ଅଭିଯୁକ୍ତଙ୍କୁ ପୁଲିସର ମାଡ଼ ଅଭିଯୋଗ

ପାଳଲହଡ଼ା: ପତ୍ନୀଙ୍କୁ ଯୌତୁକ ନିର୍ଯାତନା ଅଭିଯୋଗ ପରେ ପାଳଲହଡ଼ା ଥାନା ପେଚାମୁଣ୍ଡି ଗାଁର ଡିଲେଶ୍ୱର ନାୟକଙ୍କୁ ପୁଲିସ ଏଏସ୍‌ଆଇ ଅଞ୍ଜଳି ପ୍ରଧାନ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଡିଲେଶ୍ୱର ଯୌତୁକ ଦାବି କରି ନିର୍ଯାତନା ଦେଉଛନ୍ତି ବୋଲି ତାଙ୍କ ପତ୍ନୀ ଗୋଲାପ ନାୟକ ଗତ ୪ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏ ସଂପର୍କରେ ଏକ ମାମଲା ରୁଜୁକରିବା ସହ ଡିଲେଶ୍ୱରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେ କୋର୍ଟରୁ ଜାମିନରେ ଆସିଛନ୍ତି। ପତ୍ନୀଙ୍କ ଅଭିଯୋଗ ପରେ ଏଏସ୍‌ଆଇ ଶ୍ରୀମତୀ ନାୟକ ଡିଲେଶ୍ୱରଙ୍କୁ ଥାନାକୁ ଆଣି ନିର୍ଧୁମ୍‌ ପିଟିଥିଲେ, ଫଳରେ ସେ ଆହତ ହୋଇଥିଲେ ବୋଲି ଆଜି ଡିଲେଶ୍ୱର, ପୂର୍ବତନ ସରପଞ୍ଚ ଧୂଳିଆ ନାଏକ, ବିପ୍ର ଚରଣ ଖିଲାରଙ୍କ ସମେତ କେତେକ ଗ୍ରାମବାସୀ ଏସ୍‌ଡିପିଓ ଯଶୋବନ୍ତ ସାମଲ ଏବଂ ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ପ୍ରହାର ଜନିତ କ୍ଷତ ଚିହ୍ନ ଡିଲେଶ୍ୱର ଏସ୍‌ଡିପିଓ ଶ୍ରୀ ସାମଲଙ୍କୁ ଦେଖାଇଥିଲେ। ଏହାର ତଦନ୍ତ କରି ପୁଲିସ ଏଏସ୍‌ଆଇ ଶ୍ରୀମତୀ ପ୍ରଧାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଏ ସଂପର୍କରେ ଏଏସ୍‌ଆଇ ଶ୍ରୀମତୀ ପ୍ରଧାନଙ୍କୁ ପଚାରିବାରୁ ସେ ଡିଲେଶ୍ୱରଙ୍କୁ ଆଦୌ ମାଡ଼ ମାରିନାହାନ୍ତି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର