ଅଧାପନ୍ତରିଆ ପାଇପ୍‌ ବିଛା କାମ:କାର୍ଯ୍ୟକ୍ଷମ ହୋଇପାରୁନି ପାନୀୟ ଜଳ ପ୍ରକଳ୍ପ

ରାଇସୁଆଁ: ଲୋକଙ୍କୁ ବିଶୁଦ୍ଧ ଜଳ ଯୋଗାଇଦେବା ପାଇଁ ତେଲକୋଇ ବ୍ଲକ ପୁରୁଯୋଡ଼ା ପଞ୍ଚାୟତ ବେଣାମୁଣ୍ଡା ସାପ୍ତାହିକ ହାଟ ନିକଟରେ ନିର୍ମାଣ ହୋଇଛି ପାନୀୟ ଜଳ ପ୍ରକଳ୍ପ। ହେଲେ ଅଧାପନ୍ତରିଆ ପାଇପ୍‌ ବିଛା କାମ ଓ ଷ୍ଟଣ୍ଡପୋଷ୍ଟ ନିର୍ମାଣ ହୋଇନଥିବାରୁ ପ୍ରକଳ୍ପଟି କାର୍ଯ୍ୟକ୍ଷମ ହୋଇପାରୁ ନାହିଁ। ଫଳରେ ହାଟକୁ ଆସୁଥିବା ଲୋକେ ଓ ଗ୍ରାମବାସୀ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ୨୦୦୯-୧୦ ମସିହାରେ ଏହି ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଅତି ନିମ୍ନମାନର ପାଇପ୍ ବିଛା ଯାଇଥିବାରୁ ସେଗୁଡ଼ିକ ନଷ୍ଟ ହୋଇଗଲା। ଫଳରେ ପ୍ରକଳ୍ପଟି କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ। ଏହାର ମରାମତି ପାଇଁ ଗ୍ରାମବାସୀ ପଞ୍ଚାୟତ, ବ୍ଲକ ଓ ଜିଲ୍ଲାପାଳଙ୍କ ଠାରେ ଦାବି କରିଥିଲେ। ୨୦୧୫-୧୬ ବର୍ଷରେ ଏଠାରେ ଏକ ଓଭରହେଡ୍ ଟାଙ୍କି ନିର୍ମାଣ କରାଯାଇ ପୁଣି ପାଇପ୍ ବିଛାଯାଇଛି। ହେଲେ ବେଣାମୁଣ୍ଡାର ପୁରୁଣା ବସ୍ତି, ମାଟିଆମୁଣ୍ଡା, ବାଲିସାହି, କୁମ୍ଭାରସାହି, ମାଟକାମଡ଼ା ସାହି ଓ ବଜାରରେ ଅଧାପନ୍ତରିଆ ଭାବେ ପାଇପ୍‌ ବିଛା ଯାଇଛି। କୌଣସି ସ୍ଥାନରେ ଷ୍ଟାଣ୍ଡପୋଷ୍ଟ ନିର୍ମାଣ ହୋଇନାହିଁ। ଫଳରେ ପ୍ରକଳ୍ପ କାର୍ଯ୍ୟକ୍ଷମ ‌ହୋଇପାରୁନାହିଁ।
ପାନୀୟ ଜଳ ପ୍ରକଳ୍ପର ମରାମତି ପାଇଁ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଠିକାଦାରଙ୍କ ମନମାନି ଯୋଗୁଁ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରୁନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତୁରନ୍ତ ଷ୍ଟାଣ୍ଡପୋଷ୍ଟ ନିର୍ମାଣ ଓ ପାଇପ୍ ବିଛା କାମ ଶେଷ କରି ଜଳ ଯୋଗାଇଦେବାକୁ ଗ୍ରାମର ଚୁଉରୀ ସିଂହ, ଆରତୀ ନାୟକ, ଶାନ୍ତିଲତା ନାୟକ, ଚିନ୍ନ ନାୟକ, ପାର୍ବତୀ ଦଣ୍ଡପାଟ, କୁକୁମ ଦଣ୍ଡପାଟ, ଗୀତା ଦଣ୍ଡପାଟ, ବାସନ୍ତି ସେଠୀ, ଲବଙ୍ଗ ବେହେରା, ନଳିନୀ ବେହେରା, ମମତା ବେହେରା, ଲତା ସିଂହ, ମମତା ନାୟକ, ଅମ୍ବିକା ନାୟକ, ଶ୍ରୀମତୀ ମହାକୁଡ଼, ପ୍ରିୟଙ୍କା ଦଣ୍ଡପାଟ, ସଂଜୁଲତା ରଣସିଂହ, ସୁକାନ୍ତି ନାୟକ, ନିରୁପମା ନାୟକ, ଜୟନ୍ତୀ ନାୟକ, ଅହଲ୍ୟା ନାୟକ, ନର୍ମଦା ନାୟକ, ବିନତୀ ନାୟକ, ଲକ୍ଷ୍ମୀପ୍ରିୟା ନାୟକ, ଶକୁନ୍ତଳା ମହାନ୍ତ, ସରସ୍ୱତୀ ଗାଗରାଇ, ବୈଦେହୀ ଗିରି, ମମତା ସେଠୀ, ସୁକାନ୍ତି ନାୟକ ଜିଲ୍ଲାପାଳଙ୍କ ଦୃଷ୍ଟିଆକର୍ଷଣ କରିଛନ୍ତି।

ସମ୍ବନ୍ଧିତ ଖବର