ମଦ ଦୋକାନକୁ ବସ୍ତି ବାସିନ୍ଦାଙ୍କ ବିରୋଧ

ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକାର ୮ ନଂ ୱାର୍ଡ଼ରେ ନୂତନ ଭାବେ ଖୋଲିଥିବା ବିଦେଶୀ ମଦ ଦୋକାନକୁ ସ୍ଥାନୀୟ ବସ୍ତିବାସିନ୍ଦାମାନେ ଆଜି ପ୍ରବଳ ବିରୋଧ କରିଛନ୍ତି। ନୂଆକରି ଏହି ମଦ ଦୋକାନ ଖୋଲିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ନାନା ସମସ୍ୟା ଉପୁଜିବା ସହିତ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି।

ବସ୍ତିର ମହିଳାମାନେ ଅଭିଯୋଗ କରିଛନ୍ତି ଯେ, ୬ ନଂ ୱାର୍ଡ ପାଇଁ ଏହି ମଦ ଦୋକାନକୁ ଲାଇସେନ୍ସ ମିଳିଥିବାବେଳେ, ଦୋକାନଟି ବେଆଇନ ଭାବେ ୮ ନଂ ୱାର୍ଡରେ ଖୋଲାଯାଇଛି। ମଦ ଦୋକାନ ଠାରୁ ଅଳ୍ପ ଦୂରତାରେ ସ୍କୁଲ ଓ ମନ୍ଦିର ରହିଥିବାରୁ, ଏହାର କୁପ୍ରଭାବ ପଡୁଛି। ଏହି ମଦ ଦୋକାନକୁ ଏଠାରୁ ତୁରନ୍ତ ସ୍ଥାନାନ୍ତର ପାଇଁ ଦାବି ହୋଇଛି। ଏନେଇ ପୁର୍ବରୁ ପ୍ରଶାସନକୁ ଜଣାଯାଇଥିଲେ ସୁଦ୍ଧା କେହି ଏଥିପ୍ରତି ଦୃଷ୍ଟି ନଦେବାରୁ ବାଧ୍ୟ ହୋଇ ଆଜି ସେମାନେ ରାଜରାସ୍ତାକୁ ଓହ୍ଲାଇବା ସହିତ ମଦ ଦୋକାନକୁ ବନ୍ଦ କରିଦେଇଛନ୍ତି ବୋଲି କହିଛନ୍ତି। ଏହାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆନଗଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ବସ୍ତି ବାସିନ୍ଦା ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର