ଭଙ୍ଗାଘରେ ବିତୁଛି ମୁକ୍ତାଙ୍କ ଜୀବନ

ତେଲକୋଇ: ଜଣେ ଅସହାୟା ବିଧବା ବୃଦ୍ଧା କିଭଳି ଭଙ୍ଗାରୁଜା ଘରେ ଜୀବନ କାଟୁଛନ୍ତି, ନିଜ ଆଖିରେ ନ ଦେଖିଲେ ବିଶ୍ବାସ କରିହେବ ନାହିଁ। କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ ଆକୁଳ ଗ୍ରାମର ସ୍ବର୍ଗତ ଶ୍ରୀଧର ନାୟକଙ୍କ ବିଧବା ପତ୍ନୀ ମୁକ୍ତା ନାୟକ। ବୟସ ୭୫ ବର୍ଷ। ୨୦ ବର୍ଷ ତଳେ ସ୍ବାମୀଙ୍କ ପରଲୋକ ଘଟିଛି। ସ୍ବାମୀଙ୍କ ମୃତ୍ୟୁ ପରେ ଦୁଇ ପୁଅଙ୍କୁ ଦୁଃଖକଷ୍ଟରେ ବଡ଼ କରିଥିଲେ। ୩ ବର୍ଷ ତଳେ ବଡ଼ପୁଅର ଅକାଳ ମୃତ୍ୟୁ ଘଟିଲା। ସାନପୁଅ ଆଉ ଦେଖା ଚାହାଁ କରୁନାହିଁ। ସରକାରୀ ସହାୟତା କହିଲେ ଭତ୍ତା ଓ ୫ କେଜି ଚାଉଳ। ଏତିକି ତାଙ୍କର ସାହା ଭରସା। କେବେ ଖାଇଲେ କେବେ ନାହିଁ। ସାହି ପଡ଼ିଶା କେବେ କେମିତି ମୁଠାଏ ଦିଅନ୍ତି। ମୁଣ୍ଡ ଗୁଞ୍ଜିବାକୁ ଭଙ୍ଗାରୁଜା କେଇ ଖଣ୍ଡ କାଠ ପୋତା ଘର। ମୁଣ୍ଡ ଉପରେ ଛିଣ୍ଡା ଜରିପାଲ। ବର୍ଷା ଶୀତ କାକରରେ ସେଇଠି ଜୀବନ କାଟୁଛନ୍ତି।

୩ ବର୍ଷ ତଳେ ଏକ ସରକାରୀ ପକ୍କାଘର ମଞ୍ଜୁର ହୋଇଛି। ବଡ଼ପୁଅ ଘର ନିର୍ମାଣ ଦାୟିତ୍ବ ନେଇଥିଲା। ତା’ର ଅକାଳ ମୃତ୍ୟୁ ପରେ ମୂଳଦୁଆରୁ ଆଉ ଘର କାମ ଆଗେଇ ପାରୁନାହିଁ। ତାହା ମାଟିରେ ପୋତି ହୋଇ ପଡ଼ିଛି। ସ୍ଥାନୀୟ ପ୍ରଶାସନ ମୁକ୍ତାଙ୍କୁ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର