ହାଟଡ଼ିହି: ଜଳସମ୍ପଦ ବିଭାଗ ଉଚ୍ଚ ପଦାଧିକାରୀଙ୍କ ଅବହେଳାରୁ କୋଟି କୋଟି ଟଙ୍କା ପାଣିରେ ପଡ଼ୁଛି। ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଶାଳପଡ଼ା ବୈତରଣୀ ଡିଭିଜନରେ। ଏହା ଅଧିନରେ ନିର୍ମାଣ ହେଉଥିବା ମରୈଗଁା-ବଳିପୁର ରାସ୍ତା କାମ ନିମ୍ନମାନର ହେଉଥିବା‌ ବେଳେ ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି। ଏହାକୁ ବିରୋଧ କରି ଅଞ୍ଚଳବାସୀ ଆଜି ନଦୀବନ୍ଧ ନିର୍ମାଣ କାମ ବନ୍ଦ କରିଦେଇଛନ୍ତି। ୧୬ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଏହି ରାସ୍ତା କାମ ଠିକ୍‌ ଭାବେ ହେଉନାହିଁ। ମୋରମ ସ୍ଥାନରେ ନାଲିମାଟି ପକାଯାଉଛି। ଏ ନେଇ ପୂର୍ବରୁ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି ଗ୍ରାମବାସୀ କହିଛନ୍ତି।
ଏହି ରାସ୍ତା ଉପରେ ନନ୍ଦିପଦା, କ୍ଷେତୁଆଳି, ଇଞ୍ଚୋଳ, ଭୂତପଦା, ଅପସର, ବ୍ରାହ୍ମଣୀକଳା, ଶାଳଣିଆଁ, ଡଅଁର, ଗେଡମା ଆଦି ଗ୍ରାମର ଲୋକେ ନିର୍ଭର କରିଥାନ୍ତି। ଦୁଇବର୍ଷ ହେଲା ଏହି ରାସ୍ତାକାମ ଚାଲିଛି। ମେଣ୍ଟାଲ ଓ ମୋରମ ବିଛା ଯାଇଥିବା ରାସ୍ତାକୁ ଠିକରେ ସଫା କରାଯାଇନି। ଧୂଳି ଉପରେ ପିଚୁ ପକାଯାଉଛି। ଫଳରେ ଏହାର ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନ ଉଠିଛି। ନିୟମ ଅନୁସାରେ ରାସ୍ତାକୁ ଭଲ ଭାବେ ସଫା କରିବା ପରେ ପ୍ରଥମେ ପ୍ରାଇମର ତା’ପରେ ଟେକ୍‌କୋର୍ଟ ଓ ଶେଷରେ ପ୍ରି ମିକ୍ସ କାର୍ପେଟ ପକାଯାଇଥାଏ। ହେଲେଏସବୁ ନିୟମର ଖୋଲା ଉଲ୍ଲଂଘନ କରାଯାଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତିନଦିନ ତଳେ ରାସ୍ତ‌େର ପକା ଯାଇଥିବା ପିଚୁ ଏବେ ଉଠିଯାଉଛି। ନିର୍ମାଣ ସ୍ଥଳରେ ଯନ୍ତ୍ରୀ ରହୁ ନଥିବାରୁ ଠିକାଦାର ମନଇଛା କାମ କରୁଛି ବୋଲି ଗ୍ରାମର କୃଷ୍ଣଚନ୍ଦ୍ର ଜେନା, ମଧୁସୂଦନ ଯେନା, ପୀତାମ୍ବର ଯେନା, ନକୁଳ ରାଉତ, ମୋହନ ନନ୍ଦ, ଗୌରାଙ୍ଗ ଯେନା, ସନ୍ତୋଷ ସା, ଅଜୟ ସା, ଭଗବାନ ସା, ପୂର୍ଣ୍ଣଚନ୍ଦ୍ର ଓଝା, ଚନ୍ଦ୍ରମଣି ସାମଲ, ଚିନ୍ତାମଣି ସାମଲ, ଗୋବିନ୍ଦ ଚରଣ ମହାନ୍ତି, ପରୀକ୍ଷିତ ମହାନ୍ତି, ହରେକୃଷ୍ଣ ମହାନ୍ତି, କୋଦଣ୍ଡଧର ସା, କାର୍ତ୍ତିକ ସା, ଉମାକାନ୍ତ ସା, ଦୁ‌େର୍ଯ୍ୟାଧନ ସା ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ ଆଜି ଗ୍ରାମବାସୀ କାମ ବନ୍ଦ କରିଛନ୍ତି। ଏ ସମ୍ପର୍କରେ ଶାଳପଡ଼ା ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ବିନୋଦ କୁମାର ପଟ୍ଟନାୟକଙ୍କୁ ପଚାରିବାରୁ ଆସନ୍ତାକାଲି ଏହାର ତଦନ୍ତ ନିର୍ଦେଶ ଦିଆଯିବ ବୋଲି ସେ କହିଛନ୍ତି।