ବୈତରଣୀ ପୋଲ ନିକଟରୁ ଶାଳ ‌ଚୌକାଠ ବୋଝେଇ ବୋଲେରୋ ଜବତ, ୨ ଗିରଫ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ପାଟଣା ବନ ବିଭାଗ ଅଧୀନସ୍ଥ ବୈତରଣୀ ପୋଲ ନିକଟରେ ସୋମବାର‌ ଭୋରୁ ଏକ ଶାଳ ଚୌକାଠ ବୋଝେଇ ବୋଲେରୋ ଗାଡ଼ି ଜବତ ହୋଇଛି। ଜବତ ହୋଇଥିବା ଗାଡ଼ିରୁ ୩୪ ଖଣ୍ଡ ଶାଳ ଚୌକାଠ ମିଳିଛି। ଜବତ ହୋଇଥିବା ଚୌକାଠର ଆନୁମାନିକ ମୂଲ୍ୟ ପ୍ରାୟ ୩୦ ହଜାର ଟଙ୍କା ହେବ ବୋଲି ବନଖଣ୍ଡ ଅଧିକାରୀ ପବିତ୍ର ମୋହନ ନାଏକ ସୂଚନା ଦେଇ କହିଛନ୍ତି। ବନ ବିଭାଗ ଗାଡ଼ି ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ ମଧ୍ୟ କରିଥିବା ସୂଚନା ରହିଛି।

ଗତ କିଛି ଦିନ ମଧ୍ୟରେ ପାଟଣା ରେଞ୍ଜ ଅଧିନରେ କାଠ ମାଫିଆ ସକ୍ରିୟ ରହିଛନ୍ତି। ଏ ସଂପର୍କରେ ଖବର ପାଇ ବନ ବିଭାଗ କର୍ମଚାରୀମାନେ ‌ଆଜି ଭୋରୁ ବୈତରଣୀ ପୋଲ ନିକଟରେ ଛକି ରହିଥିଲେ। ସାହାରପଡ଼ାରୁ ଢେଙ୍କିକୋଟ ଆଡ଼େ ଯାଉଥିବା ଏହି ଗାଡ଼ିକୁ ବୈତରଣୀ ନଦୀ ନିକଟରେ ବନ ବିଭାଗ ଅଟକାଇ ଥିଲା। ବିଭାଗୀୟ କର୍ମଚାରୀଙ୍କୁ ଦେଖି ମାଫିଆମାନେ ନଦୀକୁ ଡେଇଁ ଖସି ପଳାଇବାକୁ ଚେଷ୍ଟା କରିଥିଲେ। ମାତ୍ର ବନ ବିଭାଗ କର୍ମଚାରୀମାନେ ଗାଡ଼ି ଚାଳକ ସହ ଅନ୍ୟ ଜଣେ ସହଯୋଗୀକୁ କାବୁ କରିବାରେ ସମର୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର