ବାଂଶପାଳ: କେନ୍ଦୁଝରଜିଲ୍ଲା ବାଂଶପାଳ ବ୍ଲକ ବିଜେପି ରେଞ୍ଜ କାଦଡ଼ିହା ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ହାତୀ ଦାଉରୁ ଫସଲକୁ ବଞ୍ଚାଇବାକୁ ରାତିରେ ଗଛ ଉପରେ ମଞ୍ଚା କରି ଜଗିଥିବା ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ଏକ ଦନ୍ତା ହାତୀ ଯେତେବେଳେ ମଞ୍ଚା ନିକଟକୁ ଚାଲି ଆସିଥିଲା, ବୃଦ୍ଧ ଜଣକ ଭୟଭୀତ ହୋଇ ଯାଇଥିଲେ। ସେ ଭୟରେ ମଞ୍ଚା ଉପରୁ ଖସି ପଡ଼ି ଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ ବ୍ୟକ୍ତି ହେଲେ ନୁଙ୍ଗୁରୁ ମୁଣ୍ଡା (୫୫)।
ବିଜେପି ରେଞ୍ଜର କାଦଡିହା, ସିଂପୂର୍, କୁଶକଳା, ତରମାକାନ୍ତ ଚା ବଗିଚା ଆଦି ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଛି। ହାତୀପଲ ଫସଲ ନଷ୍ଟ କରିବା ସହ ବହୁ ଧନ ଜୀବନ ନଷ୍ଟ କରୁଛନ୍ତି। ତେବେ ହାତୀ ଉପଦ୍ରବରୁ ଫସଲ ରକ୍ଷା କରିବା ପାଇଁ ଲୋକେ ଖେତ ନିକଟ ଗଛ ଉପରେ ମଞ୍ଚା କରି ଜଗୁଛନ୍ତି।
ଗତକାଲି ରାତିରେ କାଦଡ଼ିହା ଗାଁର ନୁଙ୍ଗୁରୁ ମୁଣ୍ଡା ଘରୁ ଖାଇ ସାରି ଫସଲ ଜଗିବା ପାଇଁ ଖେତ ନିକଟରେ ଥିବା ମଞ୍ଚାରେ ଶୋଇଥିଲେ। ତେବେ ଏକୁଟିଆ ଘୁରି ବୁଲୁଥିବା ଦନ୍ତା ହାତୀଟି ନୁଙ୍ଗୁରୁଙ୍କ କ୍ଷେତରେ ଧାନ ଫସଲ ଖାଇଥିଲା। ହାତୀଟିକୁ ଦେଖି ସେ ଚିତ୍କାର କରିଥିଲେ। ତେବେ ହାତୀଟି ମଞ୍ଚା ନିକଟକୁ ଚାଲି ଆସିଥିଲା। ଫଳରେ ଭୟରେ ନୁଙ୍ଗୁରୁ ମଞ୍ଚାରୁ ଖସି ପଡ଼ିଥିଲେ। ଗାଁ ଲୋକେ ଖବର ପାଇ ତାଙ୍କୁ ଉଦ୍ଧାର କରିଥିଲେ। ଲୋକେ ମେଡିକାଲ ନେବାକୁ ଚେଷ୍ଟା କରିଥିଲେ ହେଁ ସେ ରାତିରେ ଗୁରୁତର ହୋଇ ମୃତ୍ୟୁ ବରଣ କରିଥିଲେ। ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।
Keonjhar