ତେଲକୋଇ: କେନ୍ଦୁଝର ଜିଲ୍ଲାରେ ତେଲକୋଇରେ ସମାକୋଇ-ଚକଦର ପ୍ରକଳ୍ପକୁ ନେଇ ଗାଁ ଗାଁରେ ବିରୋଧର ସ୍ବର ଉଠିଛି। ଆସନ୍ତା ୨୭ ତାରିଖ ସମାକୋଇ-ଚକଦର ପ୍ରକଳ୍ପ ନିର୍ମାଣକୁ ବିରୋଧ କରି ତେଲକୋଇ ବନ୍ଦ ଡାକରା ଦିଆଯାଇଛି। ଲୋକଙ୍କ ସହ ସ୍ଥାନୀୟ ବିଧାୟକ ଡାକ୍ତର ଫକୀର ମୋହନ ନାଏକ ମଧ୍ୟ ସ୍ବର ମିଳାଇଛନ୍ତି। ଏନେଇ ବିଧାୟକଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ କିଛିଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମଧ୍ୟ ଭେଟିସାରିଛନ୍ତି। ଏହାପରଠାରୁ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ ପାଇଁ ପାଗଭିଡ଼ା ଚାଲିଛି। ପ୍ରତି ଗାଁରେ ପ୍ରତିବାଦ ସଭା କରି ସମାକୋଇ-ଚକଦର ପ୍ରକଳ୍ପ ବନ୍ଦ ସମନ୍ୱୟ କମିଟି ପକ୍ଷରୁ ଜନସମର୍ଥନ ଗୋଟାଯାଉଛି।
ଗୁରୁବାର ଖୁଣ୍ଟାପଡ଼ା, ଉଦୟଗିରି, ତେଲକୋଇ, ତଳସାହି, ଆମ୍ବତଇଲା, କୋଇଲିସୂତା, ଭୀମକାଣ୍ଡ, ଗୋଧିହୁଡ଼ି, ଦୋବଲାପାଳ, ଦେଉଳଡିହା, ସାମନାଳୀ ଆଦି ଗ୍ରାମରେ କମିଟି ପକ୍ଷରୁ ପ୍ରତିବାଦ ସଭା କରାଯାଇଛି। ‘ସମାକୋଇ ଆମ ତେଲକୋଇର ଜୀବନ ରେଖା।’ ବୋଲି ନାରା ଦିଆଯାଇଛି। ତା’ର ପାଣିକୁ ପ୍ରଥମେ ଆମ ଜମିରେ ବିନିଯୋଗ କରିବାକୁ ଦାବି କରାଯାଇଛି। ଆମ ଅଞ୍ଚଳକୁ ବୁଡ଼ାଇ ଅନ୍ୟ ଜିଲ୍ଲାର ଜମି ଜଳସେଚନ କରିବାର ଯୋଜନାକୁ ଲୋକମାନେ ତୀବ୍ର ବିରୋଧ କରିଛନ୍ତି। କରଦାଙ୍ଗି ପଞ୍ଚାୟତର ଚକଦରଠାରେ ପ୍ରସ୍ତାବିତ ଏହି ପ୍ରକଳ୍ପକୁ ସ୍ଥାନୀୟ ଅଞ୍ଚଳର ଲୋକେ ଦୀର୍ଘ ୫୩ ବର୍ଷ ଧରି ବିରୋଧ କରି ଆସୁଛନ୍ତି। ଏହାକୁ ସଂପୂର୍ଣ୍ଣ ଭାବେ ବନ୍ଦ କରାନଗଲେ ଆଗାମୀ ଦିନରେ ଜୋରଦାର ବିରୋଧ କରାଯିବ ବୋଲି ଚକଦର ପ୍ରକଳ୍ପ ବନ୍ଦ ସମନ୍ୱୟ କମିଟି ସଭାପତି କୈଳାସ ଚନ୍ଦ୍ର ପ୍ରଧାନ ଚେତାବନୀ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଏହି ପ୍ରକଳ୍ପ ଜରିଆରେ ଅନୁଗୁଳ ଜିଲ୍ଲାର ପାଳଲହଡ଼ା ଓ କଣିହାଁ ବ୍ଲକ୍‌ର ୯୨ ଟି ଗ୍ରାମର ୯୯୯୦ ହେକ୍ଟର ଜମିକୁ ଜଳସେଚନ ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିରେ କେନ୍ଦୁଝର ଜିଲ୍ଲାର କୌଣସି ଅଞ୍ଚଳ ଜଳସେଚନ ହୋଇପାରିବ ନାହିଁ। ମାତ୍ର ଏହାଦ୍ବାରା ତେଲକୋଇ ବ୍ଲକ୍‌ର କରଦାଙ୍ଗି, ସାପଲାଞ୍ଜି ଗ୍ରାମର ୪୧୬ ହେକ୍ଟର ଚାଷଜମି (୧୬୦ ହେକ୍ଟର), ଜଙ୍ଗଲଜମି (୮୬ ହେକ୍ଟର), ପତିତ ଜମି (୧୭୦ ​ହେକ୍ଟର) ବୁଡ଼ିବ ବୋଲି କୁହାଯାଉଛି। ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ସମାକୋଇ ବର୍ଷାଦିନରେ ପ୍ରଖର ସ୍ରୋତରେ ପ୍ରବାହିତ ହୋଇଥାଏ କିନ୍ତୁ ଖରାଦିନେ ଶୁଖିଲା ପଡ଼ିଥାଏ। ଏଣୁ ପ୍ରକଳ୍ପ ପାଇଁ ବହୁ ଜଳଧାରଣ କ୍ଷମତାବିଶିଷ୍ଟ ବନ୍ଧ ନିର୍ମାଣ ହେବ। ଏହା ତେଲକୋଇ ଅଞ୍ଚଳର ବହୁ କ୍ଷତି କରିବ। ବରଂ ତେଲକୋଇର ହାତୀମୁଣ୍ଡାଠାରେ ଯଦି ଉପରସମାକୋଇ ପ୍ରକଳ୍ପ ନିର୍ମାଣ କରାଯାଏ ତେବେ ଉଭୟ କେନ୍ଦୁଝର ଓ ଅନୁଗୁଳ ଜିଲ୍ଲାର ଲୋକେ ଉପକୃତ ହୋଇପାରିବେ। ମାତ୍ର ସରକାର ତାହା ନକରି ଚକଦର ପ୍ରକଳ୍ପ ନିମନ୍ତେ ବଜେଟରେ ଅର୍ଥ ବ୍ୟବସ୍ଥା କରିଥିବାରୁ ଜନଅସନ୍ତୋଷ ବଢ଼ିଚାଲିଛି।