ଆନନ୍ଦପୁର: ଆନନ୍ଦପୁର ସରକାରୀ ଶିଳ୍ପ ତାଲିମ୍ କେନ୍ଦ୍ର (ଆଇଟିଆଇ) ପରିସରରେ ଚାଲିଛି ବେଆଇନ୍ ଗଛକଟା। ବାହାରେ ଫାଟକରେ ତାଲା ପକାଯାଇ ଭିତରେ ଗଛକଟା ଚାଲିଛି। ଖବରପାଇ ଜଙ୍ଗଲ ବିଭାଗ ଅଧିକାରୀ ଯାଇଥିଲେ ମଧ୍ୟ ସେମାନଙ୍କୁ ଭିତରକୁ ଛଡ଼ାଯାଇ ନଥିଲା। ଏଭଳି ବେଆଇନ୍ ଗଛକଟା ପାଇଁ ଆନନ୍ଦପୁର ଡିଏଫ୍‌ଓଙ୍କ ନିର୍ଦେଶକ୍ରମେ ଆଇଟିଆଇ ଅଧ୍ୟକ୍ଷ ଓ ସମ୍ପୃକ୍ତ ଠିକାସଂସ୍ଥାକୁ ଜଙ୍ଗଲବିଭାଗ ପକ୍ଷରୁ ନୋଟିସ୍ ଜାରି କରାଯାଇଛି।

Advertisment

publive-image

ମିଳିଥିବା ସୂଚନା ଅନୁସାରେ ଆଇଟିଆଇ ପରିସରରେ ଓମ‌ବାଡ୍‌ସି ଅନୁଦାନରେ ୧୩ କୋଟି ୪୬ଲକ୍ଷ ୧୫ ହଜାର ଟଙ୍କା ବ୍ୟୟରେ ପୁନରୁଦ୍ଧାର ଓ ନିର୍ମାଣ କାର୍ଯ୍ୟ ଚାଲିଛି। ଇଡ୍‌କୋ ଠିକାସଂସ୍ଥା ଏହାର ନିର୍ମାଣ ଦାୟିତ୍ବ ନେଇଛି। ପୂର୍ବରୁ ମୁଖ୍ୟ ଫାଟକ ସବୁ ସମୟରେ ଖୋଲା ରହୁଥିଲା। ମାତ୍ର ନିର୍ମାଣ ଆରମ୍ଭ ପରଠାରୁ ଏଥିରେ ତାଲା ପଡ଼ିଛି। କର୍ମଚାରୀମାନେ କାହାରିକୁ ଭିତରକୁ ଛାଡୁ ନାହାନ୍ତି। ଆଇଟିଆଇ ପରିସରରେ ଥିବା ବଡ଼ ବଡ଼ ଗଛଗୁଡ଼ିକୁ ବିନା ଅନୁମତିରେ କାଟି ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଖବର ପାଇ ଫରେଷ୍ଟର ଅନନ୍ତ ଚରଣ ପରିଡ଼ା ଓ ସ୍କ୍ବାଡ୍‌ ଟିମ୍ ଆଇଟିଆଇ ସମ୍ମୁଖରେ ପହଞ୍ଚିଥିବାବେଳେ ତାଙ୍କୁ ଭିତରକୁ ଛଡା ଯାଇନଥିଲା। ଏପରିକି ସେମାନେ ବାହାରେ ଅଧଘଣ୍ଟା ଅପେକ୍ଷା କରିବାପରେ ଭିତରକୁ ଯିବାକୁ ଗେଟ୍ ଖୋଲା ଯାଇଥିଲା। ଭିତରେ ବଡ଼ଜାମୁ, ଆକାଶିଆ ଚାରିଟି ଗଛ କାଟି ଦିଆଯାଇଥିବା ଜଣାପଡ଼ିଥିଲା। ଖବରପାଇ ଗଣମାଧ୍ୟମ ପ୍ରତିନିଧିମାନେ ସେଠାକୁ ଯାଇଥିଲେ ମଧ୍ୟ କର୍ମଚାରୀମାନେ ଗେଟ୍ ଖୋଲି ନଥିଲେ। ସେମାନେ ଗଛ କାଟିବା ପୂର୍ବରୁ ଜଙ୍ଗଲ ବିଭାଗ ନିକଟରୁ କୌଣସି ଅନୁମତି ନେଇନଥିବା ମଧ୍ୟ ଅଭିଯୋଗ ହୋଇଛି। ତୁରନ୍ତ ଏନେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଏଫଓ ଅଭୟ କୁମାର ଦଳେଇ ନିର୍ଦେଶ ଦେଇଛନ୍ତି। ଆଇଟିଆଇ ଅଧ୍ୟକ୍ଷ ଓ ଠିକାଦାରଙ୍କୁ ହାଜର ହେବାପାଇଁ ନୋଟିସ୍ କରାଯାଇଥିବା ନେଇ ଆନନ୍ଦପୁର ଡେପୁଟି ରେଞ୍ଜର ନବକିଶୋର ନାଏକ କହିଛନ୍ତି।