ମା’ ତାରିଣୀଙ୍କ ଦର୍ଶନ କଲେ ପ୍ରମୋଦ ଭଗତ

ଘଟଗାଁ: ଟୋକିଓରେ ଶେଷ ହୋଇଥିବା ପାରାଲିମ୍ପକ୍ସର ବ୍ୟାଡମିଣ୍ଟନରେ ସ୍ବର୍ଣ୍ଣ ପଦକ ଜିତିଥିବା ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳର ପ୍ରମୋଦ ଭଗତ ଆଜି ଘଟଗାଁ ଆସି ମା’ ତାରିଣୀଙ୍କ ଦର୍ଶନ କରିଛନ୍ତି। ଘଟଗାଁରେ ତାଙ୍କୁ ଦେଖିବା ପାଇଁ ଶହଶହ ଲୋକ ରୁଣ୍ତ ହୋଇଥିଲେ।

ପ୍ରମୋଦ ଓ ତାଙ୍କ କୋଚ୍‌ ଶିବପ୍ରସାଦ ଦାସ ମା’ଙ୍କ ପୀଠରେ ପହଞ୍ଚିବା ପରେ ମନ୍ଦିର ପରିଚାଳନା ବୋର୍ଡ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଥିଲା। ବରିଷ୍ଠ ପୂଜକ ଶ୍ୟାମସୁନ୍ଦର ଦେହୁରୀ, ପ୍ରଦୀପ ଦେହୁରୀ ଓ ସଦାନନ୍ଦ ଦେହୁରୀ ପ୍ରମୁଖ ତାଙ୍କୁ ମା’ଙ୍କ ଦର୍ଶନ କରାଇବା ସହ ଅଖଣ୍ତ ଦୀପକୁ ଆଜି ଉଠା ଯାଇଥିଲା। ପ୍ରମୋଦଙ୍କ ସଫଳତା ପାଇଁ ଅଗଷ୍ଟ ୨୭ରୁ ୫ ତାରିଖ ଯାଏ ମା’ଙ୍କଠାରେ ଅଖଣ୍ତ ଦୀପ ଜଳା ଯାଇଥିଲା। ପୂଜକ ନେପାଳୀ ଦେହୁରୀ ତାଙ୍କ ନାମର ପୂଜାର୍ଚ୍ଚନା କରିବା ସହ ଦୀପ ଜଳାଇଥିଲେ।

ଏହି ଅବସରରେ ପ୍ରମୋଦ କହିଥିଲେ ମା’ ତାରିଣୀଙ୍କ ମହିମା ସବୁଦିନ ସ୍ମୃତି ହୋଇ ରହିବ। କଠିନ ପରିଶ୍ରମର ଫଳ ମିଳିଛି। ଯୁବପିଢ଼ି କ’ଣ ଫଳ ମିଳିବ ସେଥିପ୍ରତି ଧ୍ୟାନ ନଦେଇ କଠିନ ପରିଶ୍ରମ କରନ୍ତୁ ବୋଲି ପ୍ରମୋଦ କହିଥିଲେ। ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପରେ ମା’ ତାରିଣୀ ମନ୍ଦିର ପରିଚାଳନା ବୋର୍ଡ ଏବଂ ମନ୍ଦିର କର୍ମଚାରୀ ସଂଘ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମନ୍ଦିର ପରିଚାଳନା ବୋର୍ଡ ସଭାପତି ରାଜେନ୍ଦ୍ର କୁମାର ପଟ୍ଟନାୟକ, ନିର୍ମଳ କୁମାର ମହାନ୍ତି, ଆନନ୍ଦ ଚନ୍ଦ୍ର ସିଂହ, ମନ୍ଦିର କର୍ମଚାରୀ ଅବନୀ ଜେନା, ହରେକୃଷ୍ଣ ବେହେରା ପ୍ରମୁଖ ଉପସ୍ଥିତ ରହି ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପରେ ତାଙ୍କୁ ଘଟଗାଁ ବ୍ଲକ୍‌ ପକ୍ଷରୁ ଏବିଡିଓ ଚିତ୍ତରଂଜନ ନାୟକ, ପିଇଓ ପ୍ରଶାନ୍ତ କୁମାର ରାଉତ, ଶେଷଦେବ ବେହେରା ଓ ସାରଙ୍ଗଧର ରଣା ପ୍ରମୁଖ ସମ୍ବର୍ଦ୍ଧିତ କରିଥିଲେ। ସେହିପରି ଘଟଗାଁ ପ୍ରେସ୍‌ କ୍ଲବ୍‌ ପକ୍ଷରୁ ମଧ୍ୟ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କ୍ଲବ୍‌ ସଭାପତି ପ୍ରଦୀପ କୁମାର ସା, ଛବୀନ୍ଦ୍ର କୁମାର ଜେନା, ଶେଷନନ୍ଦନ ବଳ, ସଂଜୟ କୁମାର ମିଶ୍ର, ମହେନ୍ଦ୍ର କୁମାର ପାତ୍ର, ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଭବାନୀ ଶଙ୍କର ମହାନ୍ତ, ତପନ କୁମାର ମହାନ୍ତି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର