ଗୋଟିଏ ରାତିରେ ୩ ମନ୍ଦିରରୁ ଚୋରି

କେନ୍ଦୁଝର: ଗୋଟିଏ ରାତିରେ ୩ଟି ମନ୍ଦିରରୁ ଚୋରି। ଏଭଳି ସିରିଜ ଚୋରିକୁ ନେଇ କେନ୍ଦୁଝର ସହରରେ ଲୋକେ ଅସୁରକ୍ଷିତ ମଣୁଛନ୍ତି। ଚୋରି, ରାହାଜାନି ବଢ଼ିଚାଲିଥିଲେ ହେଁ ପୁଲିସକୁ ସେମିତି ସଫଳତା ମିଳୁନାହିଁ। ତେଣୁ ଚୋରି ବଢ଼ିବାରେ ଲାଗିଛି। ଗତକାଲି ରାତିରେ ସିଦ୍ଧମଠରେ ଥିବା ତିନୋଟି ମନ୍ଦିରରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ଦେବଦେବୀଙ୍କ ମୁକୁଟ ସମେତ ଅନ୍ୟାନ୍ୟ ଗହଣା ଓ ସାମଗ୍ରୀ ଲୁଟି ନେଇଛନ୍ତି।
ଦେବୋତ୍ତର ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସିଦ୍ଧମଠସ୍ଥିତ କାଳୀ ମନ୍ଦିରରୁ ମା’ଙ୍କ ରୁପା ମୁକୁଟ, ନାକର ନୋଥ, ରୁପା ଚିତା ସମେତ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଛି। ସେହିପରି ନବଗ୍ରହ ମନ୍ଦିରରୁ ୪ ମୁକୁଟ, ମହାବୀର ହନୁମାନଙ୍କ ମନ୍ଦିରରୁ ଗୋଟିଏ ମୁକୁଟ ଦୁର୍ବୃତ୍ତମାନେ ଚୋରି କରି ନେଇଛନ୍ତି।ଏଥିସହ କାଳୀମନ୍ଦିର ଭିତରେ ଥିବା ହୁଣ୍ଡିକୁ ଭାଙ୍ଗିଦେବା ସହ ଆଲମିରାକୁ ତାଡ଼ି ଦେଇଥିଲେ। ମନ୍ଦିରରୁ ଚାବି ଭାଙ୍ଗି ଚୋରି ହୋଇଥିବା ଜାଣିବା ପରେ ପୂଜକ ଜିତେନ୍ଦ୍ର କୁମାର ପାଢ଼ୀ ଓ ସଞ୍ଜୟ କୁମାର ତ୍ରିପାଠୀ ଏ ସଂପର୍କରେ ଉପଜିଲ୍ଲାପାଳ ତଥା ଦେବୋତ୍ତର ନିର୍ବାହୀ ଅଧିକାରୀ ସୋମନାଥ ପ୍ରଧାନଙ୍କୁ ଜଣାଇଥିଲେ। ଉପଜିଲ୍ଲାପାଳ ଏନେଇ ଟାଉନ ଥାନାରେ ଏତଲା ଦେବା ପରେ ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି। ହେଲେ ଚୋରଙ୍କର କିଛି ପତ୍ତା ପାଇନାହାନ୍ତି।

ସମ୍ବନ୍ଧିତ ଖବର