ପଦ୍ମପୁର ଏଟିଏମ୍‌ ଲୁଟ୍‌ ଉଦ୍ୟମ ଘଟଣା:

କେନ୍ଦୁଝର: ପଦ୍ମପୁର ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ ଘଟଣାର ମାଷ୍ଟରମାଇଣ୍ଡ ପଞ୍ଚୁ ଓରଫ ପ୍ରକାଶ ସେଠୀ(୨୨)କୁ ସଦର ଥାନା ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ସିସିଟିଭି ଫୁଟେଜ୍‌କୁ ଅନୁଧ୍ୟାନ କରି ପୁଲିସ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି। ଏହି ଘଟଣାରେ ସଂପୃକ୍ତ ଅନ୍ୟ ୪ଜଣ ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଧରାଯିବ ବୋଲି ଥାନାଧିକାରୀ ସ୍ମୃତିପ୍ରଭା ପ୍ରଧାନ କହିଛନ୍ତି।
ଗତ ଜୁଲାଇ ୨୪ ତାରିଖ ରାତି ପ୍ରାୟ ୩ଟାବେଳେ ୫ଜଣ ଡକାୟତ ପଦ୍ମପୁର ବଜାରସ୍ଥିତ ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ କରୁଥିଲେ। ଏଟିଏମ୍‌ ମେସିନ ଭଙ୍ଗାରୁଜା କରୁଥିବାବେଳେ ବଜାରରେ ପହରା ଦେଉଥିବା ସୁରକ୍ଷାକର୍ମୀ ଜୟ ବାହାଦୂର ସେମାନଙ୍କୁ ବିରୋଧ କରିଥିଲେ। ପୁଲିସକୁ ଫୋନ୍‌ରେ ସୂଚନା ଦେଇଥିଲେ। ପାଟି କରି ବିଭିନ୍ନ ଦୋକାନରେ ଶୋଇଥିବା ଲୋକଙ୍କୁ ଉଠାଇଥିଲେ। ଜୟଙ୍କ ପାଟି ଶୁଣି ଦୋକାନୀ ଉଠି ପଡ଼ିବାରୁ ଡକାୟତମାନେ ସେଠାରୁ ଚମ୍ପଟ ମାରିଥିଲେ।
ସମସ୍ତେ ମୁହଁରେ ମୁଖା ପିନ୍ଧିଥିଲେ। ତେଣୁ ଜୟ କାହାରିକୁ ଚିହ୍ନିପାରି ନ ଥିଲେ। ଖବର ପାଇ କିଛି ସମୟ ମଧ୍ୟରେ ଆଇଆଇସି ସ୍ମୃତିପ୍ରଭା ପ୍ରଧାନ, ଏସ୍‌ଆଇ ତ୍ରିନାଥ ସେଠୀ, ଜେନିମା ସମାଲ ପହଞ୍ଚି ଡକାୟତଙ୍କୁ ଖୋଜାଖୋଜି କରିଥିଲେ। ହେଲେ ସେମାନଙ୍କ ପତ୍ତା ମିଳିନଥିଲା। ଏସ୍‌ପି ଜୟନାରାୟଣ ପଙ୍କଜ ଓ ଏସ୍‌ଡିପିଓ ଶ୍ରୀହର୍ଷ ମିଶ୍ର ସେଠାରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ। ଜୟଙ୍କ ସାହସିକାତା ଯୋଗୁ ଏକ ବଡ଼ ଧରଣର ଲୁଟ୍‌କୁ ଏଡ଼ାଇ ଦିଆଯାଇ ପାରିଥିଲା। ସାହାସିକତା ପାଇଁ ତାଙ୍କୁ ପୁଲିସ ପକ୍ଷରୁ ୨ ହଜାର ଟଙ୍କା ପୁରସ୍କାର ଦିଆଯାଇଥିଲା। ଘଟଣାର ଦୀର୍ଘ ୫ ମାସ ପରେ ପୁଲିସ ମାଷ୍ଟରମାଇଣ୍ଡ ପଞ୍ଚୁକୁ ଗିରଫ କରିଛି।

ସମ୍ବନ୍ଧିତ ଖବର