲ ଦାମୁହଟିଂ ଅଞ୍ଚଳରେ ଗ୍ୟାଙ୍ଗ୍‌ଓ୍ଵାର୍‌ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ପୁଲିସର ତତ୍କାଳ ପଦକ୍ଷେପ ଯୋଗୁ ଏକ ବଡ଼ଧରଣର ହିଂସା ଟଳିଯାଇଛି। ଉଭୟ ପକ୍ଷର ୯ ଜଣଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଟିଟୁ ଗ୍ୟାଙ୍ଗ୍‌ର ଲିଡର ବଡ଼ବିଲ ଥାନା ଦାମୁହଟିଂର ସୁନୀଲ ପାତ୍ର ଓରଫ ଟିଟୁ, ଭଦ୍ରାସାହିର ରୋଶନ ଗୁପ୍ତା, ଶ୍ରୀରାମ ନଗରର ଜସ୍‌ପାଲ୍‌ ସିଂ ଓରଫ ମାନୁ, ଗାଢ଼ାହଟିଂର ଗୌତମ ସ୍ୱାଇଁ ଓରଫ ଗଞ୍ଜାମ, ବଲାଣି ଥାନା ଡର୍ବିଛକ ଅଞ୍ଚଳର କୁଶାଲ କେନ୍ଥ, ଯୋଡ଼ା ଥାନା କମାରଯୋଡ଼ାର ମୁନା ପାତ୍ର, ଶିବ ପାତ୍ର, ମୁଜାଫର ଗ୍ୟାଙ୍ଗର ଲିଡର ଝୁମ୍ପୁରା ଥାନା ଅର୍ଶଳା ଗ୍ରାମର ଏମ୍‌ଡି ମୁଜାଫର ଓ ବିକ୍ରମ ପ୍ରଧାନ।

ବଡ଼ବିଲ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକଙ୍କ ସୂଚନା ଅନୁସାରେ ମୁଜାଫର ଗ୍ୟାଙ୍ଗ ପାଖରୁ ଦୁଇଟି ଅଫୁଟା ବୋମା, ସ୍କର୍ପିଓ ଏବଂ ଟିଟୁ ଗ୍ୟାଙ୍ଗ ପାଖରୁ ଗୁପ୍ତି, ଛୁରି, ଖଣ୍ଡା, ୪ଟି ବାଇକ, ୯ଟି ମୋବାଇଲ୍‌ ଫୋନ ସହ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଛି। ସୁନୀଲ ନାମରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଥାନାରେ ୪୫ରୁ ଅଧିକ ଏବଂ ମୁଜାଫର, ବିକ୍ରମଙ୍କ ନାମରେ ୧୦ରୁ ଅଧିକ ଡକାୟତି, ହତ୍ୟା ଆଦି ମାମଲା ରହିଛି। ୧୪ ତାରିଖ ସଂଧ୍ୟାରେ ଏମ୍‌ଡି ମୁଜାଫର ଓ ତା’ର ସହଯୋଗୀ ବିକ୍ରମ ପ୍ରଧାନ ଏକ ସ୍କର୍ପିଓରେ ବଡ଼ବିଲ ଦାମୁହଟିଂରେ ପହଞ୍ଚିଥିଲେ। ପୂର୍ବ ଶତ୍ରୁତାରୁ ଟିଟୁ ଗ୍ୟାଙ୍ଗର ମୁଖ୍ୟ ସୁନୀଲ ପାତ୍ର ଓରଫ ଟିଟୁକୁ ହତ୍ୟା କରିବା ଦୁହିଁଙ୍କ ଟାର୍ଗେଟ୍‌ ଥିଲା। ଏ ଖବର ଟିଟୁ ଗ୍ୟାଙ୍ଗ୍‌ ପାଖରେ ପୂର୍ବରୁ ପହଞ୍ଚିଯାଇଥିବାରୁ ସେମାନେ ସତର୍କ ହୋଇ ଯାଇଥିଲେ। ମୁଜାଫର ଓ ବିକ୍ରମ ସ୍କର୍ପିଓରୁ ଓହ୍ଲାଇବା ମାତ୍ରେ ଟିଟୁ ଗ୍ୟାଙ୍ଗର ଏକାଧିକ ସଦସ୍ୟ ଦୁହିଁଙ୍କୁ ମରଣାନ୍ତକ ଆକ୍ରମଣ କରିଥଲେ। ନିସ୍ତୁକ ମାଡ଼ ମାରିବା ପରେ ଦୁହିଁଙ୍କୁ ଅପହରଣ କରିନେଇଥିଲେ। ମୁଜାଫରର ପତ୍ନୀଙ୍କୁ ଫୋନ୍‌ରେ ଧମକ ଦେଇ ‘ତମ ସ୍ୱାମୀକୁ ଅପହରଣ କରାଯାଇଛି, ୩ ଲକ୍ଷ ଟଙ୍କା ଦେଇ ନେଇଯାଅ’ ବୋଲି କହିଥିଲେ। ଏ ନେଇ ବଡ଼ବିଲ ଥାନାରେ ମୁଜାଫରର ପତ୍ନୀ ଅଜ୍‌ମତ୍‌ ବାନୀ ଗତକାଲି ଲିଖିତ ଅଭିଯୋଗ କରିଥିଲେ। ଏହା ପରେ ବଡ଼ବିଲ ଏସ୍‌ଡିପିଓ ରାହୁଲ ଜେନ୍‌ଙ୍କ ନିର୍ଦେଶକ୍ରମେ ଥାନା ଏସ୍‌ଆଇ ସୌରଭ ସାମଲଙ୍କ ନେତୃତ୍ଵରେ ପୁଲିସର ଏକ ଟିମ୍‌ ଦାମୁହଟିଂ ଓ ସୁନ୍ଦରାବସ୍ତି ନିକଟରେ ଚଢ଼ଉ କରି ଉଭୟ ଗ୍ୟାଙ୍ଗର ୯ ଜଣଙ୍କୁ କାବୁ କରିଥିଲା।

ସମ୍ବନ୍ଧିତ ଖବର