କେନ୍ଦୁଝର: ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଗାଁରେ ବିଜୁଳି ଆଲୁଅ ପହଞ୍ଚି ନାହିଁ। ଯିବା ପାଇଁ ଭଲ ରାସ୍ତାଟିଏ ନାହିଁ। ଲୋକମାନେ ଆଜି ବି ଭାଗ୍ୟକୁ ଆଦରି ଅନ୍ଧାରେ ରହୁଛନ୍ତି। ହରିଚନ୍ଦନପୁର ବ୍ଲକ ଗୌଣିଘସା ପଞ୍ଚାୟତ ଅର୍ଜୁନଚୁଆ ଗ୍ରାମର ପିଙ୍ଗୁବାହାଳି ସାହିର ମହିଳାମାନେ ଆଜି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ସାହିକୁ ବିଦ୍ୟୁତ୍ ସଂଯୋଗ ଓ ରାସ୍ତା ତିଆରି କରିବା ପାଇଁ ସେମାନେ ନିବେଦନ କରିଛନ୍ତି। ଆଲୋକୀକରଣ ଓ ଗମନାଗମନ ପାଇଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ଫଳରେ ସାହିରେ ବସବାସ କରୁଥିବା ୨୭ଟି ପରିବାର ଅନ୍ଧାରରେ ସମୟ କାଟୁଛନ୍ତି। ବିଦ୍ୟୁତ୍ ନଥିବାରୁ ପିଲାମାନଙ୍କ ପାଠପଢା ବାଧାପ୍ରାପ୍ତ ହେଉଛି। ଭଲ ରାସ୍ତା ନଥିବାରୁ ଡାକ୍ତରଖାନା, ବ୍ଲକ, ପଞ୍ଚାୟତ କାର୍ଯ୍ୟାଳୟ, ବଜାର, ସାପ୍ତାହିକ ହାଟକୁ ଯିବାରେ ଅସୁବିଧା ଭୋଗୁଛନ୍ତି।
ସାହିର କୋଇଲି ମାର୍ଣ୍ଡି, ଫୁଲ ସରେନ, ସଲମା ମାର୍ଣ୍ଡି, ସୁମି ଟୁଡୁ, ଗୌରି ପ୍ରିୟଦର୍ଶିନୀ ଟୁଡୁ, ରିଲେ ମାଝି, ରାଇମଣି ସୋରେନ, ରାଣୀ ମାର୍ଣ୍ଡି, ମାଇନ ମାର୍ଣ୍ଡି, ଲକ୍ଷ୍ମୀ ମୁର୍ମୁ, ରାଧିକା ମାର୍ଣ୍ଡି, ମାଳତୀ ମୁର୍ମୁ, ରାଣୀ ଟୁଡୁ, ବାରିଆଳ ସୋରେନ, ସୁଶାନ୍ତ ସୋରେନ, ଦୁଲାରି ମାଝି, କାରୁ ସରୋନ ମାନସୀ ଟୁଡୁ, ଯଦୁ ମାରାଣ୍ତି, ଖେଲା ସୋରେନ, ଯମୁନା ଲୋହାରଙ୍କ ସମେତ ଅର୍ଜୁନଚୁଆ ପିଙ୍ଗୁଆ ସାହିର ଅନେକ ଲୋକ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/a24c2384-93b1-4824-821c-fb98c94257df.jpeg)