କାଳିଆପାଣି : ଏକ କିଲୋମିଟର ଦୂରରେ ତିନି ତିନିଟି କ୍ରୋମାଇଟ୍ ଖଣି । ତିନି କିଲୋମିଟର ଦୂର ପାହାଡ଼ ସେପାରି ଦୈତାରି ଲୌହ ଖଣି ପାଇଁ ଗାଁ ପ୍ରଭାବିତ ହୋଇଛି। ଜଙ୍ଗଲ ମଧ୍ୟରେ ପୁରୁଷ ପୁରୁଷ ଧରି ରହି ଆସୁଥିଲେ ମଧ୍ୟ ଖଣି ପାଇଁ ଏବେ ଗାଁ ଜଙ୍ଗଲ ବି ଉଜୁଡ଼ିବାରେ ଲାଗିଛି। ଏମାନେ ସୁକିନ୍ଦା ବ୍ଲକ ଅନ୍ତର୍ଗତ କ୍ରୋମ୍ ଉପତ୍ୟକାର ପ୍ରତ୍ୟକ୍ଷ ଖଣି ପ୍ରଭାବିତ ବାସିନ୍ଦା। ଗାଁ କଡ଼ରେ ରହିଛି ବିସି ମହାନ୍ତି କମର୍ଦା କ୍ରୋମାଇଟ୍ ଖଣି, ମିଶ୍ରିଲାଲ୍ ସାରୁଆବିଲ କ୍ରୋମାଇଟ୍ ଖଣି ଓ ତଳଙ୍ଗି କ୍ରୋମାଇଟ୍ ଖଣି। ହେଲେ ଖଣି ପ୍ରଭାବିତ ବିଜୁ ପକ୍କାଘର ଯୋଜନା ଏଯାବତ୍ ଏମାନଙ୍କ ପାଖେ ପହଞ୍ଚିନି। ଏଭଳି କି ଖଣିର ପାରିପାର୍ଶ୍ବିକ ଉନ୍ନୟନ ଓ ସାମାଜିକ ପ୍ରତିବଦ୍ଧତା କାର୍ଯ୍ୟକ୍ରମ ଏଠି ଅପହଞ୍ଚ ରହିଥିବା ଦେଖିବାକୁ ମିଳିଛି। ଜୁଆଙ୍ଗ ଜନଜାତିର ଦୁଇ ବିଧବା ଯାଆ ଏବେ ଅତି ଦୟନୀୟ ଭାବେ ଝାଟିମାଟିର ଭଙ୍ଗା ଦଦରା କୁଡ଼ିଆରେ ରହୁଥିବା ଦେଖିବାକୁ ମିଳିଛି। ଏମିତିରେ ଇନ୍ଦିରା ଆବାସ, ମୋ’କୁଡ଼ିଆ କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସଂପର୍କରେ ପୂର୍ବରୁ ସଂପୂର୍ଣ୍ଣ ଅଜ୍ଞ ଥିବା ଏହି ଦୁଇ ବିଧବା ଯାଆ ଏବେ ସବୁ ସରକାରୀ ଯୋଜନାରୁ ବଞ୍ଚିତ ଥିବା ସାଧାରଣରେ ଅଭିଯୋଗ ହୋଇଛି।
ବିକାଶଠୁ ବହୁ ଦୂରରେ ଥିବା କଅଁସ ପଞ୍ଚାୟତ ଅନ୍ତର୍ଗତ ଟିକରପଡ଼ା ତଳସାହିର ସ୍ବର୍ଗତ ଅର୍ଜୁନ ଜୁଆଙ୍ଗଙ୍କ ପତ୍ନୀ ମଙ୍ଗୁଳି ଏବେ ଯେଉଁ ଘରେ ରହୁଛନ୍ତି, ସେଠି କବାଟ ନାହିଁ। ସେହି ଘରେ ସ୍ଥାନାଭାବ ପାଇଁ ତାଙ୍କର ଦୁଇ ପୁଅ ମଙ୍ଗଳ(୧୭) ଓ ସାଗର(୧୦) ଘର ସମ୍ମୁଖ ଅଳିଆ ଗଦା କଡ଼ ଅଗଣାରେ କେଇ ଖଣ୍ଡ କାଠରେ ବନ୍ଧା ହୋଇଥିବା ଭାଡ଼ିରେ ଆଶ୍ରୟ ନେଉଥିବା ଦେଖିବାକୁ ମିଳିଛି। ଚତୁର୍ଦ୍ଦିଗରେ ପାହାଡ଼ ଘେରି ରହିଥିବା ଏହି ଗାଁରେ ଶୀତର ପ୍ରକୋପ ସର୍ବାଧିକ ଥିବା କାରଣରୁ ଦୁଇ ଭାଇ ଅଧିକାଂଶ ସମୟରେ ଭାଡ଼ି ତଳେ ନିଆଁ ଜାଳି ଶୋଉଛନ୍ତି। ୧୦ବର୍ଷ ତଳୁ ବିଧବା ହେଲେ ମଧ୍ୟ ସେ ମଧୁବାବୁ ପେନସନ ଯୋଜନା(ବିଧବା ଭତ୍ତା)ରୁ ବଞ୍ଚିତ ହୋଇ ରହିଛନ୍ତି। ଦୁଇପୁଅ ସଂପୂର୍ଣ୍ଣ ନିରକ୍ଷର। ବଡ଼ପୁଅ ସାମୟିକ ଭାବେ ପର ଘରେ ମୂଲ ଲାଗୁଥିବା ଓ ସାନପୁଅ ଗାଈ ଚରାଉଥିବା ତାଙ୍କ ମାଆ କହନ୍ତି। ସେହିପରି ସ୍ବର୍ଗତ ରଞ୍ଜନ ଜୁଆଙ୍ଗଙ୍କ ପତ୍ନୀ ଦ୍ରୌପଦୀଙ୍କ ଅବସ୍ଥା ତଦ୍ରୁପ। ତାଙ୍କର କେବଳ ତିନି ଝିଅ। ଦୁଇ ଝିଅ ଟୁରି ଓ ଦୁକୁଲି ବିବାହିତା। ସାନଝିଅ ଚମ୍ପି ଜଣେ ଦିବ୍ୟାଙ୍ଗ। ଶୈଶବରେ ନିଆଁ ପୁଉଁଥିବା ବେଳେ ତାଙ୍କ ଡାହାଣ ଗୋଡ଼ ଜଳି ଯାଇଥିଲା। ଦିବ୍ୟାଙ୍ଗ ହେଲେ ମଧ୍ୟ ସେ ଭତ୍ତାରୁ ବଞ୍ଚିତ। ଉଭୟ ପରିବାରରେ ଏଯାବତ୍ କେହି ପାଠ ପଢ଼ିନାହାନ୍ତି। ଜଙ୍ଗଲରୁ କାଠ କାଟି ଚଳିବା ସହ ସ୍ବଳ୍ପ ପାରିଶ୍ରମିକରେ ପରଘରେ ସାମୟିକ ମୂଲ ମଜୁରୀ କରି ଦୁଇ ଅଭାବି ଯାଆ ଅତି କଷ୍ଟରେ ଚଳୁଥିବା କହନ୍ତି। ପ୍ରତିବର୍ଷ ନିଜ ପରିଶ୍ରମରେ ଜଙ୍ଗଲରୁ ଛଣ, ବାଉଁଶ, ବତା ଓ ଲଇ ସଂଗ୍ରହକରି ଘର ଛାଉଣି ଓ ମରାମତି କରିବା ଅତ୍ୟନ୍ତ କଷ୍ଟକର ବୋଲି କହିଥିଲେଃ ଉଭୟଙ୍କ ଏତାଦୃଶ ଅବସ୍ଥା ସଂପର୍କରେ ସରପଞ୍ଚ ରବୀନ୍ଦ୍ର କୁମାର ସାହୁଙ୍କୁ ପଚାରିବାରେ ପ୍ରଶାସନିକ ଅବହେଳାକୁ ସେ ସ୍ବୀକାର କରିଥିଲେ। ଉଭୟ ଅତି ଦୁର୍ଭାଗ୍ୟଜନକ ଭାବେ ଏଯାବତ୍ ଜଙ୍ଗଲ ଜମି ଅଧିକାର ଆଇନରୁ ବାଦ୍ ପଡ଼ିଥିବା କାରଣରୁ ଖଣି ପ୍ରଭାବିତ ବିଜୁ ପକ୍କାଘର ଯୋଜନାରୁ ବଞ୍ଚିତ ହୋଇଥିବା କହିଥିଲେ। ମଙ୍ଗୁଳିଙ୍କ ଭତ୍ତା ପାଇଁ ସେ ଚେଷ୍ଟା କରିବେ ବୋଲି କହିଥିଲେ। ସେହିପରି ବିଡିଓ ଓ ବ୍ଲକ ମଙ୍ଗଳ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରି ନଥିଲା। ଜିଲ୍ଲା ପ୍ରଶାସନ ଓ ଆଦିବାସୀ ଜନଜାତି କଲ୍ୟାଣ ବିଭାଗ ଏଥିପ୍ରତି ଦୃଷ୍ଟିଦେବାକୁ ସାଧାରଣରେ ଦାବି ହୋଇଛି।
ଯୋଜନ ଦୂରରେ ଯୋଜନା
କୁଡ଼ିଆରେ ରହୁଛନ୍ତି ଦୁଇ ବିଧବାO ଯାଆ ଭାଡ଼ିରେ ରହୁଛନ୍ତି ଦୁଇ ପୁଅ
/sambad/media/post_attachments/wp-content/uploads/2018/12/kjr.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)