ହାଟଡିହି: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ କାନପୁର ଗ୍ରାମରେ ସାଳନ୍ଦୀ ନଦୀ କୂଳ ଖାଉଉଛି। ଏହାର ପ୍ରତିକାର ପାଇଁ ଦାବି ଜଣାଇଛନ୍ତି ଗ୍ରାମବାସୀ। ଗ୍ରାମବାସୀଙ୍କ ଅଭିଯୋଗ ହେଲା, ସୋସୋ ପଞ୍ଚାୟତ କାନପୁର ଗ୍ରାମ ନିକଟ ଦେଇ ସାଳନ୍ଦୀ ନଦୀ ପ୍ରବାହିତ ହୋଇଛି। ୫୦ ବର୍ଷ ପୂର୍ବରୁ ସାଳନ୍ଦୀ ନଦୀ ସ୍ରୋତର ଦିଗ ପରିବର୍ତ୍ତନ ରୋକିବା ପାଇଁ  ଛୋଟ ଛୋଟ ପଥର ବନ୍ଧ (ସ୍ପର) କରାଯାଇଥିଲା। ତାହା ଏବେ ଭାଙ୍ଗି ରୁଜି ନଷ୍ଟ ହୋଇଯାଇଛି। ନଦୀର ଜଳଧାର ଗ୍ରାମ ନିକଟ ଦେଇ ଯାଇଥିବାରୁ ଗ୍ରାମର ଉତ୍ତର ପାର୍ଶ୍ଵରେ ୪ବର୍ଷ ତଳେ ନଦୀ କୂଳ ଖାଇ ଅନେକ ଲୋକଙ୍କ ଘରବାଡ଼ି ନଷ୍ଟ ହୋଇଛି। ଏନେଇ ବାରମ୍ବାର ଅଭିଯୋଗ ପରେ ଜଳସମ୍ପଦ ବିଭାଗ ପକ୍ଷରୁ ଗାର୍ଡୱାଲ୍‌ ନିର୍ମାଣ କରାଯାଇ ଥିଲା। କିନ୍ତୁ ଏହାର କିଛି ସୁଫଳ ମିଳିଲାନି।

Advertisment

ଦିନକୁ ଦିନ ଗାଁର ଉତ୍ତର ପଟୁ ନଦୀ କୂଳ ଖାଇବା ଯୋଗୁଁ ଗାଁଟି ନଦୀ ଗର୍ଭରେ ଲୀନ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏନେଇ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ ଜଳସମ୍ପଦ ବିଭାଗର ଦୃଷ୍ଟି ଆକର୍ଷଣ କରିବା ପରେ ଗତ ୧୬ ତାରିଖରେ ବିଭାଗୀୟ ଅଧିକାରୀମାନେ ଉକ୍ତ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଗାଁକୁ ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ନେବାକୁ ବିଜୟ କୁମାର ସାମଲ, ପ୍ରଫୁଲ୍ଲ କୁମାର ଜେନା, ସନାତନ ମହାପାତ୍ର, ଭରତ ଚନ୍ଦ୍ର ରାଉତ, ଅକ୍ଷୟ କୁମାର ବେହେରା, ସରସ୍ୱତୀ ରାଜ, ନିରଞ୍ଜନ ରାଉତ, ପୂର୍ଣ୍ଣଚନ୍ଦ୍ର ଖମାରୀ, ଗୋପବନ୍ଧୁ ପାଣିଗ୍ରାହୀ, ପୁରୁଷୋତ୍ତମ ରାଉତ, ଅଶୋଜ କୁମାର ସେନ, କୁଶଧ୍ୱଜ ବେହେରା ପ୍ରମୁଖ ଦାବି କରିଛନ୍ତି।