ହାଟଡ଼ିହି : ପାଣି ପାଇଁ ରାସ୍ତାରୋକ

ହାଟଡ଼ିହି: କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଢେଙ୍କା ପଞ୍ଚାୟତର ଝଣଝଣା ଗ୍ରାମବାସୀ ପିଇବା ପାଣି ପାଇଁ ରାସ୍ତାରୋକ କରିଛନ୍ତି। ଆଜି ସକାଳୁ ଶତାଧିକ ଗ୍ରାମବାସୀ ଛେନାପଦି-ହଦଗଡ଼ ରାସ୍ତାକୁ ଢେଙ୍କା ଛକ ନିକଟରେ ଅବରୋଧ କରିଥିଲେ। ଫଳରେ ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିବା ସହ ଲୋକମାନେ ଯାତାୟାତ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଏହି ଗ୍ରାମରେ ୮୦ରୁ ଉର୍ଦ୍ଧ୍ବ ପରିବାର ବସବାସ କରୁଥିବା ବେଳେ ଆଜିକୁ ୫ମାସ ହେବ ପାନୀୟ ଜଳ ଯୋଗାଣ ବନ୍ଦ ରହିଛି। ତିନୋଟି ନଳକୂପ ମଧ୍ୟରୁ ୨ଟି ଅଚଳ ଥିବାବେଳେ ଗୋଟିଏ ନଳକୂପରୁ ପୋକ ବାହାରୁଛି । ଲୋକମାନେ ବାଧ୍ୟ ହୋଇ ସେହି ପାଣିକୁ ବ୍ୟବହାର କରୁଛନ୍ତି ।

ଗୋଟିଏ କୂଅ ଥିଲେ ମଧ୍ୟ ତାହା ଅପରିଷ୍କାର ହୋଇ ପଡିଛି । ୪୦ଫୁଟ ତଳେ ପାଣି ଥିବାରୁ ବାହାର କରିବା ସମ୍ଭବ ହେଉନି । ଲୋକମାନେ ସରପଞ୍ଚଙ୍କୁ ଅଭିଯୋଗ କଲେ ବି କିଛି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ରାସ୍ତାରୋକ କରିଛନ୍ତି। ଜଳଯୋଗାଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର