ଯୋଡ଼ା,: ଦୀର୍ଘ ବର୍ଷ ଧରି ବାସ କରୁଥିବା ୭ଟି ରାଜସ୍ବ ଗ୍ରାମର ମୁଖ୍ୟ ରାସ୍ତା ଦେଇ ରେଳ ଲାଇନ ଯିବା ପରେ ଲୋକଙ୍କ ସୁବିଧା ପାଇଁ ରେଳ ବିଭାଗ ଲେବଲ କ୍ରସିଂ ନିମାର୍ଣ କରିବା କଥା। ଏନେଇ ଗ୍ରାମବାସୀ ଅନେକ ଥର ଜିଲ୍ଲା ପ୍ରଶାସନ ଓ ରେଳ ବିଭାଗ ନିକଟରେ ଦାବି କରିବା ପରେ ଆଜି ଓଲଟା ଫଳ ମିଳିଛି। ରେଳ ବିଭାଗ ଦକ୍ଷିଣ-ପୂର୍ବ ରେଳପଥ ଅନ୍ତର୍ଗତ ବିଲେଇପଦା-ଭାଗଲପୁର ରେଳଲାଇନ ଯାଇଥିବା ରାସ୍ତାରେ ଲେବଲ କ୍ରସିଂ ନିର୍ମାଣ କରିବା ପରିବର୍ତ୍ତେ ଆଜି ମୁଖ୍ୟ ରାସ୍ତାକୁ ମେସିନ ଲଗାଇ ଖୋଳି ଦେଇଛି। ଫଳରେ ସମ୍ପୃକ୍ତ ଗ୍ରାମ ଗୁଡ଼ିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଲୋକେ ମାଟି ଖୋଳୁଥିବା ମେସିନ ଆଗରେ ବସିଛନ୍ତି।
ଗ୍ରାମବାସୀଙ୍କ କହିବା ଅନୁସାରେ, ଆଜି ପୂବାର୍ହ୍ନ ୧୧ଟା ବେଳେ ରେଳ ବିଭାଗର ଜଣେ ଅଧିକାରୀ ଓ ରେଳବାଇ ପୁଲିସ ଉପସ୍ଥିତିରେ ବିରିକଳା ପଞ୍ଚାୟତର ବିଲେଇପଦା-ବଳିତା ମୁଖ୍ୟରାସ୍ତା ଦେଇ ଯାଇଥିବା ଭାଗଲପୁର ରେଳ ଲାଇନ ନିକଟରେ ମେସିନ ଦ୍ବାରା ରାସ୍ତା ଖୋଳି ଦିଆଯାଇଛି। ଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ବିଲେଇପଦା, ଭାଗଲପୁର, ବଳିତା, ରାଇକା, ସୋୟାବାଲି, ଲହଣ୍ତାର ମୁଣ୍ତାସାହି, ଗୋବର୍ଦ୍ଧନପୁରର ପ୍ରାୟ ୫୦ ହଜାର ଲୋକେ ଯାତାୟାତରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହିସବୁ ଗ୍ରାମକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ଆମ୍ବୁଲାନ୍ସ ଆସିବା ସମ୍ଭବ ହେଉନି।
ରାସ୍ତା ଖୋଳାକୁ ସ୍ଥାନୀୟ ଗ୍ରାମବାସୀ ବିରୋଧ କରିଥିଲେ। ହେଲେ ବିଭାଗ କର୍ମଚାରୀ ଶୁଣିନଥିଲେ। ରେଳଲାଇନ ଯୋଗୁଁ ବିଭିନ୍ନ ସମୟରେ ଲୋକେ ଅସୁରକ୍ଷିତ ଭାବେ ଯାତାୟାତ କରିବା ସହ ବିଭିନ୍ନ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଛାତ୍ରଛାତ୍ରୀ ପ୍ରତିଦିନ ବିପଦପୂର୍ଣ୍ଣ ଭାବେ ଯାତାୟାତ କରୁଛନ୍ତି। ଏଠାରେ ଲେବଲ କ୍ରସିଂ ନିମାର୍ଣ ପାଇଁ ଲୋକେ ଦାବି କରିଥିଲେ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ନିଆନଯାଇ ରାସ୍ତା ଖୋଳାଯାଉଥିବାରୁ ଗ୍ରାମବାସୀ ମାଟି ଖୋଳୁଥିବା ମେସିନ ଆଗରେ ଧାରଣାରେ ବସିଥିଲେ। ରାସ୍ତା ନଖୋଳିବାକୁ ଅଡ଼ି ବସିଥିଲେ। ଖବର ପାଇ ବିଲେଇପଦା ଫାଣ୍ତି ଅଧିକାରୀ ନରେଶ କୁମାର ଦାସ ଘଟଣାସ୍ଥଳକୁ ଯାଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏ ସମ୍ପର୍କରେ ରେଳବାଇ ପୁଲିସ ଏସ୍ଆଇ ହରେରାମ ସିଂ କହିଛନ୍ତି, ରାସ୍ତାରେ ଭାରୀଯାନ ଚଳାଚଳ କରୁଛି। ରାସ୍ତା ବନ୍ଦ କରିବାକୁ ଉପରୁ ନିର୍ଦ୍ଦେଶ ଆସିଛି ବୋଲି ଶ୍ରୀ ସିଂହ କହିଛନ୍ତି।
ଲେବଲ କ୍ରସିଂ ନିର୍ମାଣ ପାଇଁ ଡିଆର୍ଏମ୍ଙ୍କ ନିକଟରେ ଦାବି କରାଯାଇଥିଲା। ଏନେଇ ତାଙ୍କୁ ଲିଖିତ ଭାବେ ଜଣାଯାଇଥିଲା। ହେଲେ ରେଳ ବିଭାଗ ପଦକ୍ଷେପ ନେଉନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି ବୋଲି ବିରିକଳା ସରପଞ୍ଚ ରମେଶ କୁମାର ନାଏକ କହିଛନ୍ତି। ରାସ୍ତା ସମତୁଲ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
ରାସ୍ତା ଖୋଳିଦେଲା ରେଳ ବିଭାଗ, ଉତ୍ତେଜନା
/sambad/media/post_attachments/wp-content/uploads/2019/02/jaj5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)