ବଡ଼ବିଲ : ଯୋଡ଼ା-ବଡ଼ବିଲ ରାସ୍ତାର ସେରେଣ୍ଡାରେ ଥିବା ‌ରିଲାୟନ୍ସ ପେଟ୍ରୋଲ ପମ୍ପରୁ ଲୁଟ୍‌। ଗତକାଲି ବିଳମ୍ବିତ ରାତିରେ ୪ ଲୁଟେରା ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୩୮ ହଜାର ଟଙ୍କା ଓ ଦୁଇଟି ମୋବାଇଲ ଫୋନ୍‌ ଲୁଟି ନେଇଛନ୍ତି। ସିସିଟିଭିରେ ଲୁଟ୍‌ର ଦୃଶ୍ୟ ରେକର୍ଡ ହୋଇଛି। ଏନେଇ ବଡ଼ବିଲ ଥାନାରେ ଅଭିଯୋଗ ହେବା ପରେ ପୁଲିସ ସହରର ସମସ୍ତ ରାସ୍ତାକୁ ସିଲ୍‌ କରିଦେଇଛି। ସିସିଟିଭି ଫୁଟେଜ୍‌କୁ ଦେଖି ତଦନ୍ତ କରାଯାଉଛି ବୋଲି ଥାନାଧିକାରୀ ସୁଶାନ୍ତ ଦାଶ କହିଛନ୍ତି।

Advertisment

ପୁଲିସ ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ୪ ଜଣ ଲୁଟେରା ଚାଲିଚାଲି ପେଟ୍ରୋଲ ପମ୍ପକୁ ଆସିଥିଲେ। ସେମାନେ ସିଧା ଯାଇ ପମ୍ପର କାର୍ଯ୍ୟାଳୟରେ ପଶିଥିଲେ। ଭିତରେ ତିନିଜଣ କର୍ମଚାରୀ ଲକ୍ଷ୍ମୀଧର ମହାନ୍ତ, ସଂଜୟ କୁମାର ସାହୁ ଓ ସୁରକ୍ଷା କର୍ମୀ ସୁବାସ ଚନ୍ଦ୍ର ସାହୁ ଥିଲେ। ୪ ଲୁଟେରାଙ୍କ ମଧ୍ୟରୁ ଦୁଇ ଜଣଙ୍କ ହାତରେ ବନ୍ଧୁକ ଥିଲା। ସେମାନେ ପେଟ୍ରୋଲ ପମ୍ପର ସୁରକ୍ଷା କର୍ମୀ ଓ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ କ୍ୟାସ ଡ୍ର’ ଚାବି ମାଗିଥିଲେ। କ୍ୟାସ ଡ୍ର’ରୁ ଟଙ୍କା ବାହାର କରିବା ସହ ଦୁଇ କର୍ମଚାରୀଙ୍କ ପକେଟରୁ ମଧ୍ୟ ଟଙ୍କା ଛଡ଼ାଇ ନେଇଥିଲେ। ଲୁଟେରାମାନେ ୩୮ ହଜାର ଟଙ୍କା ସହ ଓ କାର୍ଯ୍ୟାଳୟରେ ଥିବା ଦୁଇଟି ମୋବାଇଲ ଫୋନ୍ ମଧ୍ୟ ନେଇଯାଇଥିଲେ। ଲୁଟେରାମାନେ ସେଠାରୁ ଖସିଯିବାକୁ ଉଦ୍ୟମ କରୁଥିବାବେଳେ ସୁରକ୍ଷା କର୍ମୀ ଶ୍ରୀ ସାହୁ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ହେଲେ ଗୁଳିଟି ଲକ୍ଷ୍ୟଭ୍ରଷ୍ଟ ହୋଇ କାନ୍ଥରେ ବାଜିଥିଲା। ଶେଷରେ ଲୁଟେରାମାନେ ସମସ୍ତଙ୍କୁ କାର୍ଯ୍ୟାଳୟ ଭିତରେ ଥିବା ଏକ କଠୋରୀରେ ବନ୍ଦ କରି ଫେରାର୍‌ ହୋଇଯାଇଥିଲେ।