ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ରାସୋଳ ପଞ୍ଚାୟତ ଖସାପଦା, ପଞ୍ଚମ ଓ ଆଳୁତୁମା ଗ୍ରାମବାସୀ ରାସୋଳରୁ ଆଳୁତୁମା ପର୍ଯ୍ୟନ୍ତ ରାସ୍ତା ମରାମତି ନହେଲେ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି।  ଏହି ତିନିଟି ଗ୍ରାମରେ ୩ ହଜାରରୁ ଊର୍ଦ୍ଧ୍ବ ଲୋକ ବାସ କରୁଛନ୍ତି। ୧୫ ବର୍ଷ ତଳେ ରାସୋଳରୁ ଆଳୁତୁମା ପର୍ଯ୍ୟନ୍ତ ୭ କିଲୋମିଟର ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ ହୋଇଥିଲା। ମରାମତି ଅଭାବରୁ ରାସ୍ତାରୁ ପିଚୁ ଉଠିଯାଇ ମେଟାଲ ବିଛାଡ଼ି ହୋଇପଡ଼ିଛି। ରାସ୍ତାରେ ଖାଲଖମା ହୋଇ ଅବସ୍ଥା ଶୋଚନୀୟ ହୋଇଛି। ଏନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହ ରାସ୍ତା ମରାମତି ପାଇଁ ଦାବି କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନଥିବା ଅଭିଯୋଗ ହୋଇଛି। ରାସ୍ତାରେ ଅଟୋରିକ୍ସା ଓ ଅନ୍ୟାନ୍ୟ ଛୋଟଛୋଟ ଗାଡ଼ି ଯାତାୟାତ କରୁନାହାନ୍ତି। ଫଳରେ ଏହି ତିନିଟି ଗ୍ରାମର ଲୋକେ ଚାଉଳ, ଭତ୍ତା ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ରାସୋଳ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Advertisment

ପ୍ରଶାସନ ନ ଶୁଣିବାରୁ ଖସାପଦାରେ ମହେଶ୍ୱର ଦେହୁରୀଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ  ସରପଞ୍ଚ ବାସନ୍ତୀ ମୁର୍ମୁ, ସମିତିସଭ୍ୟା ଦଶମା ହେମ୍ବ୍ରମ, ତପନ ଦେହୁରୀ, ଗିରିଶ ଗାଗରାଇ, ବାଗୁନ ହେମ୍ବ୍ରମ, ଜୁମାଲ ବିରୁଆ, ଗୌରବ ପୁହାଣ, ଭାବଗ୍ରାହୀ ଦେହୁରୀ, କଲ୍ୟାଣୀ ଦେହୁରୀ, ପାଗଳି ଦେହୁରୀ, ଗୋଲାପ ଦେହୁରୀ, ବାସନ୍ତୀ ଦେହୁରୀଙ୍କ ସମେତ ୫ଶହରୁ ଊର୍ଦ୍ଧ୍ବ ଲୋକେ ବୈଠକରେ ଯୋଗଦେଇ ଭୋଟ ବର୍ଜନ କରିବାପାଇଁ ନିଷ୍ପତ୍ତି ନେଇଛନ୍ତି।