ହିତାଧିକାରୀଙ୍କ ଅର୍ଥ ହଡପ; ଅଭିଯୁକ୍ତ ଗିରଫ

କେନ୍ଦୁଝର: ଗ୍ରାମୀଣ ଆବାସ ଯୋଜନାରେ ହିତାଧିକାରୀଙ୍କଠାରୁ ଅର୍ଥ ହଡପ ସାଙ୍ଗକୁ ଭୟଭୀତ କରାଇ ସତ୍ୟପାଠ ହାତେଇବା ଅଭିଯୋଗରେ ହରିଚନ୍ଦନପୁର ଥାନା ବିଲା ଗ୍ରାମର କ୍ଷେତ୍ରବାସୀ କବାଟଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ହରିଚନ୍ଦନପୁର ଥାନା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଲା ଗ୍ରାମର କ୍ଷେତ୍ରବାସୀ କବାଟ ସେହି ଗ୍ରାମର ନିରଞ୍ଜନ ରଣସିଂ, ପୁନି ପଲେଇ, ବିଦ୍ୟାଧର ପଲେଇ, କଣ୍ଠ ଦେହୁରୀ, ତିଳୋତ୍ତମା ନାଏକ, ରଘୁନାଥ ପଲେଇ, କାନ୍ଦିରି ଦେହୁରୀ, ଟସୁନୀ ଦେହୁରୀ, ବଚନା ଦେହୁରୀଙ୍କଠାରୁ ଗ୍ରାମୀଣ ଆବାସ ଯୋଜନାରେ ଘର ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଗତ ଫେବ୍ରୁଆରି ମାସ ୩ ତାରିଖରେ ହରିଚନ୍ଦନପୁର ବିଡ଼ିଓ ବିଲା ଗାଁ’ରେ ଗ୍ରାମୀଣ ଆବାସ ଯୋଜନା ଅନ୍ତର୍ଗତ ଗୃହ ପରିଦର୍ଶନ କରିବା ସମୟରେ ହିତାଧିକାରୀମାନେ ବିଡ଼ିଓଙ୍କ ପାଖରେ ଏ ସଂପର୍କରେ ଫେରାଦ ହୋଇଥିଲେ।

ବିଡ଼ିଓଙ୍କ ରିପୋର୍ଟକୁ ଆଧାର କରି ହରିଚନ୍ଦନପୁର ଥାନାରେ ଅଭିଯୁକ୍ତ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଅନ୍ୟପକ୍ଷରେ ଗିରଫଦାରୀ ଏଡାଇବା ପାଇଁ ଅଭିଯୁକ୍ତ କ୍ଷେତ୍ରବାସୀ କବାଟ ଫେରାର ହୋଇଯିବା ସହ ହାଇକୋର୍ଟରୁ ଜାମିନ ଆଣିବାରେ ସକ୍ଷମ ହୋଇଥିଲେ। ପରେ କ୍ଷେତ୍ରବାସୀ କବାଟ ହିତାଧିକାରୀଙ୍କୁ ଭୟଭୀତ କରାଇ ସେମାନେ ତାଙ୍କୁ ଅର୍ଥ ଦେଇନାହାନ୍ତି ବୋଲି ସତ୍ୟପାଠ କରାଇ ନେଇଥିଲା। ଏ ସଂକ୍ରାନ୍ତରେ ପୁଣି ଅଭିଯୋଗ ପାଇବା ପରେ ଗତ ମାର୍ଚ୍ଚ ୧୯ ତାରିଖରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ୨୦ ତାରିଖରେ କ୍ଷେତ୍ରବାସୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର