ଲୁଟେରାଙ୍କ ଟାର୍ଗେଟରେ ଟ୍ରକ, ଟିପର

ବଡ଼ବିଲ: ଲୁଟେରାଙ୍କ ଟାର୍ଗେଟରେ ଏବେ ବଡ଼ ଗାଡ଼ି। ଚାରି ଚକିଆ କାର୍‌, ଭ୍ୟାନଠାରୁ ଆରମ୍ଭ କରି ୬ ଚକିଆ, ୧୦ରୁ ୧୨ ଚକିଆ ପର୍ଯ୍ୟନ୍ତ ବଡ଼ ଟ୍ରକ ଘର ସାମନାରୁ ରାତି ପାହିଲେ ଉଭାନ ହୋଇଯାଉଛି। ଭାୟା ଝାଡ଼ଖଣ୍ଡରୁ ପଶ୍ଚିମ ବଙ୍ଗ ପର୍ଯ୍ୟନ୍ତ ଲମ୍ବିଛି ରୢାକେଟ। ଚୋରି ହେବାର ୧୨ ଘଣ୍ଟା ଭିତରେ ଗାଡ଼ିକୁ କାଟି ଟିକ୍‌ ଟିକ୍‌ କରିଦେଉଛନ୍ତି। ଏମିତିକି ମାଲିକ ମଧ୍ୟ ନିଜ ଗାଡ଼ି ଚିହ୍ନି ପାରୁନାହାନ୍ତି। କିଛି କବାଡ଼ିଆଙ୍କୁ ବିକ୍ରି ହୋଇଯାଉଛି। ନଚେତ ଆଉ କିଛିକୁ ସଂପୂର୍ଣ୍ଣ ବଦଳାଇ ଦିଆଯାଉଛି। ବିଶେଷକରି କେନ୍ଦୁଝର ଜିଲ୍ଲାରେ ଟ୍ରକ ବ୍ୟବସାୟ ବଢ଼ିବା ସହ ଏହି ଚୋରି ମଧ୍ୟ ବଢ଼ିଛି। ଗତ କିଛିଦିନର ମାମଲା ଉପରେ ଦୃଷ୍ଟି ପକାଇଲେ ଯୋଡ଼ା-ବଡ଼ବିଲ ଅଞ୍ଚଳରୁ ଅଧିକ ଗାଡ଼ି ଚୋରି ହେଉଥିବା ସ୍ପଷ୍ଟ ହେଉଛି।
ବଡ଼କଥା ହେଉଛି ବଡ଼ବିଲ ଅଞ୍ଚଳରେ ଚୋରି ସଂଖ୍ୟା ୨୦ରୁ ଅଧିକ ହେଲେ ବି ଥାନାରେ ମାତ୍ର ୫ଟି ମାମଲା ହୋଇଛି। ଅନେକ କ୍ଷେତ୍ରରେ ପୁଲିସ ଉପଯୁକ୍ତ ପଦକ୍ଷେପ ନେଉନାହିଁ। କେତେକ କ୍ଷେତ୍ରରେ ଏତଲା ମଧ୍ୟ ରଖୁନଥିବା ଦୃ୍ଷ୍ଟିକୁ ଆସିଛି। ବଡ଼ବିଲରୁ ମାତ୍ର ୭ କିଲୋମିଟର ଅତିକ୍ରମ କରିବା ପରେ ପଡ଼ୋଶୀ ଝାଡ଼ଖଣ୍ଡ। ଥରେ ସେଠାରେ ଚୋରା ଗାଡ଼ି ପଶିଗଲେ ଓଡ଼ିଶା ପୁଲିସର ହାତ ପହଞ୍ଚେନାହିଁ। ଯଦି କେହି ମାଲିକ ନିଜ ଉଦ୍ୟମରେ ଯାଇ କୌଣସିପ୍ରକ‌ାରେ ଚୋରି ଗାଡ଼ି ଉଦ୍ଧାର କରନ୍ତି ତ ଭଲ ନହେଲେ ତାହା ସବୁଦିନ ପାଇଁ ହଜିଯାଏ। କେତେକ ଚୋରି ଗାଡ଼ି ଝାଡ଼ଖଣ୍ଡର ଚାଇଁବସା ଦେଇ ପଶ୍ଚିମବଙ୍ଗକୁ ନିଆଯାଏ। ପରେ ପାନାଗଡ଼ ଓ କୋଲକୋତାରେ ପହଞ୍ଚିଥାଏ। ସେଠାରେ ଥିବା ଚୋରି ଗ୍ୟାରେଜରେ ଗାଡ଼ିକୁ କିଛି ଘଣ୍ଟା ମଧ୍ୟରେ କାଟି ଦିଆଯାଏ। ଗାଡ଼ି ଚୋରି ହେବାପରେ ମାଲିକ ଦୈବାତ ଯଦି ସେଠାରେ ପହଞ୍ଚ‌େ ତଥାପି ନିଜ ଗାଡ଼ି ଚିହ୍ନଟ କରିବା କଷ୍ଟ ହୋଇଥାଏ। ମୁକୁଳାଇବା ମଧ୍ୟ ଅସମ୍ଭବ ହୋଇ ପଡିଥାଏ। ଅନ୍ୟପକ୍ଷେ ବଡ଼ବିଲ ପୁଲିସ ୫ ଟି ଚୋରି ଟ୍ରକ ମଧ୍ୟରୁ ୩ ଟିକୁ ପୁଲିସ ଉଦ୍ଧାର କରିଥିବା ଜଣାପଡ଼ିଛି। ୧୪-୧୫ ଗାଡ଼ି ଚୋରି ହୋଇଛି।
ଭୋଳା ଗ୍ୟାରେଜ ଅଞ୍ଚଳର ବବୁଲୁ କର୍ମକାରଙ୍କର ୧୨ ଚକିଆ ଟ୍ରକଟି ୨୦୧୬ରେ ଚୋରି ହୋଇଥିଲା। ତାହା ଆଉ ମିଳିଲାନାହିଁ ବୋଲି ସେ କହନ୍ତି। ଆନନ୍ଦପୁରରୁ ଏକ ଟ୍ରକ ଲୁଟ୍‌ ହୋଇଥିଲେ ହେଁ ମାଲିକ ପିଛା କରି ଗାଡ଼ିଟିକୁ ଝାଡ଼ଖଣ୍ଡରୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ। ତେବେ ଏଭଳି ଉଦ୍ଧାର ଘଟଣା ଅତି କମ୍‌। ସେହିପରି ଘଟଗାଁ ଥାନା କଟରାବେଡ଼ାରୁ ଏକ ୫ ବର୍ଷ ତଳେ ଘର ସାମନାରୁ ଏକ ଟ୍ରକ ଲୁଟ୍‌ ହୋଇଥିଲେ ବି ପୁଲିସ ତା’ର ଟେର୍‌ ପାଇନଥିଲା। ଗୋଟିଏପଟେ ଏଭଳି ବଡ଼ଯାନ ଲୁଟ୍‌ ଘଟଣା ପୁଲିସର ଅପାରଗତାକୁ ପ୍ରଦର୍ଶିତ କରୁଥିଲାବେଳେ ସାଧାରଣ ଲୋକ ସେମାନଙ୍କ ଧନଜୀବନକୁ ନେଇ ଅସୁରକ୍ଷିତ ମଣୁଛନ୍ତି।

ସମ୍ବନ୍ଧିତ ଖବର